ବାଲିପାଟଣା: ବାତ୍ୟା ଫନି ଲଦି ଦେଇଛି ଦୁଃଖର ପାହାଡ଼। ସାହାରା ହରାଇ ଭାଙ୍ଗି ପଡ଼ିଛନ୍ତି ବାଲିପାଟଣା ବ୍ଲକ ମାର୍ଥାପୁର ପଞ୍ଚାୟତ ପନ୍ଦାରୀ ସାହିର ଭାସି ଭୋଇ (୬୦)। ବଡ଼ ପୁଅ ମାମୁ ଘରକୁ ପୁଅ ହୋଇଯାଇଥିବା ବେଳେ ୫ ବର୍ଷ ତଳେ ଆଖି ବୁଜିଥିଲେ ସାନ ପୁଅ। ଦିନ ମଜୁରିଆ ଭାବେ ସ୍ବାମୀ ପରି ଭୋଇ ପରିବାର ପ୍ରତିପୋଷଣ କରୁଥିଲେ। ଗତ ବାତ୍ୟା ଘରଦ୍ବାର ଭାଙ୍ଗି ଦେଇଥିବା ବେଳେ ସ୍ବାମୀ ପରିଙ୍କୁ କରିଛି ଅକର୍ମଣ୍ୟ। ଏଭଳି ସ୍ଥିତିରେ କ’ଣ ଖାଇବେ, କେମିତି ରହିବେ, ସ୍ବାମୀଙ୍କ ଚିକିତ୍ସା କିପରି ହେବ ସେ ଚିନ୍ତା ଭାସିଙ୍କୁ ଘାରିଛି। ଗତ ୩ ତାରିଖ ସକାଳେ ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳକୁ ଯିବା ପାଇଁ ଉଭୟ ପରି ଓ ଭାସି ପ୍ରସ୍ତୁତ ହେଉଥିଲେ। ଘରର ଆସବାବପତ୍ର ସଜାଡ଼ିବା ବେଳେ ହଠାତ୍ ଟଳି ପଡ଼ିଥିଲେ ପରି। ଗ୍ରାମର କିଛି ଯୁବକଙ୍କ ସହାୟତାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ। ପକ୍ଷାଘାତରେ ଆକ୍ରାନ୍ତ ଯୋଗୁ ହାତ, ଗୋଡ଼, ମୁହଁ ସଂପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଇଥିଲା। ୭ଦିନ ପରେ ଘରକୁ ଫେରିବା ବେଳକୁ ୨ ବଖରା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ରୋଜଗାରକ୍ଷମ ସ୍ବାମୀ ଶଯ୍ୟାଶାୟୀ। ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଭାସିଙ୍କୁ ମିଳୁଥିବା ସହାୟତା ଏବେ ସାହାରା। ଏଭଳି ସ୍ଥିତିରେ ଉକ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଫନି ଲଦି ଦେଲା ଦୁଃଖର ପାହାଡ଼
Advertisment
Follow Us