ମଧ୍ୟ ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ପରିବେଶର ସୁରକ୍ଷା ସମସ୍ତଙ୍କ ଉତ୍ତରଦାୟିତ୍ୱ

ପରିବେଶର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଋତୁଚକ୍ରରେ ଅନିୟମିତତା ଦେଖାଯାଉଛି। ଭୂତଳ ଜଳସ୍ତର ନିମ୍ନଗାମୀ ହେଲାଣି। ଜଳସ୍ତର ଏତେ ତଳକୁ ଖସିଗଲାଣି ଯେ ନଳକୂଅ....

Untitled-24

ଭୁବନେଶ୍ୱର: ପରିବେଶର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଋତୁଚକ୍ରରେ ଅନିୟମିତତା ଦେଖାଯାଉଛି। ଭୂତଳ ଜଳସ୍ତର ନିମ୍ନଗାମୀ ହେଲାଣି। ଜଳସ୍ତର ଏତେ ତଳକୁ ଖସିଗଲାଣି ଯେ ନଳକୂଅ ଖୋଳିବାକୁ ହେଲେ, ୨୭୦ ଫୁଟରୁ ଅଧିକ ଖୋଳିବାକୁ ପଡ଼ୁଛି। ତେଣୁ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱ ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି।  ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଏନ୍ଏସସି କଲୋନି ପାର୍କରେ  ‘ସମ୍ୱାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ  ବିଧାୟକ ଶ୍ରୀ ଜେନା କହିଲେ ଯେ ପ୍ରତ୍ୟେକ ଘରୁ ପରିବେଶ ସୁରକ୍ଷା ବାର୍ତ୍ତା ଆରମ୍ଭ ହେବା ଉଚିତ। ଘର ଭିତରେ ବର୍ଷା ଜଳ ସଂରକ୍ଷଣ ସହ ଜଳକୁ କିଭଳି ବହୁବାର ବ୍ୟବହାର କରିହେବ, ସେଥିପାଇଁ ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ପଲିଥିନ୍ ବ୍ୟବହାରକୁ ସମୂର୍ଣ୍ଣ ନିଷେଦ୍ଧ କରି କାଗଜ ବ୍ୟାଗ୍‌ଓ ଠୁଙ୍ଗା ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଅଞ୍ଚଳରେ ସାରା ସହରର ବର୍ଜ୍ୟବସ୍ତୁ ଗଦା ହେଉଥିବାରୁ ସଂକ୍ରମଣର ଭୟ ରହୁଛି। ତେଣୁ ସମସ୍ତେ ସଚେତନ ରହିବା ସହିତ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ବୋଲି କହିଥିଲେ। ଏଭଳି କାର୍ଯ୍ୟକ୍ରମ କରିଥିବାରୁ ସେ ‘ସମ୍ୱାଦ’କୁ ଧନ୍ୟବାଦ ଦେଇଥିଲେ। 

ସମ୍ମାନିତ ଅତିଥି କର୍ପୋରେଟର କବିତା ସ୍ୱାଇଁ କହିଥିଲେ, ପରିବେଶ ହେଉଛି ଆମର ଘର। ଏହାର ସୁରକ୍ଷା ପାଇଁ ଆମେ ସମସ୍ତେ ପ୍ରୟାସ କରିବା ଉଚିତ। ନିଜ ଅଞ୍ଚଳରେ ଯେଭଳି ଅଳିଆ, ଆବର୍ଜନା ପଡ଼ି ଦୂଷିତ ନହୁଏ ସେଥିପ୍ରତି ନିଜେ ସଚେତନ ହେବା ସହ ଅନ୍ୟକୁ ବି ସଚେତନ କରିବା ଜରୁରି। ବର୍ତ୍ତମାନ ଖାଦ୍ୟ ପ୍ରଦୂଷଣ ବଢ଼ୁଥିବାରୁ ଜଙ୍କଫୁଡ୍ ନିଜେ ନଖାଇବା ସହିତ ପିଲାମାନଙ୍କୁ ନଦେବାକୁ ସେ ପରାମର୍ଶ ଦେଇଥିଲେ। 

‘ସମ୍ୱାଦ’ ମହାନଗର ସଂସ୍କରଣ ମୁଖ୍ୟ ସରୋଜ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କହିଥିଲେ, ପରିବେଶ ପ୍ରତି ଆମର ଥିବା ଦାୟିତ୍ୱ ଆମେ ନିର୍ବାହ କରୁନାହୁଁ। ପ୍ରକୃତି ଉପରେ ନିର୍ଯାତନା ବଢ଼ୁଥିବାରୁ ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିଚାଲିଛି। ତେଣୁ ଉଚ୍ଚାରଣ ବଦଳରେ ଆଚରଣରେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟା କରିବା।  

‘ସମ୍ୱାଦ’ର ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ବରିଷ୍ଠ ସାମ୍ୱାଦିକ ସୁମନ୍ତ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ସମ୍ବାଦ’ର ସାମ୍ବାଦିକ ପ୍ରିୟଙ୍କା ରାୟ, ଫଟୋ ସାମ୍ୱାଦିକ ନରସିଂହ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe