ଭୁବନେଶ୍ବର: ଗତ ୮ ତାରିଖ ବିଳମ୍ବିତ ରାତିରେ ବଡ଼ଗଡ଼ ଥାନା ଚିଲ୍ଲିପୋଖରୀ ରାସ୍ତାରେ କମିସନରେଟ୍ ପୁଲିସ ଏନ୍କାଉଣ୍ଟର୍ ଶିକାର ହୋଇଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ସୁସ୍ଥ ହୋଇଛନ୍ତି। ସେମାନେ ଆଜି କଟକ ଏସ୍ସିବି ମେଡିକାଲ କଲେଜ୍ ଆଣ୍ଡ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ତାଙ୍କୁ ବଡ଼ଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅପରାଧୀଦ୍ବୟ ହେଉଛନ୍ତି, ସିପୁନ କୁମାର କବି ଓରଫ ସିଲୁ ଓ ନିଆଳିର ହରେକୃଷ୍ଣ ସ୍ବାଇଁ ଓରଫ ହରିଆ। ଉଭୟଙ୍କ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସେହିଭଳି ଗତ ୧୬ ତାରିଖ ଦିନ ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ରବି ରାଓ ସୁସ୍ଥ ହୋଇ ଭୁବନେଶ୍ବର ଫେରିଥିଲା। ତାକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ୯ ତାରିଖ ରାତିରେ ଖଣ୍ଡଗିରି ଥାନା ଅଞ୍ଚଳରେ ସେ ପୁଲିସ ଏନ୍କାଉଣ୍ଟରର ଶିକାର ହୋଇଥିଲା। ଅପରପକ୍ଷେ ୨ତାରିଖ ବିଳମ୍ବିତ ରାତିରେ ପୁଲିସ ଟଙ୍କପାଣି ବ୍ରିଜ୍ ନିକଟରେ ୨ଅପରାଧୀଙ୍କୁ ଏନ୍କାଉଣ୍ଟର୍ କରିଥିଲା। ସେମାନେ ହେଲେ, ଆଠଗଡ଼ର ଅରୁଣ କୁମାର ମଲ୍ଲିକ ଓରଫ ପୋଡ଼ା ଓ ବିବେକାନନ୍ଦ ନାୟକ ଓରଫ ବିବେକ। ବିବେକକୁ ମଧ୍ୟ ୧୬ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି। ଏବେ କେବଳ ପୋଡ଼ା ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଛି। ସେ ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରାଯିବ। ହରେକୃଷ୍ଣ ଓରଫ ହରିଆ ନାମରେ ଗୋଟିଏ ହତ୍ୟା ସୁପାରି ମାମଲା ରହିଥିବା ବେଳେ ସମସ୍ତଙ୍କ ନାମରେ ଭୁବନେଶ୍ବରର ବଡ଼ଗଡ଼, ମଞ୍ଚେଶ୍ବର, ସହିଦନଗର ଓ ଜିଲ୍ଲା ବାହାରେ କଟକ, ନିଆଳି ଓ ଆଠଗଡ଼ରେ ଡକାୟତି, ଚୋରି, ଛିନତାଇ, ହତ୍ୟା, ଗୁଳିକାଣ୍ଡ, ହତ୍ୟା ସୁପାରୀ ଭଳି ସଂଗିନ୍ ଆପରାଧିକ ମାମଲା ରହିଛି। କୋର୍ଟ ଚାଲାଣ ପରେ ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ। ସେମାନଙ୍କର ଗ୍ୟାଙ୍ଗ୍ରୁ ଆଉ କିଏ ଅଛନ୍ତି, ସେମାନଙ୍କର ଆଉ କଣ କଣ ଅପରାଧ ସହ ସମ୍ପୃକ୍ତି ରହିଛି ତାହାର ଆମୂଳଚୁଳ ତଦନ୍ତ ହେବ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି।
Follow Us