ଭୁବନେଶ୍ବର: ଶ୍ମଶାନରେ ଶବଦାହ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ତିଆରି ହେବ। ସହରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ଭୁବନେଶ୍ବରରେ ପରିବେଶ ଅନୁକୂଳ ଆଦର୍ଶ ଶ୍ମଶାନ ଭିତ୍ତିଭୂମି ପ୍ରସ୍ତୁତ ହେବ। ପ୍ରଦୂଷଣ ରୋକିବାକୁ କାଠ ବଦଳରେ ଗ୍ୟାସ୍ରେ ଶବଦାହ ହେବ। କୋଭିଡ୍ଜନିତ ମୃତ୍ୟୁ ସମୟରେ ଶବଦାହ ପାଇଁ ସତ୍ୟନଗର ଶ୍ମଶାନ ଉପରେ ଅତ୍ୟଧିକ ଚାପ ଓ ଆତ୍ମୀୟସ୍ବଜନଙ୍କ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଏହି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି, କିନ୍ତୁ ଶ୍ମଶାନର ଏହି ଅତ୍ୟାଧୁନିକ ଭିତ୍ତିଭୂମି ପୂର୍ଣ୍ଣାଙ୍ଗ ରୂପ ନେଇପାରିନି। ବର୍ଷ ବର୍ଷ ହେଲାଣି ଅଧାଗଢ଼ା ଅବସ୍ଥାରେ ଶ୍ମଶାନ ସବୁ ପଡ଼ିଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ମୁଖ୍ୟାଳୟ ସମ୍ମୁଖ ସତ୍ୟନଗର ଶ୍ମଶାନ ଏହାର ଜ୍ବଳନ୍ତ ଉଦାହରଣ। ଅଦ୍ୟାବଧି ଏହାର କାମ ଶେଷ ହୋଇନି।
କୋଭିଡ୍ରେ ସର୍ବାଧିକ ମୃତ୍ୟୁ ରାଜଧାନୀ ଭୁବନେଶ୍ବରରେ ହୋଇଥିଲା। ସରକାରୀ ଡାକ୍ତରଖାନା ସହ କୋଭିଡ୍ ରୋଗର ଚିକିତ୍ସା ପାଇଁ ସହବନ୍ଧିତ ଘରୋଇ ଡାକ୍ତରଖାନାରେ କୋଭିଡ୍ ରୋଗୀଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମୃତଦେହ କେବଳ ସତ୍ୟନଗର ଶ୍ମଶାନରେ ପୋଡ଼ିବାକୁ ଅନୁମତି ଦିଆଯାଇଥିଲା। ଏଣୁ ରାଜଧାନୀର ସବୁ କୋଭିଡ୍ ମୃତକଙ୍କର ଏହିଠାରେ ଶବଦାହ କରାଯାଇଥିଲା। କିନ୍ତୁ ଶବସଂଖ୍ୟା ବୃଦ୍ଧି ସହ କାଠରେ ଶବଦାହ ସମୟସାପେକ୍ଷ ଓ ପରିବେଶଗତ ସମସ୍ୟା ସୃଷ୍ଟି କରିବାରୁ ରାଜ୍ୟ ସରକାର ସତ୍ୟନଗର ଶ୍ମଶାନ ସହ ରାଜଧାନୀର ଅନ୍ୟ ପ୍ରମୁଖ ଶ୍ମଶାନକୁ ଅତ୍ୟାଧୁନିକ ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ। ବିଏମ୍ସି ନିଜ ଅଧୀନ ଶ୍ମଶାନ ଓ ବିଡିଏ ନିଜ ଅଧୀନ ଶ୍ମଶାନକୁ ସ୍ମାର୍ଟ ରୂପ ଦେବାକୁ ନିଷ୍ପତ୍ତି ହୋଇଥିଲା। ପିପିପି ମୋଡ୍ରେ ଶ୍ମଶାନର ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଶବଦାହ ପିଛା ୨ହଜାର ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଛି। ରାସନ୍ କାର୍ଡ ହୋଲ୍ଡର ଓ ଅଚିହ୍ନା ମୃତ ବ୍ୟକ୍ତିଙ୍କ ପାଇଁ ହରିଶ୍ଚନ୍ଦ୍ର ସହାୟତା ପାଣ୍ଠିରୁ ଖର୍ଚ୍ଚ କରିବାକୁ ବିଏମ୍ସି ଯୋଜନା କରିଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଗ୍ୟାସ୍ ବିତରକ ସଂସ୍ଥା ଗେଲ୍ ସହ ମିଶି ଗ୍ୟାସ୍ ଚୁଲାରେ ଶବଦାହ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା। ସତ୍ୟନଗର, ଆଇଗିଣିଆ, ଜାଗମରା, ପଟିଆ, ଜାଗମରା, ଧର୍ମବିହାର, ଜଳିମୁଣ୍ଡା ଆଦି ଅଞ୍ଚଳର ଶ୍ମଶାନକୁ ଆଦର୍ଶ ଶ୍ମଶାନ ପରିଚୟ ଦେବାକୁ ଯୋଜନା ହୋଇଥିଲା। କିନ୍ତୁ ଅଦ୍ୟାବଧି ଏହି ବିକାଶ କାର୍ଯ୍ୟ ପୂର୍ଣ୍ଣ ରୂପ ନେଇପାରିନି। ସତ୍ୟନଗର ଶ୍ମଶାନ କଥା ଦେଖିଲେ, ପ୍ରାୟ ୬୦ କୋଟି ଟଙ୍କା ଏହାର ବିକାଶରେ ଖର୍ଚ୍ଚ ହେବ ବୋଲି ଯୋଜନା ହୋଇଥିଲା। ଶବଦାହ ପାଇଁ ଏକାଧିକ ଗ୍ୟାସ୍ ଚୁଲା ବ୍ୟବସ୍ଥା କରିବାକୁ ଯୋଜନା ଥିଲା। ହାଇଦ୍ରାବାଦ୍ ଶ୍ମଶାନ ଭଳି ସତ୍ୟନଗର ଶ୍ମଶାନର ବିକାଶ କରିବାକୁ ଯୋଜନା ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ବଦଳାଇ ଦିଆଗଲା। ଡିଜାଇନ୍ ବାହାରେ କାମ କରାଗଲା। ଏବେ ବି ଶ୍ମଶାନ ଉନ୍ନୟନ କାମ ଜାରି ରହିଛି। ଅନେକ ଥର ସମୀକ୍ଷା ହେଲାଣି, କିନ୍ତୁ ଠିକାସଂସ୍ଥା କାମରେ ସେତେଟା ଅଗ୍ରଗତି ଦେଖାଉନି।
/filters:format(webp)/sambad/media/media_files/2025/11/14/untitled-17-2025-11-14-07-10-25.jpg)
ଗତ ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠିଥିଲା। ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପରିବେଶ ଅନୁକୂଳ ଆଦର୍ଶ ଶ୍ମଶାନର ସ୍ଥିତାବସ୍ଥା ସଂପର୍କରେ ପଚାରିଥିଲେ। ଜବାବରେ ବିଏମ୍ସି ଅଧୀନସ୍ଥ ସତ୍ୟନଗର, ଆଇଗିଣିଆ, ଧର୍ମବିହାର, ଜଳିମୁଣ୍ଡାଠାରେ ୪ଟି ଗ୍ୟାସ୍ ବେସ୍ଡ ଆଦର୍ଶ ଶ୍ମଶାନ ବ୍ୟବହାର ଉପଯୋଗୀ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ। କିନ୍ତୁ ତୃଣମୂଳସ୍ତରରେ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଅଦ୍ୟାବଧି ସବୁ ଶ୍ମଶାନ ପୂର୍ଣ୍ଣ ରୂପ ନେଇ ପାରିନଥିବାରୁ ଶବଦାହ ବେଳେ ଆତ୍ମୀୟ ସ୍ବଜନମାନେ ଅସୁବିଧାରେ ପଡ଼ୁଛନ୍ତି।
ଏ ସଂପର୍କରେ ବିଧାୟକ ଶ୍ରୀ ଜେନା କହିଛନ୍ତି, କୋଭିଡ୍ ସମୟରେ ସତ୍ୟନଗର ଶ୍ମଶାନରେ ଶବଦାହ ଚାପ ବଢ଼ିବାରୁ ୨୦୧୯ ମସିହାରେ ରାଜଧାନୀର ପ୍ରାୟ ସବୁ ଶ୍ମଶାନକୁ ଆଦର୍ଶ ଶ୍ମଶାନ କରିବାକୁ ତଥା ଅଧ୍ୟାଧୁନିକ ରୂପ ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅଦ୍ୟାବଧି ସବୁ ଶ୍ମଶାନ ଅତ୍ୟାଧୁନିକ ରୂପ ପାଇପାରିନି।
ଅଜଣା ବୋଲି ଶବକୁ ହୀନିମାନ
ଅଜଣା ବୋଲି ଶବକୁ ହୀନିମାନ କରାଯାଇଛି। ସତ୍ୟନଗର ଶ୍ମଶାନରେ ଜଣେ ଯୁବତୀଙ୍କ ଶବକୁ ଦାହ ପାଇଁ ସ୍ଥାନ ମିଳିନି। ଶବଦାହ କରିବାକୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କର୍ତ୍ତୃପକ୍ଷ ମନା କରିଦେବାରୁ ୯୬ ଘଣ୍ଟା ପରେ ଫ୍ରିଜର୍ରୁ ବାହାରିଥିବା ମୃତଦେହକୁ ଧରି ବାରଦୁଆର ହେବାକୁ ପଡ଼ିଛି। ଶେଷରେ ଉପରୁ ଚାପ ପଡ଼ିବାରୁ ରାତିରେ ଶବ ଦାହ କରାଯାଇଛି। ଏଥିପାଇଁ ଭୁବନେଶ୍ବର ଜିଆର୍ପି ଥାନା ପୁଲିସ ଓ ସେବା ପାଇଁ ଦୌଡ଼ି ଆସିଥିବା ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଦହଗଞ୍ଜ ହେବାକୁ ପଡ଼ିଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଛି। କୋଭିଡ୍ ମୃତକ ଓ ବାହାନଗା ମୃତକକୁ ପୋଡ଼ି ଚର୍ଚ୍ଚାରେ ଥିବା ଭୁବନେଶ୍ବର ପ୍ରଦୀପ ସେବା ଟ୍ରଷ୍ଟ ଏହା ବିରୋଧରେ ବିଏମ୍ସି ମେୟର ଓ କମିସନର୍ଙ୍କୁ ଆଜି ଲିଖିତ ଅଭିଯୋଗ କରିଛନ୍ତି। ଏହାର ସ୍ଥାୟୀ ବିଚାର କରିବାକୁ ନିବେଦନ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ୧୧ ତାରିଖରେ ଜଣେ ୩୦ ବର୍ଷୀୟା ଅବିବାହିତା ଯୁବତୀ ଭୁବନେଶ୍ବର ରେଳଷ୍ଟେସନ୍ ପ୍ରବେଶ ଦ୍ବାରରେ ହଠାତ୍ ଟଳି ପଡ଼ିଥିଲେ। ଯାତ୍ରୀମାନେ ଦୌଡ଼ି ଆସି ପାଣି ଛିଞ୍ଚିଥିଲେ ବି ଯୁବତୀଙ୍କ ଚେତା ଫେରି ନଥିଲା। ପରେ ଷ୍ଟେସନ୍ ଅଧୀକ୍ଷକ ଆମ୍ବୁଲାନ୍ସ ଯୋଗେ ଯୁବତୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଥିଲେ। ଡାକ୍ତରଖାନାରେ ଯୁବତୀଙ୍କୁ ମୃତ ଘୋଷଣା କରାଯାଇଥିଲା। ଷ୍ଟେସନ୍ ମାଷ୍ଟରଙ୍କୁ ଏମ୍ଏଲ୍ସି ରିପୋର୍ଟ ଆସିବା ପରେ ଜିଆର୍ପି ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତକାରୀ ଅଧିକାରୀ ହିମାଂଶୁ ନାୟକ କହିଛନ୍ତି, ଯୁବତୀ ସାଙ୍ଗରେ ଆଣିଥିବା ବ୍ୟାଗ ଯାଞ୍ଚ ପରେ ତାଙ୍କ ଘର ପଶ୍ଚିମବଙ୍ଗର ଦମ୍ଦମ୍ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ଏଣୁ ଜିଆର୍ପି ଥାନା ପକ୍ଷରୁ ସଂପୃକ୍ତ ଥାନାକୁ ଯୋଗାଯୋଗ କରାଯାଇଥିଲା। ଯାଞ୍ଚ ପରେ ଯୁବତୀଙ୍କ ବାପାମା’ଙ୍କ ମୃତ୍ୟୁ ବହୁ ପୂର୍ବରୁ ହୋଇ ସାରିଥିବା ଜଣାପଡ଼ିଥିଲା। ଏକମାତ୍ର ବିବାହିତା ଭଉଣୀ ଥିଲେ ବି ସେ ମୃତଦେହ ନେବାକୁ ମନା କରି ଦେଇଥିଲେ। ଏଣୁ ଶବ ବ୍ୟବଚ୍ଛେଦ କରି ୯୬ ଘଣ୍ଟା କ୍ୟାପିଟାଲ୍ ହସ୍ପିଟାଲ୍ ଶବ ସଂରକ୍ଷଣ ଗୃହ ଫ୍ରିଜରରେ ରଖିବା ପରେ ଗତ ୧୧ ତାରିଖ ଅପରାହ୍ଣରେ ସତ୍ୟନଗର ଶ୍ମଶାନକୁ ଶବଦାହ ପାଇଁ ନେଇଥିଲୁ। କିନ୍ତୁ ଅଜଣା ମୃତଦେହ ଏଠାରେ ପୋଡ଼ା ହେଉନି ବୋଲି କହିଥିଲେ। ଜାଗମରାରେ ଅଜଣା ମୃତଦେହ ପୋଡ଼ା ହେଉଛି, ସେଠାରେ ପୋଡ଼ିବାକୁ କହିଥିଲେ। ଜାଗମରା ଯିବା ପରେ ବି ସେଠାରେ ଶବଦାହ ସମ୍ଭବ ନ ହେବାରୁ ଶେଷରେ ବହୁ ବିଳମ୍ବରେ ସତ୍ୟନଗର ଶ୍ମଶାନକୁ ପୁଣି ମୃତଦେହ ଆଣି ପୋଡ଼ାଯାଇଥିଲା। ସେତେବେଳକୁ ରାତି ହୋଇଯାଇଥିଲା। ମୃତଦେହକୁ ନେବା ଆଣିବା ଓ ପୋଡ଼ିବାରେ ସହଯୋଗ କରିଥିବା ପ୍ରଦୀପ ସେବା ଟ୍ରଷ୍ଟ୍ର ପ୍ରଦୀପ ସାହୁ କହିଛନ୍ତି, ଆମେ ଅପରାହ୍ଣ ପ୍ରାୟ ୨ଟାରେ ସତ୍ୟନଗର ଶ୍ମଶାନକୁ ଯୁବତୀଙ୍କ ମୃତଦେହ ନେଇ ଯାଇଥିଲୁ। କିନ୍ତୁ ସେଠାରେ ଅଜଣା ମୃତଦେହ ପୋଡ଼ିବେନି ବୋଲି ରୋକ୍ଠୋକ୍ ମନା କରି ଦେଇଥିଲେ। ଜାଗମରାରେ ଯାଇ ମୃତଦେହ ପୋଡ଼ିବାକୁ କହିଥିଲେ। ଆମେ ସରକାରୀ ଆଦେଶ ମାଗିଥିଲୁ, କିନ୍ତୁ ଆଦେଶ ଦେଖାଇ ପାରିନଥିଲେ। ଶବ ପୋଡ଼ିବାକୁ ମନା କରିବାରୁ ବାଧ୍ୟ ହୋଇ ମୃତଦେହକୁ ନେଇ ଜାଗମରା ଶ୍ମଶାନରେ ପହଞ୍ଚିଥିଲୁ। କିନ୍ତୁ ସେଠାରେ ଶବଦାହ ସମ୍ଭବ ନ ହେବାରୁ ବିଏମ୍ସି ଅତିରିକ୍ତ କମିସନର୍ଙ୍କୁ ଯୋଗାଯୋଗ କରିଥିଲୁ। ସେ ବି ଅଜଣା ମୃତଦେହ ପୋଡ଼ା ହେଉନି ବୋଲି ମନା କରିଥିଲେ। କିନ୍ତୁ ଆଦେଶ ମାଗିବାରୁ ଦେଖାଇ ପାରିନଥିଲେ। ବହୁ ଝାମେଲା ଓ ଚାପ ପରେ ଶେଷରେ ରାତିରେ ସତ୍ୟନଗର ଶ୍ମଶାନରେ ମୃତଦେହ ଦାହ ପାଇଁ ବିଏମ୍ସି ରାଜି ହୋଇଥିଲା। ଶ୍ରୀ ସାହୁ କହିଛନ୍ତି, ଆମ ଟ୍ରଷ୍ଟ୍ କୋଭିଡ୍-୧୯ ସମୟରେ ସତ୍ୟନଗର ଶ୍ମଶାନରେ କୋଭିଡ୍ ମୃତକଙ୍କୁ ପୋଡ଼ିଛି। ବାହାନଗା ମୃତକଙ୍କୁ ଭୁବନେଶ୍ବର ଭରତପୁରଠାରେ ପୋଡ଼ିଛି। ଏଣୁ ଯଦି ଅଜଣା ମୃତଦେହ ପୋଡ଼ିବାକୁ ଅନୁମତି ନାହିଁ, ତେବେ ଆମ ଅନୁଷ୍ଠାନକୁ ଅନୁମତି ଦିଅନ୍ତୁ, ଆମେ ଅଜଣା ମୃତଦେହ ପୋଡ଼ିବାକୁ ରାଜି ଅଛୁ। କିନ୍ତୁ ଏଭଳି ହୀନିମାନ ନ କରାଯାଉ ବୋଲି ସେ କହିଛନ୍ତି।
/filters:format(webp)/sambad/media/media_files/2025/11/14/untitled-16-2025-11-14-07-09-29.jpg)
Follow Us