ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ!

ଅଧ ଘଣ୍ଟାର ଆତଙ୍କ

ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ!

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ହଠାତ୍‌ ୬ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଯାତ୍ରୀଙ୍କ ମୁଣ୍ଡ ଜାମିନ୍‌ ରଖି କର୍ତ୍ତୃପକ୍ଷଙ୍କୁ ଧମକ ଦେଇଥିଲେ। ପୂରା ବିମାନବନ୍ଦରକୁ ନିଜ କବ୍‌ଜାକୁ ନେବାକୁ ଉଦ୍ୟମ କରିଥିଲେ। ହେଲେ ସିଆଇଏସ୍‌ଏଫ୍‌ ଯବାନ ଓ ଏସ୍‌ଓଜି ଯବାନ ଆତଙ୍କବାଦୀଙ୍କ ପ୍ଲାନ୍‌କୁ ସଫଳ ହେବାକୁ ଦେଇ ନଥିଲେ। ପ୍ରାୟ ଅଧ ଘଣ୍ଟାର ଲଢ଼େଇ ପରେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଆଉ ଯାତ୍ରୀଙ୍କୁ ମୁକୁଳାଇଥିଲେ।

ଏହି ଘଟଣା ସତସତିକା ନଥିଲା। ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଏହି ଡ୍ରାମା ରଚାଯାଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ଅଧଘଣ୍ଟାର ମକ୍‌ ଡ୍ରିଲରେ ଆତଙ୍କବାଦୀ ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା। ଏହାସହିତ ଯଦି ବିମାନବନ୍ଦରରେ କୌଣସି ପ୍ରକାରର ଭଙ୍ଗରୁଜା ହୁଏ କି କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୁଏ ତା’ର କିପରି ମୁକାବିଲା କରାଯିବ ସେନେଇ ମକ୍‌ ଡ୍ରିଲ୍‌ ହୋଇଥିଲା।

ଏହି ମକ୍‌ ଡ୍ରିଲରେ ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌, ଓଡ଼ିଶା ଏସ୍‌ଓଜି, ପୁଲିସ, ରାଜ୍ୟ ବିଡିଡିଏସ୍‌, ଡିଜିସିଏ, ଏସ୍‌ଆଇବି ଏବଂ ବିଭିନ୍ନ ବିମାନ ଉଡ଼ାଣ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ। ମକ୍‌ ଡ୍ରିଲ୍‌ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଥିବା ଅଭାବ ଏବଂ ଏହାର ଉନ୍ନତି ଉପରେ ସମୀକ୍ଷା କରାଯାଇଥିଲା। ଏପରିକି କୌଣସି ଯାତ୍ରୀଙ୍କର ଯେପରି କ୍ଷତି ନହୁଏ ସେଥିପ୍ରତି ପ୍ରାଧାନ୍ୟ ଦେବାକୁ କୁହାଯାଇଥିଲା। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ମକ୍‌ ଡ୍ରିଲ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe