ସାଇନାଥ ବସ୍ତି ଉଚ୍ଛେଦ : ବିବାଦ ପରେ ଆଉ ପାଦେ ଆଗେଇଲା ବିଡିଏ

Advertisment
ସାଇନାଥ ବସ୍ତି ଉଚ୍ଛେଦ : ବିବାଦ ପରେ ଆଉ ପାଦେ ଆଗେଇଲା ବିଡିଏ

ଚନ୍ଦ୍ରଶେଖରପୁର: ଜୟଦେବ ବିହାର-ନନ୍ଦନକାନନ ଡାହାଣପାର୍ଶ୍ବ ସମାନ୍ତରାଳ ରାସ୍ତା କାମ ଆଉ ପାଦେ ଆଗେଇଛି। ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ପରେ ସାଇନାଥ ବସ୍ତିରେ ରହୁଥିବା ୫୦ ପରିବାରଙ୍କ ଘର ଭାଙ୍ଗିଛି ବିଡିଏ। ଉଚ୍ଛେଦକୁ ବିରୋଧ କରାଯାଇଥିଲେ ମଧ୍ୟ ଗତକାଲି ୧୦୯ ବଖରା ଘର ମାଟିରେ ମିଶାଇଲା। ଆଜି ୭୨ଟି ଘର ସମେତ ୩ଟି ଦୋକାନ, ୬ଟି କ୍ୟାବିନ୍‌, ୧୦୦ ଫୁଟ୍‌ର ବାଉଁଶ ତିଆରି ଅଞ୍ଚଳକୁ ଉଚ୍ଛେଦ କରାଯାଇଛି। ହାଇକୋର୍ଟରେ ମାମଲା ଥିବାରୁ ଆଉ କିଛି ଦୋକାନାକୁ ଭଙ୍ଗାଯାଇପାରି ନ ଥିବା ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ରେଳବାଇ ଷ୍ଟାଡିୟମ ଛକରୁ ଗୁରୁ କେଳୁଚରଣ ପାର୍କ ଦେଇ ଡମଣା ଛକ ପର୍ଯ୍ୟନ୍ତ ଡାହାଣ ପାର୍ଶ୍ବ ସମାନ୍ତରଳ ରାସ୍ତା ଅଗ୍ରଗତିରେ ବାଧକ ସାଜିଥିଲା ସାଇନାଥ ବସ୍ତି। ଏଠାରେ ୫୦ ପରିବାର ବସବାସ କରୁଥିଲେ ମଧ୍ୟ ହାଇକୋର୍ଟରେ ମାମଲା ଚାଲିଥିବାରୁ ବିଡିଏ ପକ୍ଷରୁ ଉଚ୍ଛେଦ କରାଯାଇ ପାରି ନ ଥିଲା। ଉଚ୍ଛେଦ କାର୍ଯ୍ୟରେ ୩ଟି ଜେସିବି ମେସିନ୍‌ ନିୟୋଜିତ ହୋଇଥିଲେ। ବିଡିଏ ଯୁଗ୍ମ କମିସନର(ଉଚ୍ଛେଦ) ସ୍ବେତ କୁମାର ଦାସ, ଲିଆସିଅନ୍‌ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜ୍ୟୋତି ରଞ୍ଜନ ସାହୁ, ଏସିପି ସଞ୍ଜିବ କୁମାର ଶତପଥୀ, ମଞ୍ଚେଶ୍ବର ଆଇଆଇସି ସୁଧିର କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

ବସ୍ତି ସୁରକ୍ଷା ମଞ୍ଚ ସାଧାରଣ ସମ୍ପାଦିକା ପ୍ରମିଳାଙ୍କ କହିବାନୁଯାୟୀ ସାଇନାଥ ବସ୍ତି ବାସିନ୍ଦାଙ୍କ ଜମି ଅଧିକାର ଆଇନ ଅନୁସାରେ ଥଇଥାନ ହେବା ପ୍ରସଙ୍ଗ ତଦନ୍ତ ପରିସରଭୁକ୍ତ ରହିଛି। ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ମାନବାଧିକାର କମିସନଙ୍କ ଆଦେଶ ବଳବତ୍ତର ଥିବା ବେଳେ ବଳପୂର୍ବକ ବସ୍ତି ଭଙ୍ଗା ଉପରେ ଜବାବ ଦାଖଲ ପାଇଁ ବିଡିଏ ଓ ଏନଫୋର୍ସମେଣ୍ଟର ଅତିରିକ୍ତ କମିସନର ଏବଂ ବିଏମ୍‌ସି ଉତ୍ତରାଞ୍ଚଳ ଡେପୁଟି କମିସନର ଜୁନ୍ ୫ରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ରାଜ୍ୟ ମାନବାଧିକାର କମିସନ ପକ୍ଷରୁ ଆଦେଶ ଦିଆଯାଇଛି। ଏଥିସହ ସମ୍ପୃକ୍ତ ବସ୍ତିବାସିନ୍ଦାଙ୍କୁ ଅସ୍ଥାୟୀ ଆଶ୍ରୟ ଶିବିର ସହ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ଗ୍ରହଣ ପାଇଁ ବିଏମ୍‌ସି କମିସନରଙ୍କୁ ମାନବାଧିକାର କମିସନ ଆଜି ଆଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe