ଦୁର୍ନୀତିଖୋର୍‌ଙ୍କୁ ମହାମାରୀ ସୁଯୋଗ, ଠୁଳ କଲେଣି ବିପୁଳ ସମ୍ପତ୍ତି

Advertisment

ଭିଜିଲାନ୍ସ ପାଖରେ ପୁଳାପୁଳା ଅଭିଯୋଗ

ଭିଜିଲାନ୍ସ ପାଖରେ ପୁଳାପୁଳା ଅଭିଯୋଗ

ରାଜନୀତିକୁ ଦୁର୍ନୀତି ବିପଦ, ଚର୍ଚ୍ଚାରେ ଓଡ଼ିଶା ରାଜନୀତି: ୨୦୦୧ରୁ ୨୦୨୨

ଏପ୍ରିଲରେ ୯ ମାମଲା, ମେ’ରେ ଶୂନ
ପୁଲିସ୍‌ ସକ୍ରିୟ, ଭିଜିଲାନ୍ସ କେବେ?

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରରେ ଲୋକେ ଜୀବନଜୀବିକା ପାଇଁ ସଂଘର୍ଷ ଚଳାଇଥିବା ବେଳେ ଦୁର୍ନୀତିଖୋର୍‌ମାନେ ଏହାକୁ କଳାଟଙ୍କା ଠୁଳ କରିବାର ସୁବର୍ଣ୍ଣ ସୁଯୋଗ ଭାବେ ବାଛି ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଉନ୍ନୟନ ସମବାୟ ନିଗମ(ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତି ନଗଦ ୧୮ ଲକ୍ଷ ୮୦ ହଜାର ଟଙ୍କା ଧରି ଭୁବନେଶ୍ବର ଆସୁଥିବା ବେଳେ ତାଙ୍କୁ ଭିଜିଲାନ୍ସ ମାଡ଼ି ବସିଥିଲା। ଏତେ ଟଙ୍କା ସେ କ’ଣ ପାଇଁ ଆଣୁଥିଲେ, ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଭୁବନେଶ୍ବରରେ ନିର୍ମାଣାଧୀନ ତିନି ମହଲା କୋଠାର କାମ ପାଇଁ ଟଙ୍କା ଆଣୁଥିବା ଅନୁମାନ କରାଯାଉଛି।

ଇଏ କେବଳ ଗୋଟିଏ ବିଭାଗର ଜଣେ ଅଧିକାରୀଙ୍କ କଳା କାହାଣୀ। କିନ୍ତୁ ଏମିତି ଅନେକ ବିଭାଗର ଦୁର୍ନୀତିଖୋର୍‌ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବଳ ଯୋଗାଇଛି ମହାମାରୀ କରୋନା। ଏବେ ଦୁର୍ନୀତି, ଲାଞ୍ଚ କାରବାର ସମ୍ପର୍କରେ ଭିଜିଲାନ୍ସ ପାଖରେ ପୁଳାପୁଳା ଅଭିଯୋଗ ଗଦା ହେଲାଣି। ମାତ୍ର ଗୋଟିଏ ପଟରେ ଅଧିକାରୀମାନେ ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଅନ୍ୟପଟରେ ଦୁର୍ବଳ ହୋଇପଡ଼ିଛି ଭିଜିଲାନ୍ସ।

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଜାନୁଆରିରୁ ଏପ୍ରିଲ ସୁଦ୍ଧା ରାଜ୍ୟରେ ଭିଜିଲାନ୍ସରେ ମୋଟ ୬୧ଟି ମାମଲା ରୁଜୁ ହୋଇଛି। ସେଥିରୁ ୪୫ଟି ଲାଞ୍ଚ ମାମଲା ଓ ୧୬ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ଜାନୁଆରିରେ ୨୧, ଫେବ୍ରୁଆରିରେ ୧୫, ମାର୍ଚ୍ଚରେ ୧୬ ଓ ଏପ୍ରିଲରେ ୯ଟି ମାମଲା ରୁଜୁ ହୋଇଛି। ଏପ୍ରିଲ ୧୯ ପରଠାରୁ ଆଉ ମାମଲା ରୁଜୁ ହୋଇ ନଥିବା ବେଳେ ଜୁନ୍ ୨ତାରିଖରେ ସୁନ୍ଦରଗଡ଼ରେ ଭିଜିଲାନ୍ସ ହାତରେ ଟିଡିସିସିର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତି ଧରାପଡ଼ିଛନ୍ତି।

ଏ ସମ୍ପର୍କରେ ଭିଜିଲାନ୍ସର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କିନ୍ତୁ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି, ଦ୍ବିତୀୟ ଲହର ସଂକ୍ରମଣ ଅଧିକ ଥିବାରୁ ଭିଜିଲାନ୍ସ ଚଢ଼ଉ କରାଯାଇ ନଥିଲା। ସେହିପରି ୩୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲୁଛି। ସ୍ବାଭାବିକ ହେଲା ପରେ ପୁଣି ଭିଜିଲାନ୍ସ ସକ୍ରିୟ ହେବ ବୋଲି କୁହାଯାଉଛି। କିନ୍ତୁ ବିଭିନ୍ନ ସୂତ୍ରରୁ ଆସୁଥିବା ଲାଞ୍ଚ ଅଭିଯୋଗର ବିଳମ୍ବରେ ତଦନ୍ତ ହେଲେ ଭିଜିଲାନ୍ସକୁ ସେତେଟା ସଫଳତା ମିଳି ନ ପାରେ ।

ସୂଚନାଯୋଗ୍ୟ, ୨୦୨୦ରେ ଭିଜିଲାନ୍ସ ରାଜ୍ୟରେ ୩୧୮ ଜଣଙ୍କ ବିରୋଧରେ ୨୪୫ ମାମଲା ରୁଜୁ କରିଥିଲା। ସେମାନଙ୍କ ଭିତରେ ୫୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୩୭ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ ରହିଥିଲେ। ୯୩ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୨୩କୋଟି ୯୧ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା। ସେଥିରୁ ବହିଷ୍କୃତ ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକଙ୍କ ମାମଲା ସବୁଠୁ ବଡ଼ ଥିବା ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଥିଲା। ସେହି ବର୍ଷ ୧୦୩ଟି ଲାଞ୍ଚ ମାମଲା ରୁଜୁ ହୋଇଥିଲା। ସରକାରୀ ସମ୍ପତ୍ତି ଜାଲିଆତି, ହଡ଼ପ ସଂକ୍ରାନ୍ତରେ ୪୯ମାମଲା ରୁଜୁ ହୋଇଥିଲା। ୧୫୩ଟି ମାମଲାରେ ୨୦୪ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଗତବର୍ଷ କରୋନା କଟକଣା କୋହଳ ହେବା ପରେ ରାଜ୍ୟରେ ଭିଜିଲାନ୍ସ ଚଢ଼ଉ ଜୋରଦାର ହୋଇଥିଲା। ଏ ବର୍ଷ ମଧ୍ୟ କରୋନା କଟକଣା କୋହଳ ହେବା ପରେ ଭିଜିଲାନ୍ସ ପୂର୍ବପରି ସକ୍ରିୟ ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମୁଖା ଖୋଲିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe