ଉତ୍ତର ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ: ସତର୍କ ନହେଲେ ବିପର୍ଯ୍ୟୟ

ବର୍ତ୍ତମାନ ପରିବେଶର ବଡ଼ ଶତ୍ରୁ ପାଲଟିଛି ପ୍ଲାଷ୍ଟିକ୍‌। ପ୍ଲାଷ୍ଟିକ୍‌ ବିଷୟରେ ଆମେ ଯଦି କିଛି ନ ଜାଣିବା ତାହେଲେ ପରିବେଶ ସୁରକ୍ଷା ଅସମ୍ଭବ। ପ୍ଲାଷ୍ଟିକ୍‌ର ‌ବ୍ୟବହାର ପରେ ଆମେ ଯେଉଁଠି...

Untitled-23

ଭୁବନେଶ୍ବର: ବର୍ତ୍ତମାନ ପରିବେଶର ବଡ଼ ଶତ୍ରୁ ପାଲଟିଛି ପ୍ଲାଷ୍ଟିକ୍‌। ପ୍ଲାଷ୍ଟିକ୍‌ ବିଷୟରେ ଆମେ ଯଦି କିଛି ନ ଜାଣିବା ତାହେଲେ ପରିବେଶ ସୁରକ୍ଷା ଅସମ୍ଭବ। ପ୍ଲାଷ୍ଟିକ୍‌ର ‌ବ୍ୟବହାର ପରେ ଆମେ ଯେଉଁଠି ପାରୁଛେ, ସେଠାରେ ଫିଙ୍ଗି ଦେଉଛେ। ଫଳରେ କେନାଲ, ଡ୍ରେନ୍‌, କୂଅ, ପୋଖରୀ ଆଦି ପ୍ରଦୂଷିତ ହେଉଛି। ପ୍ରାକୃତିକ ଉପାୟରେ ଏହାର ବିଘଟନ ନ ହେବା କାରଣରୁ ଚାଷଜମି ମଧ୍ୟ ପ୍ରଭାବିତ ହେଉଛି। ଗୋରୁଗାଈ ପ୍ଲାଷ୍ଟିକ୍‌ ଖାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏହା ଦ୍ବାରା ଆମ ପରିବେଶ କେତେ ପରିମାଣର ‌କ୍ଷତି ସହୁଛି ତାହା କଳ୍ପନା ବାହାରେ। ଯଥାସାଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରିବାକୁ ଆମେ ସମସ୍ତେ ଉଦ୍ୟମ କରିବା। ସେହିପରି ପ୍ରକୃତି ଉପରେ ଆମର ଅତ୍ୟାଚାର ଏମିତି ବଢ଼ିଯାଇଛି ଯେ ପ୍ରକୃତି ବି ଆମକୁ ସତର୍କ କରିସାରିଲାଣି। ଛଅ ଋତୁ ବଦଳରେ କେବଳ ଗ୍ରୀଷ୍ମ ଓ ବର୍ଷା ଋତୁ ଅନୁଭୂତ ହେଉଛି। ଏଣୁ ବେଳ ହୁଁ ସାବଧାନ ନହେଲେ ବିପର୍ଯ୍ୟୟ ମାଡ଼ିଆସିବ। ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ଢାୱା ଗ୍ରାମସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ  ଏହା କହିଛନ୍ତି।

‘ସମ୍ବାଦ’ ମହାନଗର ସଂସ୍କରଣ ମୁଖ୍ୟ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ରାଉତ ପ୍ଲାଷ୍ଟିକ୍‌ ବ୍ୟବହାର ସମ୍ପର୍କରେ ଚିନ୍ତା ପ୍ରକଟ କରି କହିଲେ, ଆମ ପରିବେଶର ସୁରକ୍ଷା କରିବା ଆମର ଦାୟିତ୍ବ। ପ୍ରକୃତି ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ପ୍ରକୃତି ସିଧାସଳଖ ଆମକୁ ସତର୍କ କରିସାରିଲାଣି। ଋତୁଚକ୍ରରେ ଅସମ୍ଭବ ପରିବର୍ତ୍ତନ ଆମକୁ ସତର୍କ ହେବା ପାଇଁ ଚେତାବନୀ ଦେଲାଣି। ଏବେଠାରୁ ଯଦି ଆମେ ପରିବେଶ ସମ୍ପର୍କରେ ଚିନ୍ତା ନ କରିବା ତେବେ ଏହାର ପରିଣାମ ଆମେ ଓ ଆମ ଉତ୍ତର ପିଢ଼ି ଭୋଗିବେ। ଆମେ ଆସିଲା ବେଳେ ଯେମିତି ପୃଥିବୀ ପାଇଥିଲେ, ତା’ଠାରୁ ଏକ ସୁନ୍ଦର ପୃଥିବୀ ଆମ ଉତ୍ତର ପିଢ଼ିଙ୍କ ପାଇଁ ଦେବା ଆମ ଦାୟିତ୍ବ। ଏଣୁ ପୃଥିବୀକୁ ସବୁଜମୟ କରିବା ଲାଗି ଆମେ ଏବେଠାରୁ ସଂକଳ୍ପ ନେବା ଜରୁରି। ଏଣୁ ବୃକ୍ଷରୋପଣକୁ ବ୍ୟାପକ କରିବା ସହ ଏହାର ସୁରକ୍ଷା ଦାୟିତ୍ବ ଆମ ସଭିଙ୍କୁ ନେବାକୁ ହେବ। ବୃକ୍ଷରୋପଣ କେବଳ ସୋସିଆଲ୍‌ ମିଡିଆରେ ସୀମିତ ନରହୁ। ପରିବେଶର ସୁରକ୍ଷା ପାଇଁ ଇଷ୍ଟର୍ଣ୍ଣ ମିଡିଆ ଲମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆୟୋଜିତ ଏହି ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ନିଶ୍ଚିତରୂପେ ସମସ୍ତଙ୍କୁ ପରିବେଶମନସ୍କ କରିବ ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି।

କଲ୍ୟାଣପୁର ସରପଞ୍ଚ ଦେବରାଜ ଭୋଇ, ସମାଜସେବୀ ପ୍ରତାପ ଚନ୍ଦ୍ର ରାଉତ, ସୁବାସ ପାତ୍ର, ରାଜକିଶୋର ସ୍ବାଇଁ, ପୂର୍ବତନ ସରପଞ୍ଚ ବସନ୍ତ ସାସମଲ, ଜ୍ଞାନରଂଜନ ରାଉତ, ପୂର୍ବତନ ସରପଞ୍ଚ ଗୋପୀନାଥ ଦାଶ, ମାଧବାନନ୍ଦ ରାଉତ, ସୁଶୀଲ ଭୋଇ ଓ ସୁବାସ ସାହୁ ପ୍ରମୁଖ ପରିବେଶ ସତେତନତା ସମ୍ପର୍କରେ ମତ ରଖିଥିଲେ। ବର୍ଷା ସତ୍ତ୍ବେ ଉତ୍ତର ନିର୍ବାଚନମଣ୍ଡଳୀର ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପରିବେଶ ସମ୍ପର୍କିତ ବିଭିନ୍ନ ଆହ୍ବାନ ଉପରେ ମତ ରଖିଥିଲେ।  ‘ସମ୍ବାଦ’ ମହାନଗର ସଂସ୍କରଣର ମୁଖ୍ୟ ଶ୍ରୀ ଦାଶ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ‘ସମ୍ବାଦ’ ବରିଷ୍ଠ ସାମ୍ବାଦିକ କେଶବ ପାଣି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ‘ସମ୍ବାଦ’ ପ୍ରତିନିଧି ବିଦ୍ୟାଧର ବାରିକ, ରୁଦ୍ରରଂଜନ ଷଡ଼ଙ୍ଗୀ, ବିଭୂତି ସାହୁ ଓ ଦେବଦଳନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe