ପ୍ରମୋଦ ନାଁ’ରେ କମ୍ପିଲା ଇଏସ୍‌ଆଇସି ଷ୍ଟାଫ୍ କ୍ବାର୍ଟର୍ସ

Advertisment
ପ୍ରମୋଦ ନାଁ’ରେ କମ୍ପିଲା ଇଏସ୍‌ଆଇସି ଷ୍ଟାଫ୍ କ୍ବାର୍ଟର୍ସ

ଭୁବନେଶ୍ବର, ୪।୯(ଇମିସ): ନା ଥିଲା କୌଣସି ଉତ୍ସବ ନା କାହାର ବାହାଘର ହେଉଥିଲା। କିନ୍ତୁ ଅପରାହ୍‌ଣ ପ୍ରାୟ ୨ଟା ୩୦ରୁ କମ୍ପୁଥିଲା ଇଏସ୍‌ଆଇସି ଷ୍ଟାଫ୍ କ୍ବାର୍ଟର୍ସ। ଗୋଟିଏ ମୁହୂର୍ତ୍ତ ପାଇଁ ବି ଶାନ୍ତ ପଡ଼ିନଥିଲା କ୍ବାର୍ଟର୍ ନଂ ବି-୮। ସବୁର ମୂଳ କାରଣ ଥିଲେ ପାରାଲିମ୍ପିଆନ୍ ପ୍ରମୋଦ ଭଗତ। ଟୋକିଓର ୟୋୟୋଗି ନ୍ୟାସନାଲ୍ ଷ୍ଟାଡିୟମ୍‌ରେ ପ୍ରମୋଦ ପରାକ୍ରମ ଦେଖାଇ ଗୋଟିଏ ପରେ ଗୋଟିଏ ପଏଣ୍ଟ୍ ଅର୍ଜନ କରୁଥିଲେ ସତ ମାତ୍ର ଆଇଆର୍‌ସି ଭିଲେଜର କ୍ବାର୍ଟର୍ ନଂ ବି-୮ରେ ଶୁଭୁଥିଲା ବିଜୟର ସ୍ବର। ପ୍ରମୋଦ ଅର୍ଜନ କରୁଥିବା ପ୍ରତିଟି ପଏଣ୍ଟ୍‌ରେ ଝୁମି ଉଠୁଥିଲେ କୋଠରିରେ ବସିଥିବା ସମସ୍ତ ସଦସ୍ୟ। ଯେତେବେଳେ ଦ୍ବିତୀୟ ସେଟ୍‌ରେ ପ୍ରମୋଦ ବ୍ରିଟେନ୍‌ର ପ୍ରତିପକ୍ଷ ଖେଳାଳି ଡାନିଏଲ୍ ବେଠେଲ୍‌ଙ୍କଠାରୁ ପ୍ରାୟ ୮ ପଏଣ୍ଟ୍ ପଛ‌ରେ ଥିଲେ, ସମସ୍ତେ ଶାନ୍ତ ପଡ଼ିଯାଇଥିଲେ। ଗମ୍ଭୀର କଣ୍ଠରେ କହୁଥିଲେ ବୋଧ ହୁଏ ଦ୍ବିତୀୟ ସେଟ୍‌ଟି ଆମ ହାତରୁ ଚାଲିଗଲା। ମାତ୍ର ପ୍ରଶିକ୍ଷକ ଶିବପ୍ରସାଦ ଦାସ ଗୋଟିଏ ଲୟରେ ଖେଳ ଦେଖୁଥିଲେ ଏବଂ କହୁଥିଲେ ସେ ନିଶ୍ଚୟ ଜିତିବ। ସତରେ ସେଇଆ ହିଁ ହେଲା। ହଠାତ୍ ଅବିଶ୍ବସନୀୟ ଭାବେ ଲଗାତାର୍ ଗୋଟିଏ ପରେ ଗୋଟିଏ ପଏଣ୍ଟ୍ ଦେଇ ବେଠେଲ୍‌ଙ୍କୁ ୨୧-୧୭ରେ ପରାସ୍ତ କରି ସୁନାର ପଦକ ହାତେଇଥିଲେ ପ୍ରମୋଦ।

ପ୍ରାୟ ୪୫ ମିନିଟ୍‌ର ଏହି ଖେଳରେ ପ୍ରମୋଦ ପ୍ରଥମ ସେଟ୍‌କୁ ଏକତରଫା ଭାବେ ମାତ୍ର ୨୧ ମିନିଟ୍‌ରେ ଜିତି ନେଇଥିଲା ବେଳେ ଦ୍ବିତୀୟ ସେଟ୍ ସଂଘର୍ଷପୂର୍ଣ୍ଣ ଥିଲା। ମୋଟ ୪୫ମିନିଟ୍‌ର ଖେଳରେ ଓଡ଼ିଆ ପୁଅ ପ୍ରମୋଦ ତାଙ୍କ ସ୍ପିଡ୍ ଓ ଦକ୍ଷତାରେ ବେଠେଲ୍‌ଙ୍କୁ ପରାସ୍ତ କରିଥିଲେ। ପାରାଲିମ୍ପିକ୍‌ରେ ବ୍ୟାଡ୍‌ମିଣ୍ଟନ୍‌ରେ ଭାରତ ପ୍ରଥମଥର ସ୍ବର୍ଣ୍ଣ ଜିତିବା ପରେ ପ୍ରଶିକ୍ଷକ ଶିବପ୍ରସାଦଙ୍କ ଆଖି ଓଦା ହୋଇଯାଇଥିଲା। ବିଜୟର ପରିଭାଷାକୁ ସେ ଶବ୍ଦରେ ବର୍ଣ୍ଣନା କରିପାରୁନଥିଲେ ବି ତାଙ୍କ ଲୁହ ସବୁ କିଛି ସ୍ପଷ୍ଟ କରି ଦେଉଥିଲା। ଶିବପ୍ରସାଦଙ୍କ ବ୍ୟତୀତ କୋଠରିରେ ପ୍ରମୋଦଙ୍କ ଭାଇ ଶେଖର ଭଗତ୍, ଅନ୍ୟତମ ପାରା ଆଥଲେଟ୍ ରାଖାଲ କୁମାର ସେଠୀଙ୍କ ସମେତ ଦୀର୍ଘ ୧୦ ବର୍ଷର ବ୍ୟାଡ୍‌ମିଣ୍ଟନ୍ ଯୋଡ଼ିଦାର ତଥା ବନ୍ଧୁ ସୁନିଲ ପ୍ରଧାନ ଉପସ୍ଥିତ ଥିଲେ। ତାଙ୍କ ବିଜୟ ପରେ ସ୍ଥାନୀୟ ଅଞ୍ଚଳର ଲୋକେ ବାଣ ଫୁଟାଇ ଖୁସି ମନାଇବା ସହ ପରସ୍ପରକୁ କେକ୍ କାଟି ଖୁଆଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe