କର୍ମଦକ୍ଷତା ସହିତ ଡିଜିଟାଲ ଦକ୍ଷତାର ବିକାଶ ଜରୁରୀ

Advertisment

କର୍ମକ୍ଷେତ୍ରରେ ନିର୍ଯାତନା ଓ ଇଣ୍ଟରନେଟ୍ ଜରିଆରେ ଅପରାଧ ଶୀର୍ଷକ କର୍ମଶାଳା

କର୍ମକ୍ଷେତ୍ରରେ ନିର୍ଯାତନା ଓ ଇଣ୍ଟରନେଟ୍ ଜରିଆରେ ଅପରାଧ ଶୀର୍ଷକ କର୍ମଶାଳା

କର୍ମଦକ୍ଷତା ସହିତ ଡିଜିଟାଲ ଦକ୍ଷତାର ବିକାଶ ଜରୁରୀ

ଭୁବନେଶ୍ବର: ଉପାସନା ଏଜୁକେସନାଲ ଟ୍ରଷ୍ଟ ଓ ରାଜ୍ୟ ମହିଳା କମିସନ୍‌ର ମିଳିତ ଉଦ୍ୟମରେ ଆଜି ଜୟଦେବ ଭବନରେ ‘କର୍ମକ୍ଷେତ୍ରରେ ନିର୍ଯାତନା ଓ ଇଣ୍ଟରନେଟ୍ ଜରିଆରେ ଅପରାଧ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପାସନା ଟ୍ରଷ୍ଟର ଅଧ୍ୟକ୍ଷ ଦୀପ୍ତିରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। କର୍ମଶାଳାକୁ ଉଦ୍‌ଘାଟନ କରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ସାଇବର ଅପରାଧ ରୋକିବା ବିଶେଷକରି ମହିଳାଙ୍କୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ସାଇବର ଥାନା ପ୍ରତିଷ୍ଠାନ କରିଛନ୍ତି। ଲିଙ୍ଗଗତ ଅନୁପାତର ହ୍ରାସ ସମାଜ ପାଇଁ ଏବେ ବଡ଼ ଆହ୍ବାନ। କର୍ମ କ୍ଷେତ୍ରରେ ମହିଳା ବିରୋଧୀ ଅପରାଧ ରୋକିବା ଦିଗରେ ଓଡ଼ିଶା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଶ୍ରୀ ସାମଲ କହିଥିଲେ। ମୁଖ୍ୟବକ୍ତା ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର କହିଲେ, ସମାଜ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏବେ କର୍ମକ୍ଷେତ୍ରରେ ଅଧିକରୁ ଅଧିକ ମହିଳା ପ୍ରବେଶ କରୁଛନ୍ତି। ତେଣୁ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ରୋକିବାକୁ ହେଲେ ସେମାନଙ୍କୁ ସଚେତନ ହେବାକୁ ପଡ଼ିବ। ଜଣେ ମହିଳାର ଆତ୍ମ ସମ୍ମାନ ସୁରକ୍ଷିତ ନ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ ବୋଲି ଶ୍ରୀମତୀ ବକ୍ସିପାତ୍ର କହିଥିଲେ। କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ବିଜୁ ଯୁବ ବାହିନୀର ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ପୁଲିସ ଡିଜି ଅରୂପ ପଟ୍ଟନାୟକ କହିଲେ, କେବଳ କାର୍ଯ୍ୟଦକ୍ଷତା ନୁହେଁ ବରଂ ସଫ୍‌ଟ ସ୍କିଲ ଓ ଡିଜିଟାଲ ଦକ୍ଷତାର ମଧ୍ୟ ବିକାଶ ଆବଶ୍ୟକ। ଆଜିର ସମୟରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ବ୍ୟାବହାରିକ ତଥା ଶାରୀରିକ ଅଙ୍ଗଭଙ୍ଗୀ ଜ୍ଞାନର ବିକାଶ ଜରୁରୀ। ଘରେ, ପରିବାରରେ ଓ କାର୍ଯ୍ୟାଳୟରେ ଛୋଟଛୋଟ ନିର୍ଯାତନା ବିରୋଧୀ ପଦକ୍ଷେପ ପରବର୍ତୀ ସମୟରେ ବଡ଼ ସମସ୍ୟାକୁ ସମାଧାନ କରିବାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଇବର ପୁଲିସ ଅଧିକାରୀ ନରେନ୍ଦ୍ର ମାହୁନ୍ତ ଯୋଗ ଦେଇଥିଲେ। ସ୍ବାତୀ ତନ୍ମୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଦଧିବାମନ ପଣ୍ଡା, ଭାସ୍ବତୀ ନାୟକ, ନିବେଦିତା, ସୌମ୍ୟାଶ୍ରୀ, ସବ୍ୟସାଚୀ ଓ‌ ସୌମେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ। କର୍ମଶାଳାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe