ଚିକିତ୍ସାକୁ ସହଜ କରିଛି ଏଣ୍ଡୋ ଅଲଟ୍ରାସୋନୋଗ୍ରାଫି

Advertisment
ଚିକିତ୍ସାକୁ ସହଜ କରିଛି ଏଣ୍ଡୋ ଅଲଟ୍ରାସୋନୋଗ୍ରାଫି

ଭୁବନେଶ୍ୱର : ମନୁଷ୍ୟ ଶରୀରର ଛାତି, ପେଟ ଓ ଖାଦ୍ୟନଳୀରେ ଅବସ୍ଥାକୁ ସିଟି ସ୍କାନ କିମ୍ବା ଏମ୍‌ଆରଆଇ ଜରିଆରେ ଯାଞ୍ଚ କରାଯାଉଛି। ମାତ୍ର ଏସବୁ ସ୍ଥାନରେ ରୋଗର ଅବସ୍ଥାକୁ ଠିକ୍‌ ଭାବେ ନିର୍ଣ୍ଣୟ କରିବା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ। ମାତ୍ର ଏଣ୍ଡୋ ଅଲଟ୍ରାସୋନୋଗ୍ରାଫି ବା ଇୟୁଏସ୍‌ ଏଭଳି କାର୍ଯ୍ୟକୁ ସହଜ କରିଛି। ଅଳ୍ପ ଖର୍ଚରେ ଓ ଏକାଧିକ ଦିନ ଅପେକ୍ଷା ନ କରି ଅଳ୍ପ ସମୟ ମଧ୍ୟରେ ରୋଗ ନିରୂପଣ ସମ୍ଭବ ବୋଲି କହିଛନ୍ତି ଆମେରିକାର ଅର୍ଲାଣ୍ଡୋସ୍ଥିତ ଫ୍ଲୋରିଡା ହସ୍ପିଟାଲର ଇଣ୍ଟରଭେନସାଲ ଏଣ୍ଡୋସ୍କୋପି ବିଭାଗର ନିର୍ଦେଶକ ଡା. ଶ୍ୟାମ ବରଦରାଜୁଲୁ।

ହୋଟେଲ ଏଚ୍‌ଏଚ୍‌ଆଇରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡା.ବରଦରାଜୁଲୁ କହିଲେ, କର୍କଟ ରୋଗର ଚିକିତ୍ସା ପାଇଁ ଏହି ଟେକ୍‌ନୋଲୋଜି ବଳରେ ବାୟୋପ୍ସି ସହଜ ହୋଇପାରିଛି। ଫଳରେ ଟିସୁକୁ ସ୍ୱତନ୍ତ୍ର ଭାବେ ପରୀକ୍ଷା ନିରୀକ୍ଷା ନ କରି ମାତ୍ର ୨/୩ ମିନିଟ୍‌ ମଧ୍ୟରେ କର୍କଟ ରୋଗର ନିରୂପଣ ହୋଇପାରୁଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏଥିରେ ଶରୀରର ବାହାରେ କୌଣସି ପ୍ରକାର ଅସ୍ତ୍ରୋପଚାର ନ କରି ଭିତରେ ରୋଗର ଚିକିତ୍ସା କରାଯାଇଥାଏ। ଇୟୁଏସ୍‌ର ଉଦ୍ଭାବନ ଫଳରେ ରୋଗର ମୂଳ କାରଣ ଜଣାପଡ଼ିବା ସହିତ ଚିକିତ୍ସାକୁ ଅଧିକ ସଫଳ କରାଯାଇ ପାରୁଛି। ଦେଶର ୨୫୦ରୁ ଅଧିକ ହସ୍ପିଟାଲରେ ଏହି ଚିକିତ୍ସା ଉପଲବ୍ଧ ହେଉଥିବା ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆଇଏମ୍‌ଏସ୍‌ ଏଣ୍ଡ ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗର ମୁଖ୍ୟ ଡା.ମନୋଜ ସାହୁ କହିଲେ, ଏହି ଚିକିତ୍ସା ସମ୍‌ ହସ୍ପିଟାଲରେ ଉପଲବ୍ଧ ହେଉଛି। ଏଥିପାଇଁ ଜଣକୁ ୫ହଜାର ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଗରିବ ରୋଗୀମାନଙ୍କୁ ଏଥିରେ ଅଳ୍ପ ଛାଡ଼ କରାଯାଉଥିବା ଡା.ସାହୁ କହିଥିଲେ। ସମ୍‌ ହସ୍ପିଟାଲ ପକ୍ଷରୁ ଗତ ୨ତାରିଖରୁ ଏଣ୍ଡୋସ୍କୋପିକ ଅଲଟ୍ରାସାଉଣ୍ଡ ଟେକ୍‌ନୋଲୋଜି ଉପରେ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେଉଛି। ଦେଶର ବିଭିନ୍ନ ସ୍ଥାନରୁ ଇୟୁଏସ୍‌ ଟେକନୋଲୋଜି ବ୍ୟବହାର କରୁଥିବା ଚିକିତ୍ସିକମାନେ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ଏହାର ଉଦ୍‌ଯାପନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe