ବିଏମ୍‌ସି ନିର୍ବାଚନ ପାଇଁ ମତଦାନ ବେଳେ ଇଭିଏମ୍‌ରେ ତ୍ରୁଟି, ମତଦାନ ବିଳମ୍ବ

Advertisment
ବିଏମ୍‌ସି ନିର୍ବାଚନ ପାଇଁ ମତଦାନ ବେଳେ ଇଭିଏମ୍‌ରେ ତ୍ରୁଟି, ମତଦାନ ବିଳମ୍ବ

ଭୁବନେଶ୍ୱର : ୩ ଦିନ ଧରି ଇଭିଏମ୍‌ କମିସନିଂ ହେଲା। ମତଦାନ ପୂର୍ବରୁ ମକ୍‌ ପୋଲିଂ ବି ସଫଳ ହେଲା। ସବୁ ପ୍ରସ୍ତୁତି ଶେଷ ପରେ ଯେତେବେଳେ ମତଦାନ ଆରମ୍ଭ ହେଲା ସେତେବେଳେ ମେସିନ୍‌ ଆଉ ଚାଲିଲାନି। କେଉଁଠି ମତଦାତାଙ୍କୁ ଭୋଟିଂ ହୋଇଥିବା ଦେଖାଉଥିବା ବେଳେ ପୁଲିଂ ଅଫିସର ପାଖରେ ଦେଖାଉନଥିଲା। ଆଉ କେଉଁଠି ଜମା ଭୋଟ୍‌ ଦେଇ ହେଲା ନାହିଁ। ଏଭଳି ୧୫ରୁ ଊର୍ଦ୍ଧ୍ବ ଜାଗାରେ ଇଭିଏମ୍‌ ତ୍ରୁଟି ହେବାରୁ ମତଦାନ ବିଳମ୍ବ ହୋଇଥିଲା। ନୂଆପଲ୍ଲୀ, ଜାଗମରା, ଝାରପଡ଼ା, ୱାର୍ଡ ନମ୍ବର୧୧, ୧୮ ଓ ୩୨, କଳିଙ୍ଗ ଷ୍ଟାଡିୟମ ପ୍ରଭୃତି ବୁଥରେ ଅଧିକ ସମୟ ବିଳମ୍ବ ହୋଇଥିଲା। ତେବେ ଆଇଆର୍‌ସି ଭିଲେଜ୍‌ର ଏକ ବୁଥ୍‌ରେ ‌ଇଭିଏମ୍‌ କାମ କରି ନଥିଲା। ପ୍ରିଜାଇଡିଂ ଅଫିସର ଭିଡିଓ କଲ୍‌ କରି ମେକାନିକ୍‌କୁ ମେସିନ୍‌ ଦେଖାଇଥିଲେ। ହେଲେ କିଛି ଲାଭ ହୋଇନଥିଲା। ଶେଷରେ ସଂରକ୍ଷିତ ଥିବା ମେସିନ୍‌ ଆସିବା ପରେ ଭୋଟିଂ ହୋଇଥିଲା। ମତଦାତାମାନେ ଦୀର୍ଘ ସମୟ ଧରି ବୁଥ୍‌ରେ ବସି ରହିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। କେତେକ ମତଦାନ ଅଧିକାରରୁ ବଞ୍ଚିତ ହୋଇ ଫେରି ଯାଇଥିଲେ।

ସେହିଭଳି ୬୭ ନମ୍ବର ୱାର୍ଡର ୬୯୯ ନମ୍ବର ବୁଥ୍‌, ମା’ ଭୁଆଷୁଣି ହାଇସ୍କୁଲ, ପୋଖରୀପୁଟ ସରକାରୀ ୟୁପି ସ୍କୁଲର ୬୪୩ ନଂ ବୁଥ୍‌ରେ ପ୍ରାୟ ୨୦ମିନିଟ୍‌ ଧରି ମେସିନ କାମ କରିନଥିଲା।

publive-image

ପାଣି ନାହିଁ କି ଛାଇ ନାହିଁ
ଗୁରୁବାର ଦିନ ବିଭିନ୍ନ ବୁଥ୍‌ରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିଲା। ଅଧିକାଂଶ ମତଦାନ କେନ୍ଦ୍ରରେ ପାଣି ବ୍ୟବସ୍ଥା ନଥିଲା କିମ୍ବା ଛାଇ ହେବା ଭଳି ସାମିଆନାର ବନ୍ଧା ଯାଇନଥିଲା। ଫଳରେ ପାଣି ଓ ଛାଇ ପାଇଁ ଭୋଟର ହନ୍ତସନ୍ତ ହୋଇଥିବା ଦେଖାଯାଇଥିଲା। ଧାଡ଼ିରେ ଛିଡ଼ା ହୋଇଥିବା ଭୋଟରମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଧ୍ୟ ଥିଲେ। ସେମାନେ ଧାଡ଼ିରୁ ବାହାରି ଆଗ ଭୋଟ୍‌ ଦେବାପାଇଁ ଚାହିଥିଲେ। ହେଲେ ଦୀର୍ଘ ସମୟ ଧରି ଅନ୍ୟ ଭୋଟରମାନେ ଛିଡ଼ା ହୋଇଥିବାରୁ ସେମାନେ ବରି‌ଷ୍ଠ ନାଗରିକମାନଙ୍କୁ ଆଗରେ ଛାଡ଼ିନଥିଲେ। ଫଳରେ ଖରାରେ ବରିଷ୍ଠ ନାଗରିକମାନେ ଛିଡ଼ା ହୋଇଥିଲେ। ଆଜି ୧୧ଟାରୁ ପ୍ରାୟ ୪ଟା ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହୋଇଥିଲା।

ଭୋଟ୍‌ କେନ୍ଦ୍ର ସମ୍ମୁଖରୁ ହଟିଲାନି ପ୍ରାର୍ଥୀଙ୍କ ପୋଷ୍ଟର

ଭୁବନେଶ୍ବର : ଭୋଟ୍‌ କେନ୍ଦ୍ର ସମ୍ମୁଖରୁ ହଟିଲାନି ପ୍ରାର୍ଥୀଙ୍କ ପୋଷ୍ଟର। ଭୋଟ୍‌ଦାନ ସମୟରେ ବିଭିନ୍ନ କେନ୍ଦ୍ର ସମ୍ମୁଖରେ ପ୍ରାର୍ଥୀଙ୍କ ପୋଷ୍ଟର ମରା ଯାଇଥିବାର ଦେଖିବାକୁ ମିଳିଥିଲା। ପୁରୁଣା ଭୁବନେଶ୍ବରର ପ୍ରାୟ ସମସ୍ତ ଭୋଟ୍‌ କେନ୍ଦ୍ର ସମ୍ମୁଖରେ ବିଭିନ୍ନ ପ୍ରାର୍ଥୀଙ୍କ ପୋଷ୍ଟର ସାଙ୍ଗକୁ ଦଳୀୟ ପତକା ଝୁଲି ଥିବାର ଦେଖିବାକୁ ମିଳିଥିଲା। ସଚେତନ ନାଗରିକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe