ପଦାକୁ ଆସିଲା ଜୟଦେବ ବିଜେଡି କନ୍ଦଳ, ପୃଥକ୍‌ ହୋଇ ପାଳିଲେ ପ୍ରତିଷ୍ଠା ଦିବସ

ପ୍ରତି ପଞ୍ଚାୟତରେ ଏକାଧିକ ଆଶାୟୀ: ବିଜେଡିର ଅନ୍ତଃକନ୍ଦଳ ବୁମେରାଂ ହୋଇପାରେ

The News Room

ବାଲିଅନ୍ତା/ବାଲିପାଟଣା: ଜୟଦେବ ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଜେଡି ଗୋଷ୍ଠୀ କନ୍ଦଳ ଆଜି ପଦାକୁ ଫୁଟି ବାହାରିଛି। ଗୋଟିଏ ନିର୍ବାଚନମଣ୍ଡଳୀ ହୋଇଥିଲେ ହେଁ ଦୁଇଗୋଷ୍ଠୀ ଅଲଗା ଅଲଗା ହୋଇ ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ତେଣୁ ଆଜି ଏହି ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ପାଣିପାଗ ସରଗରମ ହୋଇପଡ଼ିଛି। ନେତୃମଣ୍ଡଳୀ ମାପିଚୁପି ଏହି ଦଳୀୟ କନ୍ଦଳକୁ ଚାପି ରଖିବାକୁ ଉଦ୍ୟମ କରିଥିଲେ ବି ଦୁଇ ଗୋଷ୍ଠୀର ପୃଥକ୍‌ ସଭା ଆୟୋଜନକୁ ନେଇ ଭିତରେ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି।

ଆଜି ପୂର୍ବାହ୍ନରେ ବାଲିପାଟଣା ଗିରିଙ୍ଗେଶ୍ବରୀଙ୍କ ମନ୍ଦିର ପ୍ରାଙ୍ଗଣରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ସଭାର ଆୟୋଜନ ହୋଇଥିଲା। ଜୟଦେବ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ବଇଁଚୁଆ ସରପଞ୍ଚ ସ୍ବର୍ଗତ ବିଜୟ ସାହୁଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ବିଶିଷ୍ଟ କଣ୍ଠଶିଳ୍ପୀ ତାନ୍‌ସେନ ସିଂହଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ। ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ୫୦ଜଣ କର୍ମୀଙ୍କୁ ବିଧାୟକ ସ୍ବାଗତ ଜଣାଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ଭାଗ୍ୟଲକ୍ଷ୍ମୀ ମିଶ୍ର, ବ୍ଲକ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ବାଇଁ, ମଝିହରା ସମିତି ସଭ୍ୟ ଦୀପ୍ତିମାନ ପୃଷ୍ଟି, ଜୟଦେବ ସରପଞ୍ଚ ପ୍ରଜ୍ଞା ପାରମିତା‌ ଜେନାମଣି, ମିର୍‌ ନାସିର୍‌ ଅଲ୍ଲୀ, ଭାଗୀରଥି ପାତ୍ର, ଅନୁସୂଚିତ ଯୁବମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ସେଠୀ, ପ୍ରକାଶ ସେଠୀ , ବ୍ଲକ ଯୁବ ସଭାପତି ରଞ୍ଜିତ ଜେନା, ସନ୍ଦୀପ୍ତ ସେନାପତି, ସଦାଶିବ ଦାଶ, ରାନୁ ବଳିୟାରସିଂହ, ମାନସ ନାୟକ, ସମିତି ସଭ୍ୟ ବାବୁରାମ ମଲ୍ଲିକ, ସୌମ୍ୟରଂଜନ ମହାନ୍ତି, ମନ୍ଦୋଦରି ଦେଇ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶରତ ଚନ୍ଦ୍ର ପଟ୍ଟନାୟକ, ସଂଜିତ କୁମାର ପାତ୍ର, ବିଧାୟକଙ୍କ ବାଲିପାଟଣା ପ୍ରତିନିଧି ପ୍ରତାପ କିଶୋର ନାୟକ ଓ ବାଲିଅନ୍ତା ପ୍ରତିନିଧି ଅଚ୍ୟୁତାନନ୍ଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଅନୁରୂପ ଭାବେ ଆଜି ଅପରାହ୍‌ଣରେ ବାଲିଅନ୍ତା ବ୍ଲକର ଗଡ଼ଶ୍ରୀରାମପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ବାଲିପାଟଣା ବ୍ଲକ ବିଜେଡି ସଭାପତି ନବକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇନଜୀବୀ କୈଳାସ ଚନ୍ଦ୍ର ପାତ୍ର, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣୀ, ଛାତ୍ର ବିଜେଡି ସଭାପତି ଜ୍ୟୋତିରଂଜନ ନାୟକ, ବାଲିପାଟଣା ଛାତ୍ର ବିଜେଡି ସଭାପତି ପ୍ରୀତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ବିଜେଡି ନେତା ଚନ୍ଦନ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ଜନପ୍ରତିନିଧି, ମହିଳା ମଣ୍ଡଳ ସଭାନେତ୍ରୀ ଏଥିରେ ଯୋଗ ଦେଇଥିଲେ। ଦଳୀୟ କନ୍ଦଳ ପ୍ରସଙ୍ଗକୁ ଏଡ଼ାଇବାକୁ ଯାଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ବଳବନ୍ତରାୟ କହିଥିଲେ ଯେ ଦଳର ବ୍ୟାପକତା ଦୃଷ୍ଟିରୁ ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ କରିବାରେ କିଛି ସମସ୍ୟା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe