OdishaTV
ଭୁବନେଶ୍ବର: ସତ୍ୟନଗରରେ ଥିବା ସରକାରୀ ଜମିରୁ ଆଜି ଜବରଦଖଲ ଉଚ୍ଛେଦ ହୋଇଛି। ବିଡିଏ ଟିମ୍ ସେଠାରୁ ୪ଟି ଟିଣ ଛପର ଘର ଭାଙ୍ଗିଛି। ପ୍ରାୟ ୨୧୦୦ ବର୍ଗଫୁଟ୍ ଅଞ୍ଚଳ ଖାଲି କରାଯାଇଛି। ସମୟ ଅଭାବରୁ କିଛି ଅଂଶ ରହିଯାଇଛି। ପରେ ଭଙ୍ଗାଯିବ ବୋଲି ବିଡିଏ କହିଛି। ଆଜି ଥିବା ଆଉ ଏକ ଉଚ୍ଛେଦ କାର୍ଯ୍ୟକ୍ରମ ୟୁନିଟ୍-୩ର କ୍ବାର୍ଟର୍ସ(୪/୧) ରୁ ମନ୍ଦିର ଉଚ୍ଛେଦ ହୋଇପାରି ନାହିଁ। ମନ୍ଦିର ଖାଲି କରିବାକୁ ୧୫ ଦିନ ସମୟ ଦିଆଯାଇଛି। ଉଚ୍ଛେଦରେ ବିଡିଏ ଯୁଗ୍ମ କମିସନର(ଏନ୍ଫୋର୍ସମେଣ୍ଟ) ଶ୍ବେତ କୁମାର ଦାଶ, ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ଜିଏ ସହକାରୀ ନିର୍ଦ୍ଦେଶକ ଅମୀୟ କୁମାର ଦାସ ଉପସ୍ଥିତ ଥିଲେ।
ଅନ୍ୟପଟେ ସାଇନାଥ ବସ୍ତି ଉଚ୍ଛେଦରେ ବିଡିଏକୁ ରାଜ୍ୟ ମାନବାଧିକାର କମିସନ କଣ୍ଟା ହୋଇଛନ୍ତି। ପୂର୍ବରୁ ଓଏଚ୍ଆରସି ବସ୍ତି ସୁରକ୍ଷା ମଞ୍ଚର ଆବେଦନକୁ ନେଇ ବିଡିଏକୁ ନୋଟିସ୍ କରିଥିଲେ ମଧ୍ୟ ଲିଗାଲ୍ ସେକ୍ସନରେ କାମ କରୁଥିବା ବରିଷ୍ଠ ସହାୟକ ଏ ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସୂଚନା ଦେଇନାହାନ୍ତି। ଏଣୁ କର୍ତ୍ତବ୍ୟରେ ଅବହେଳା ନେଇ ବରିଷ୍ଠ ସହାୟକ ରବି ନାୟକଙ୍କୁ ବିଡିଏ ନିଲମ୍ବନ କରିଛି। ଏ ବାବଦରେ ଜବାବ ଦାଖଲ ପାଇଁ ବିଡିଏ ଏନଫୋର୍ସମେଣ୍ଟ ଅତିରିକ୍ତ କମିସନର ଓ ବିଏମ୍ସି ଉତ୍ତରାଞ୍ଚଳ ଡେପୁଟି କମିସନର ଜୁନ୍ ୫ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିସନ ଆଦେଶ ଦେଇଛନ୍ତି। ତେବେ ଅନ୍ୟ ଏକ ଆଦେଶ ମୁତାବକ ବସ୍ତିବାସିନ୍ଦାଙ୍କୁ ଅସ୍ଥାୟୀ ଆଶ୍ରୟ ଶିବିର ସହ ଖାଦ୍ୟ ଓ ପାନୀୟ ଜଳ ଯୋଗାଯାଇଛି।
Follow Us