ମିଠା ଦୋକାନରେ ଚଢ଼ଉ: ନୋଟିସ୍‌, ନଷ୍ଟ, ଜରିମାନା

ଦୀପାବଳିରେ ମିଠାର ଚାହିଦା ରହିଛି। ଏହି ସମୟରେ ଲାଭଖୋର୍ ଓ ଅସାଧୁ ବ୍ୟବସାୟୀମାନେ ଖାଦ୍ୟର ମାନ ଠିକ୍ ରଖୁ ନାହାନ୍ତି। ବାସି ମିଠାକୁ ସଜ କହି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ମିଠା ଦୋକାନରେ ଚଢ଼ଉ ଜାରି ରହିଛି।

adadzxx

ଭୁବନେଶ୍ବର: ଦୀପାବଳିରେ ମିଠାର ଚାହିଦା ରହିଛି। ଏହି ସମୟରେ ଲାଭଖୋର୍ ଓ ଅସାଧୁ ବ୍ୟବସାୟୀମାନେ ଖାଦ୍ୟର ମାନ ଠିକ୍ ରଖୁ ନାହାନ୍ତି। ବାସି ମିଠାକୁ ସଜ କହି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ମିଠା ଦୋକାନରେ ଚଢ଼ଉ ଜାରି ରହିଛି। ଲଗାତାର ତୃତୀୟ ଦିନ ପାଇଁ ଆଜି ସହରର ବିଭିନ୍ନ ଅଞ୍ଚଳରେ ଥିବା‌ ଦୋକାନ ଉପ‌ରେ ଚଢ଼ଉ କରାଯାଇ ଯାଞ୍ଚ ହୋଇଛି। ତିନି ଦିନରେ ୫୨ଟି ନମୁନା ସଂଗ୍ରହଣ କରାଯିବା ସହ ୪୦ କେଜି ମିଠା ନଷ୍ଟ କରାଯାଇଛି। ୧୨ଜଣଙ୍କୁ ନୋଟିସ୍‌ ହୋଇଛି ଏବଂ ୧୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ନୟାପଲ୍ଲୀ, ଡେଲଟା ଛକ, ଘାଟିକିଆ, ଭରତପୁର, ଶୈଳଶ୍ରୀବିହାର, ଜୟଦେବ ବିହାର, ସିଆରପିଏଫ୍‌ ଛକ, ପଟିଆ, କିଟି ଛକ ଓ ନନ୍ଦନବିହାର ଅଞ୍ଚଳରେ ଥିବା ମିଠା ଦୋକାନ ସହ ମିଠା ପ୍ରସ୍ତୁତ ହେଉଥିବା ସ୍ଥାନକୁ ଗସ୍ତ କରି ଯାଞ୍ଚ କରିଥିଲେ। କେଉଁ ପରିବେଶରେ ଓ କିଭଳି ଭାବେ ମିଠା ତିଆରି କରାଯାଉଛି ତାହା ଅନୁଧ୍ୟାନ କରିଥିଲେ। ଦୁଇ ଦିନ ତଳେ ବିଏମ୍‌ସିର ଟିମ୍‌ ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ଜୟଦେବ ବିହାର, ସିଆରପିଏଫ୍‌ ଅଞ୍ଚଳରେ ଯାଞ୍ଚ କରିଥିଲେ। ମୋଟ ୩୧ଟି ଦୋକାନରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ତାହାକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଏଥିସହ ଦୋକାନଗୁଡ଼ିକ ସ୍ବଚ୍ଛତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ସେତିକି ନୁହେଁ, ବାପୁଜୀନଗରରେ ଥିବା ଦୋକାନ ଉପରେ ଚଢ଼ଉ କରାଯାଇ ଇତିମଧ୍ୟରେ ୧୦ କେଜି ଖାଦ୍ୟ ନଷ୍ଟ କରାଯାଇଥିଲା। 

ଭୁବନେଶ୍ବର ମେୟର ସୁଲୋଚନା ଦାସ ଗଣମାଧ୍ୟମରେ କହିଛନ୍ତି ଯେ ମିଠା ଦୋକାନୀମାନେ ସମସ୍ତ ପ୍ରକାର ମିଠା ଉପରେ ପ୍ରସ୍ତୁତି ଓ ଏକ୍ସପାଏରି ତାରିଖ ଲେଖିବା ବାଧ୍ୟତାମୂଳକ। ବାସି, ଅପମିଶ୍ରିତ ଓ ରାସାୟନିକ ରଙ୍ଗ ଦିଆଯାଇଥିବା ମିଠା ଗ୍ରାହକଙ୍କୁ ନ ବିକିବା ପାଇଁ ଅନୁରୋଧ କରାଯାଇଛି। ତା’ପରେ ବି କିଛି ବେପାରୀଙ୍କ ଲାଭଖୋର ମନବୃତ୍ତି ଯାଇ ନାହିଁ। ତେଣୁ ବିଏମ୍‌ସିର ସ୍ୱତନ୍ତ୍ର ଫୁଡ୍‌ ସ୍କ୍ୱାଡ୍ ସହରର ବିଭିନ୍ନ  ମିଠା ଦୋକାନ ଉପରେ ଚଢ଼ଉ ଜାରି ରଖିଛନ୍ତି। ଯେଉଁଠି କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି ସେଠାକାର ଦୋକାନୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଆବଶ୍ୟକ ପଡ଼ିଲେ ଦୋକାନ ସିଲ୍ କରିବାକୁ ମଧ୍ୟ ବିଏମ୍‌ସି ପଛେଇବ ନାହିଁ। ଗ୍ରାହକଙ୍କୁ ନ ଠକିବାକୁ ମେୟର ଅନୁରୋଧ କରିବା ସହ କାର୍ଯ୍ୟାନୁଷ୍ଠାନର ଚେତବାନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe