ମୁକ୍ତା ପ୍ରକଳ୍ପକୁ ପୂର୍ବତନ କାଉନ୍‌ସିଲର୍‌ଙ୍କ ବିରୋଧ: ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ

ମୁକ୍ତା ପ୍ରକଳ୍ପକୁ ପୂର୍ବତନ କାଉନ୍‌ସିଲର୍‌ଙ୍କ ବିରୋଧ: ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ

ଜଟଣୀ: ଆଜି ଜଟଣୀ ପୌରପାଳିକା ଅନ୍ତର୍ଗତ ୭ନମ୍ବର୍ ୱାର୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁକ୍ତା ପ୍ରକଳ୍ପକୁ ବିରୋଧ କରି ପୂର୍ବତନ କାଉନ୍‌ସିଲର୍ ନୌସିର୍ ଅଲ୍ଲୀ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି। ପ୍ରକଳ୍ପ ହେଉଥିବା ଜମି ବ୍ୟକ୍ତିଗତ ବୋଲି ଦର୍ଶାଇ ନୌସିର୍‌ ଏଭଳି ବିରୋଧ କରିବାରୁ ନିର୍ମାଣ କାମ ବନ୍ଦ କରାଯାଇଛି। କିନ୍ତୁ ଉକ୍ତ ଜମି ସରକାରୀ ବୋଲି ବର୍ତ୍ତମାନର କାଉନ୍‌ସିଲର୍‌ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା (ମୁକ୍ତା)ରେ ବିଭିନ୍ନ ୱାର୍ଡରେ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। ୭ନମ୍ବର ୱାର୍ଡ ମୁଣ୍ଡିଆସାହିର ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ କମ୍ୟୁନିଟି ହଲ୍ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି। ଏଥିପାଇଁ ମୁକ୍ତା ଯୋଜନାରେ ୨୦ଲକ୍ଷ ଟଙ୍କାର ଅନୁଦାନ ମିଳିଛି। ପୌରପାଳିକା ପକ୍ଷରୁ ଏହି ୱାର୍ଡର ଦୁଇ ମହିଳା ଗୋଷ୍ଠୀଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୧୫ଦିନ ହେଲାଣି ପ୍ରକଳ୍ପ କାର୍ଯ୍ୟ ଚାଲିଛି। କିନ୍ତୁ ଆଜି ହଠାତ୍ ପୂର୍ବତନ କାଉନ୍‌ସିଲର୍‌ ନୌସିର ଓ ତାଙ୍କ ପୁଅ ସେଠାରେ ପହଞ୍ଚି ବିରୋଧ କରିଥିଲେ। ବହୁ ବର୍ଷ ହେଲା ଜାଗାଟି ବ୍ୟକ୍ତିଗତ ବୋଲି ଦାବି କରି ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଥିଲେ। କିନ୍ତୁ କାମ ତଦାରଖ କରୁଥିବା ମହିଳା ଗୋଷ୍ଠୀ ତାଙ୍କ କଥା ନ ଶୁଣିବାରୁ ନୌସିର୍‌ ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।

ସୌଭାଗ୍ୟକୁ ଉପସ୍ଥିତ ଲୋକମାନେ ତାଙ୍କୁ କାବୁ କରି ନେଇଥିଲେ। ଖବର ପାଇ ଜଟଣୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଝାସୁଝା କରିଥିଲା। ଏନେଇ କାଉନ୍‌ସିଲର୍‌ ଜୟୀ ବେହେରା କହିଛନ୍ତି ଯେ ଏହି ଜମି ପୂରା ସରକାରୀ। ନୌସିର ଅଲ୍ଲୀ ଓ କିଛି ଲୋକ ଆସି ଏହାକୁ ବ୍ୟକ୍ତିଗତ ଜାଗା ବୋଲି କହି କାମକୁ ବିରୋଧ କରୁଛନ୍ତି। କିନ୍ତୁ ସେମାନଙ୍କ ପାଖରେ ଜାଗାର କୌଣସି ରେକର୍ଡପତ୍ର ନାହିଁ। ତେଣୁ ଆଇନ ଅନୁସାରେ କାମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe