ଦାରୁଠେଙ୍ଗ ଓ ଚନ୍ଦକାରେ ହାତୀପଲ ଆତଙ୍କ

ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରୁ ଏକ ୧୫ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଆସି ମେଣ୍ଢାଶାଳ, ବାରାପିଠା ଓ ଆଇସିଆର୍ ଫାର୍ମରେ ପାଚେରୀ ଓ ଜାମୁଝରୀ ମୁକ୍ତାକାଶ....

Untitled-4

ମେଣ୍ଢାଶାଳ: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରୁ ଏକ ୧୫ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଆସି ମେଣ୍ଢାଶାଳ, ବାରାପିଠା ଓ ଆଇସିଆର୍ ଫାର୍ମରେ ପାଚେରୀ ଓ ଜାମୁଝରୀ ମୁକ୍ତାକାଶ ଆଶ୍ରମରେ ପଶି ପାଚେରୀ ଭାଙ୍ଗି ଆଶ୍ରମ ପରିସରରେ ହୋଇଥିବା ପନିପରିବା ଓ ଫସଲକୁ ନଷ୍ଟଭ୍ରଷ୍ଟ କରିଦେଇଛନ୍ତି। ମେଣ୍ଢାଶାଳ ଓ ଏହାର ଆଖପାଖ ଅଞ୍ଚଳରେ ୭ ଏକରରୁ ଅଧିକ ଜମିରେ ଧାନବିଲକୁ ମଧ୍ୟ ଦଳିଚକଟି ନଷ୍ଟ କରିଛନ୍ତି। ଫାର୍ମର ଥିବା କଦଳୀ ଗଛ ସମେତ ଅନ୍ୟାନ୍ୟ ଫଳ ଓ ପନିପରିବା ମଧ୍ୟ ନଷ୍ଟ କରିଛନ୍ତି। ହାତୀପଲର ଉପସ୍ଥିତିକୁ ନେଇ ସ୍ଥାନୀୟ ଗ୍ରାମବାସୀ ଭୟଭୀତ ଅଛନ୍ତି। ହାତୀଗୁଡ଼ିକ ଦିନ ବେଳା ବୁଦା ମୂଳରେ ଲୁଚି ରହୁଥିବାବେଳେ ରାତିରେ ଓ ବିଶେଷକରି ପାହାନ୍ତିଆ ସମୟରେ ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ତେବେ ବନବିଭାଗ ହାତୀପଲକୁ ଘଉଡ଼ାଇବାରେ ସମର୍ଥ ହୋଇ ନାହିଁ।

ଏହି ୧୫ ଟିକିଆ ହାତୀପଲରେ  ଗୋଟିଏ ଦନ୍ତା ହାତୀ ଥିବା ବେଳେ  ମାଈ ଓ ଛୁଆ ହାତୀ ୧୪ଟି ଅଛନ୍ତି। ଗତକାଲି ଏହି ହାତୀ ପଲ ମେଣ୍ଢାଶାଳ ପଞ୍ଚାୟତ, ଗିରିଙ୍ଗାପୁଟ ଓ ବାରାପିଠାରେ ୭ ଏକରରୁ ଅଧିକ ଜମିରେ ହୋଇଥିବା ରୁଆ ଧାନ ଫସଲ ନଷ୍ଟ କରି ଦେଇଥିଲେ। ହାତୀ ଉତ୍ପାତ ଏହି ଅଞ୍ଚଳର ଚାଷୀମାନଙ୍କର ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଯଥାଶୀଘ୍ରଏହି ହାତୀ ପଲକୁ ଜଙ୍ଗଲକୁ ଘଉଡାଇବା ପାଇଁ ମେଣ୍ଢାଶାଳ, ଗିରିଙ୍ଗାପୁଟ, କଣ୍ଟାବାଡ଼, କାଟେଣି, ଚନ୍ଦକା ଓ ଦାରୁଠେଙ୍ଗର ଶତାଧିକ  ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ,  ଚନ୍ଦକା-ଡମପଡ଼ା ବନଖଣ୍ଡର  ଚାରିପାଖରେ ଟ୍ରେଞ୍ଚ ନିର୍ମାଣ ହୋଇଥିଲା। ଉଦ୍ଦେଶ୍ୟ ଥିଲା ଯେପରି ଅଭୟାରଣ୍ୟରୁ ହାତୀ ଜନବସତି ଆଡ଼କୁ ନ ଆସନ୍ତି। କିନ୍ତୁ ଏବେ ଏହି ଟ୍ରେଞ୍ଚର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳୁଛି। ଜଙ୍ଗଲ ମଧ୍ୟକୁ ପ୍ରତିଦିନ କାଠ ମାଫିଆମାନେ ଏହି ଟ୍ରେଞ୍ଚ ଦେଇ ବଡ଼ ବଡ଼ କାଠ ଗଣ୍ଡି ଆଣୁଛନ୍ତି।  ତେଣୁ ଟ୍ରେଞ୍ଚ ମୁକୁଳା ହୋଇଯାଉଥିବାରୁ ଏହି ଟ୍ରେଞ୍ଚ ଦେଇ ହାତୀ ପଲ ଜନବସତି ଆଡ଼କୁ ଆସୁଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe