ଉଠା ଦୋକାନ ଉଚ୍ଛେଦ ପାଲା : ବିଏମ୍‌ସି ଭାଙ୍ଗୁଛି, ବେପାରୀ ଗଢ଼ୁଛନ୍ତି

Advertisment
ଉଠା ଦୋକାନ ଉଚ୍ଛେଦ ପାଲା : ବିଏମ୍‌ସି ଭାଙ୍ଗୁଛି, ବେପାରୀ ଗଢ଼ୁଛନ୍ତି

ଭୁବନେଶ୍ୱର : ବିଏମ୍‌ସି ଆଜି ନୂଆପଲ୍ଲୀ ପୁଲିସ ଷ୍ଟେସନଠାରୁ ଆରମ୍ଭ କରି ଆଇଡି ମାର୍କେଟ, ସାଲିଆସାହି ଓ ସିଆର୍‌ପିଏଫ୍‌ ଛକର ଉଭୟ ପାର୍ଶ୍ବରେ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଉଠା ଦୋକାନକୁ ଉଚ୍ଛେଦ କରିଛି। କିନ୍ତୁ ସନ୍ଧ୍ୟାବେଳକୁ ପୁଣି ପୂର୍ବ ସ୍ଥାନରେ କିଛି ଦୋକାନ ମୁଣ୍ଡ ଟେକିଛି। ବିନା ନୋଟିସ୍‌ରେ ଏହି ଉଚ୍ଛେଦ କରାଯାଇଥିବାରୁ ଅସନ୍ତୁଷ୍ଟ କିଛି ବ୍ୟବସାୟୀ ପୁଣି ରାସ୍ତା କଡ଼ରେ ସେମାନଙ୍କ ପସରା ମେଲାଇଛନ୍ତି। ତେଣୁ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ରିତ ପ୍ରତିକ୍ରିୟା ସୃଷ୍ଟି ହୋଇଛି। କରୋନା ସଂକଟବେଳେ ଏହି କ୍ଷୁଦ୍ର ବ୍ୟବସାୟୀଙ୍କ ପେଟକୁ ଲାତ ମାରିବା ଠିକ୍ ନୁହେଁ ବୋଲି ଅନେକ ମତ ଦେଇଛନ୍ତି। ଅପରପକ୍ଷେ ଏହି ଉଚ୍ଛେଦ ପ୍ରକ୍ରିୟା ବିଏମ୍‌ସିର ଲୋକ ଦେଖାଣିଆ କାମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ଜାମ୍‌ ହେଉଥିବାରୁ ଉଠା ଦୋକାନୀଙ୍କୁ ହଟାଇବା ଜରୁରୀ ଥିବାବେଳେ ପୁଣି ଦୋକାନ ଗଢ଼ି ଉଠିବା ପଛରେ ବିଏମ୍‌ସିର ପରୋକ୍ଷ ଇଙ୍ଗିତ ରହିଛି ବୋଲି ଅଭିଯୋଗ ହୋଇଛି। ତେଣୁ ଉଠା ଦୋକାନ ଉଚ୍ଛେଦ ଏକ ପାଲା ବୋଲି ଚର୍ଚ୍ଚା ହେଉଛି।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଚାଲିଥିଲା। ୮ଟି ପାନ ଦୋକାନ, ୪ଟି ଚିକେନ୍ କାଉଣ୍ଟର, ୮ଟି ଫଳ ଦୋକାନ, ୧୧ଟି ଜୁସ୍ ଦୋକାନ, ୧୪ଟି ଭେଜ୍ ସପ୍, ୮ଟି ଚା’ ଦୋକାନ, ୨୧ଟି ଫାଷ୍ଟ୍ ଫୁଡ୍, ୧୮ଟି ଜଳଖିଆ ଦୋକାନ ଭଙ୍ଗା ଯାଇଛି। ତେବେ ବିନା ନୋଟିସ୍‌ରେ ମାତ୍ର କେଇ ମିନିଟ୍ ପୂର୍ବରୁ ଘୋଷଣା କରି ଦୋକାନ ଭଙ୍ଗା ଯିବାରୁ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଦୀର୍ଘ ବର୍ଷ ଧରି ଏହି ରାସ୍ତା କଡ଼ରେ ଦୋକାନ କରି ପରିବାର ଭରଣପୋଷଣ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଏମିତି ରାସ୍ତାକୁ ଫୋପାଡ଼ି ଦେବା କେତେ ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଥିଲେ। ସେମାନଙ୍କୁ ଉପଯୁକ୍ତ ସ୍ଥାନରେ ଥଇଥାନ ନ କରି ଉଚ୍ଛେଦ କରିବା ଅସାମ୍ବିଧାନିକ ବୋଲି ଉଠା ଦୋକାନୀ ସଂଘ ନେତା ସୁର ଜେନା କହିଛନ୍ତି। ଏଭଳି ପଦ‌କ୍ଷେପ ଦ୍ବାରା ବିଏମ୍‌ସି ଭୁବନେଶ୍ବରର ବିକାଶ ନାଁରେ ଲୋକଙ୍କ ବିନାଶ କରୁଛି ବୋଲି ସେ କହିଛନ୍ତି। ତେବେ ବିଏମ୍‌ସିର ଦକ୍ଷିଣ ପଶ୍ଟିମ ଜୋନ୍ ଓ ସେଣ୍ଟ୍ରାଲ୍ ସ୍କ୍ବାଡର ମିଳିତ ଉଦ୍ୟମରେ ହୋଇଥିବା ଏହି ଉଚ୍ଛେଦ ରାସ୍ତା ଜାମ୍ ରହୁଥିବା ଅଭିଯୋଗ ଆଧାରରେ କରାଯାଇଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe