ଶିଶୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ଡିଜି

Advertisment

ଶିଶୁ ସୁରକ୍ଷା ନେଇ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ

ଶିଶୁ ସୁରକ୍ଷା ନେଇ ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ

ଶିଶୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ଡିଜି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସମୟରେ ଉଦ୍ଧାର କରାଯାଉଥିବା ଶିଶୁଙ୍କ ସୁରକ୍ଷା ନେଇ ପୁଲିସ ବିଭାଗ ଯେତେ ସଚେତନ; ସ୍ୱାସ୍ଥ୍ୟ, ମହିଳା, ଶିଶୁ କଲ୍ୟାଣ, ଶ୍ରମବିଭାଗ ମଧ୍ୟ ସେତିକି ସଚେତନ ହେବା ଆବଶ୍ୟକ ବୋଲି ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ସମସ୍ତ ବିଭାଗ ସହ ପୁଲିସର କିପରି ସହଯୋଗ ରହିବ, ସେ ଦିଗରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଦୃଷ୍ଟି ଦେବା ଉଚିତ। ୟୁନିସେଫ୍‌ ପକ୍ଷରୁ ଶିଶୁ ସୁରକ୍ଷା ନେଇ ଆଜି କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଦୁଇଦିନିଆ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ମତ ଦେଇଛନ୍ତି।

ଉତ୍ସବରେ ୟୁନିସେଫ୍‌ର ଫିଲ୍ଡ ଅଫିସର ୟୁମିବେ ଯୋଗଦେଇ କହିଥିଲେ ଯେ ୟୁନିସେଫ୍‌ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ପୁଲିସ ବିଭାଗ ସହ ଅନ୍ୟ ବିଭାଗଗୁଡ଼ିକର ଯେଉଁସବୁ ସହଯୋଗ ଦରକାର, ତାହା ନିଶ୍ଚିତ ଭାବେ ଯୋଗାଇ ଦିଆଯିବ। ଶିଶୁ ସୁରକ୍ଷା ନେଇ ଅନ୍ୟ ରାଜ୍ୟର ପୁଲିସ ବିଭାଗ ଯେଉଁ ସବୁ ନିୟମକୁ ଆପଣେଇଛନ୍ତି, ଓଡ଼ିଶା ପୁଲିସ ମଧ୍ୟ ସେହି ନିୟମକୁ ଆପଣେଇବା ଦରକାର। ସମ୍ମାନିତ ଅତିଥି ଭାବେ ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ସମସ୍ତ ଥାନାଗୁଡ଼ିକର ମହିଳା ଓ ଶିଶୁ ଡେସ୍କଗୁଡ଼ିକୁ କିପରି ଅଧିକ ଶକ୍ତିଶାଳୀ କରାଯିବ, ସେ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ପୁଲିସ କମିସନର୍‌ ପିଏସ୍‌ ରଣପିସେ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିସିପି ସତ୍ୟବ୍ରତ ଭୋଇ, ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅମିତାଭ ଠାକୁର, ଅସିତ ପାଣିଗ୍ରାହୀ, ସନ୍ତୋଷ ବାଲା, ଅରୁଣ ଷଡ଼ଙ୍ଗୀ ଓ ଅନୁପମା ଜେମ୍‌ସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe