ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

Advertisment

ଚକ୍ଷୁଦାନ କଲେ ପରିବାରଲୋକ

ଚକ୍ଷୁଦାନ କଲେ ପରିବାରଲୋକ

ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ବର: ଏୟାର୍‌ପୋର୍ଟ ଥାନା ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କ ନିକଟରେ ସୋମବାର ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଂଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଇଟିଇଆର୍‌ କଲେଜ ସିଭିଲ ଇଂଜିନିୟରିଂ ବିଭାଗର ପ୍ରଥମ ବାର୍ଷିକ ଛାତ୍ର ପ୍ରିୟାଂଶିଷ ମିଶ୍ର(୧୮)। ତାଙ୍କ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଧାମୂଳା ଗ୍ରାମରେ। ସେ ଖଣ୍ଡପଡ଼ା ବ୍ଲକ ବିଜେଡି ସଭାପତି ତଥା ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଯୁବ ବ୍ୟବସାୟୀ ସୁଶା‌ନ୍ତ ମିଶ୍ରଙ୍କ ଏକମାତ୍ର ପୁତ୍ର। ତାଙ୍କ ମୃତ୍ୟୁରେ ଉଭୟ ଖଣ୍ଡପଡ଼ା ଓ ବଡ଼ଚଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନାନୁସାରେ, ପ୍ରିୟାଂଶିଷ ଆଜି ସକାଳେ ସ୍କୁଟି ଯୋଗେ ଯାଉଥିବା ସମୟରେ ଭାରସା‌ମ୍ୟ ହରାଇ ମଧୁସୂଦନ ପାର୍କ ନିକଟ ରାସ୍ତା ଡିଭାଇଡରରେ ପିଟି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲେ। ମାତ୍ର ହସ୍ପିଟାଲ୍‌ରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରିୟାଂଶିଷଙ୍କ ମୃତ୍ୟୁ ଖବର ଶୁଣି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ହସ୍ପିଟାଲରେ ପହଞ୍ଚିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ। ସେହିଭଳି ଖଣ୍ଡପଡ଼ା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ପରିବାର ପକ୍ଷରୁ କ୍ୟାପିଟାଲ ଚକ୍ଷୁ ବ୍ୟାଙ୍କକୁ ପ୍ରିୟାଂଶିଷଙ୍କ ଚକ୍ଷୁଦାନ କରାଯାଇଥିଲା। ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଜାଗମରାସ୍ଥିତ ବାସଭବନକୁ ଅଣାଯାଇଥିଲା ଏବଂ ସେଠାରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତି ସଭ୍ୟ ଓ ଜନପ୍ରତିନିଧିମାନେ ପ୍ରିୟାଂଶିଷଙ୍କ ଶେଷ ଦର୍ଶନ କରିଥିଲେ। ସତ୍ୟନଗର ଶ୍ମଶାନରେ ମୃତଦେହକୁ ସତ୍କାର କରାଯାଇଥିଲା। ସାନଭାଇ ସାଇକ୍ରିଷ୍ଣା ମୁଖାଗ୍ନି ଦେଇଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଗଭୀର ଶୋକବ୍ୟକ୍ତ କରିଥିବା ବେଳେ ଏଭଳି ଦୁଃଖଦ ସମୟରେ ଭଗବାନ ସୁଶାନ୍ତଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି ଶୋକବାର୍ତ୍ତାରେ କହିଛନ୍ତି। ସେହିଭଳି ବଡ଼ଚଣା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ସୁଶାନ୍ତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe