ଗ୍ରାମ୍ୟ ପ୍ରକଳ୍ପ ନିର୍ମାଣରେ ଜବରଦଖଲ କଣ୍ଟା

ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ....

Untitled-20

ଜଟଣୀ: ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର ଶିବିରରେ ମୋଟ ୯୮ଟି  ଅଭିଯୋଗ ପଞ୍ଜୀକୃତ ହୋଇଥିଲା।  ସେଥିରୁ ୭୯ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୧୯ଟି ସାମୂହିକ ଅଭିଯୋଗ ଥିଲା। ସେଥିମଧ୍ୟରୁ ୧୭ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏତତ୍ ବ୍ୟତୀତ ସମସ୍ତ ଅଭିଯୋଗ ବିଚାରକୁ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।  ସାମୂହିକ ଅଭିଯୋଗ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ରହିଛି। ଏଥିରେ ମୁଖ୍ୟତଃ ପଞ୍ଚାୟତ ଅଧୀନ ଅରିସଲ୍ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୧୨ଲକ୍ଷ ଅଧିକ ଟଙ୍କା ବ୍ୟୟବରାଦ ହୋଇଛି, ହେଲେ ଗ୍ରାମର କିଛି ମୁଷ୍ଟିମେୟ ଲୋକ ଉକ୍ତ ଜାଗାକୁ ଜବରଦଖଲ କରି ଘର ଭଡ଼ା, ପାଚେରି ଉଠାଇ ପାର୍କିଂ ସ୍ଥାନ କରି ଦେଇଛନ୍ତି। ତେଣୁ ଜାଗା ନଥିବାରୁ ଅଙ୍ଗନୱାଡ଼ି କେନ୍ଦ୍ର ହୋଇପାରୁ ନାହିଁ। 

ହରେକୃଷ୍ଣପୁର ଗ୍ରାମରେ ସରକାରଙ୍କ ପକ୍ଷରୁ ଆଦର୍ଶ ଖେଳ ପଡ଼ିଆ ଓ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଯେଉଁ ଜାଗାରେ ଏହି ଦୁଇଟି ପ୍ରକଳ୍ପ ନିର୍ମାଣ ହେବା କଥା ସେଠାରେ ଇଡ୍‌କୋ ଜାଗା ନେଇଥିବାରୁ ଆଉ ଜାଗା ସେଭଳି ଖାଲି ସ୍ଥାନ ନାହିଁ। ତେଣୁ କାମ ନ ହୋଇ ଟଙ୍କା ପଡ଼ି ରହିଥିବା ଅଭିଯୋଗ ହୋଇଛି। ଏଥିସହ ଏହି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୩ଟି ରାସ୍ତା ପାଇଁ ଯୋଜନା ହୋଇଥିଲା। ଏଥିରେ ଗୋଟିଏ ରାସ୍ତା ପାଇଁ ଟେଣ୍ଡର ସରିଥିବା ବେଳେ ଆଉ ଦୁଇଟି ରାସ୍ତା ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ଯାହାକି ଇନଫୋସିଟି ରୋଡ୍ ରୁ ଗୌଡ଼କାଶୀପୁର ଗାଁ ଓ ଅଲକର ଏବଂ ଇନଫୋସିଟି ରୋଡ୍ ରୁ ବ୍ଲାକଟପ୍ ରୋଡ୍ ଭାୟା ହରେକୃଷ୍ଣପୁର ଓ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ସମସ୍ୟା ଲାଗି ରହିଛି ବୋଲି ଅଭିଯୋଗ ହୋଇଛି। 
ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ବିଡିଓ ବସନ୍ତ କୁମାର ହାତୀ, ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର, ଜିଲ୍ଲା ସାଧାରଣ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱରୀ କହଁର, ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe