ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରରେ ଉତ୍ସାହ: ହୋଟେଲ୍‌ରେ ଖାଇବେ ଦେଶୀ ବିଦେଶୀ ଖାଦ୍ୟ

ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରରେ ଉତ୍ସାହ: ହୋଟେଲ୍‌ରେ ଖାଇବେ ଦେଶୀ ବିଦେଶୀ ଖାଦ୍ୟ

Kalinga TV

ଭୁବନେଶ୍ବର: ଭୁବନେଶ୍ବରରେ ୪ଦିନ ରହଣି କାଳରେ ଭାରତ ଓ ଦ. ଆଫ୍ରିକାର ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ପୁଷ୍ଟିକର ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖୁଆଇବା ପାଇଁ ହୋଟେଲ୍ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ସକାଳର ପ୍ରାତଃଭୋଜନଠାରୁ ରାତ୍ରିଭୋଜନ ପର୍ଯ୍ୟନ୍ତ ସ୍ବତନ୍ତ୍ର ମେନୁରେ ଖାଦ୍ୟ ପ୍ରସ୍ତୁତ ଲାଗି ବିଶେଷ ଧ୍ୟାନ ‌ଦିଆଯାଇଛି। ପ୍ରାତଃଭୋଜନରେ ଦକ୍ଷିଣ ଭାରତୀୟ ଜଳଖିଆ ପ୍ରସ୍ତୁତ ହେବ। ଏଥିରେ ଦୋସା, ଇଡ୍‌ଲି, ଉପମା, ପୁରୀ, ଚଟଣୀ ସହ କିଛି ସ୍ବତନ୍ତ୍ର ଓଡ଼ିଆ ‌ଖାଦ୍ୟର ବ୍ୟବସ୍ଥା ହୋଇଛି। ଆଗକୁ ରଜ ଥିବାରୁ ମଣ୍ଡା, କାକରା, ଚକୁଳି ଓ ପ୍ରସିଦ୍ଧ ଛେନାପୋଡ଼ ଉଭୟ ଦଳର ଖେଳାଳିଙ୍କୁ ପରଷାଯିବ। ସୁଗାର ଫ୍ରି’ ମିଠା ଏବଂ ଓଡ଼ିଶାର ରସଗୋଲା ଓ ବିବିଧ ମିଠା ମଧ୍ୟ ଉପଲବ୍ଧ ହେବ। ମୁଖ୍ୟ ଖାଦ୍ୟ ବେ‌ଳକୁ ବଫେଟ୍‌ରେ ବିଭିନ୍ନ ପ୍ରକାର ସୁପ୍‌, ଚାର୍ଟ, ପାସ୍ତା, ବିରିୟାନି ରହିବ। ବିଭିନ୍ନ ଫଳ ଏବଂ ଫଳରସ ମଧ୍ୟ ଖେଳାଳିଙ୍କ ପାଇଁ ଉପଲବ୍ଧ ରହିବ। ମେନୁରେ ପାରମ୍ପରିକ ସୁସ୍ବାଦୁ ଓଡ଼ିଆ ଖାଦ୍ୟ ସହ ଇଟାଲିଆନ୍‌, ମେକ୍ସିକାନ, ମହାଦେଶୀୟ ଓ ଭାରତୀୟ ଖାଦ୍ୟ ମଧ୍ୟ ରହିଛି। ତେବେ ରେଡ୍‌-ମିଟ୍‌ ଖେଳାଳିଙ୍କ ପସନ୍ଦ ନଥିବାରୁ ଏହା ମେନୁରେ ସ୍ଥାନ ପାଇ ନାହିଁ।

ଦ.ଆଫ୍ରିକା ଦଳର ଖେଳାଳିଙ୍କ ମେନୁରେ ରହିବ ଅଧିକାଂଶ ନିରାମିଷ ଖାଦ୍ୟ। ଭାରତୀୟ ଖେଳାଳିଙ୍କ ମେନୁରେ ନିରାମିଷ ଓ ଆମିଷ ଉଭୟ ଖାଦ୍ୟ ରହିବ। ସମସ୍ତ ଖାଦ୍ୟ କମ୍ ମସଲା ଓ ସ୍ବଳ୍ପ ତେଲରେ ତିଆରି ହେବ। ହୋଟେଲ୍ ସେଫ୍‌ଙ୍କ କହିବାନୁସାରେ, ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ୍‌, ଦେଶୀ ଚିକେନ୍‌ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପମ୍ଫ୍ରେଟ୍‌ ମାଛ ଭଳି ଆମିଷ ରହିବ। ସେହିପରି ନିରାମିଷରେ ଡାଲମା, ବଟର୍‌ ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ। ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି।

ପ୍ରାତଃଭୋଜନରେ ଟୋଷ୍ଟେଡ୍‌ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, କ୍ଷୀର, ଦହି, ଜୁସ୍‌, ପଇଡ଼ ପାଣି, ସୁଗାର ଫ୍ରି ଜାମ୍‌, ଇଡଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମଲେଟ, ଅଳ୍ପ ତେଲ ଓ ମସଲାଯୁକ୍ତ ଚିକେନ୍ ତରକାରୀ ପ୍ରସ୍ତୁତ ହେବ। ମଧ୍ୟାହ୍ନ ଭୋଜନରେ ବାସୁମତୀ ସହ ଅନ୍ୟ ୩ପ୍ରକାର ଚାଉଳରେ ଭାତ, କନକା, ରୁଟି, ଗ୍ରିନ୍‌ ସାଲାଡ୍‌, ଓଡ଼ିଆ ଡାଲମା, ହନି ଚିକେନ୍, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରିଲ୍‌ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପମ୍ଫ୍ରେଟ୍‌ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ଆମେରିକାନ ଚପସି, ପ୍ରନ୍ ନୁଡଲ୍ସ ସହ ଖେଳାଳିଙ୍କ ପସନ୍ଦ ଅନୁସାରେ ପ୍ରସ୍ତୁତ ହୋଇଛି।

publive-image

ରାତ୍ରି ଭୋଜନରେ ୩ ପ୍ରକାରର ଚାଉଳରେ ଭାତ, ରୁଟି, ଗ୍ରିନ୍‌ ସାଲାଡ, ସିଝା ଅଣ୍ଡା, ଗ୍ରିଲଡ୍‌ ଚିକେନ୍‌, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରି ଚିକେନ୍, ଗ୍ରିଲଡ୍‌ ମାଛ, ମଟନ ତରକାରୀ, ଚିଙ୍ଗୁଡ଼ି ଓ ପମ୍ଫ୍ରେଟ୍‌ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍‌ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe