ଭୁବନେଶ୍ୱର, : ଆଜି ଏକ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିବା ବିଡିଏର ଅଧିକାରୀମାନେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଉଚ୍ଛେଦ ହେବାକୁ ଥିବା ଜମି ଆଗରେ ଧାରଣାରେ ବସିବା ସହ ଜମିର ଅନୁଧ୍ୟାନ ଦାବି କରିବାରୁ ସାଧାରଣ ପ୍ରଶାସନ, ବିଏମ୍ସି, ବିଡିଏର ମିଳିତ ସ୍କ୍ଵାଡ୍ ଫେରିବାକୁ ବାଧ୍ୟ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ଥାନା ଅଧୀନ ରଥରୋଡ଼୍ରେ ଶୀତଳଷଷ୍ଠୀ ମାର୍ଗ ନିକଟରେ ମିଳିତ ଟିମ୍ ଆଜି ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲେ। ସେଠାରେ ସ୍ୱେରଜ୍ ଟ୍ରିଟ୍ମେଣ୍ଟ୍ ପ୍ଲାଣ୍ଟର ଷ୍ଟେସନ୍ ହେବାକୁ ଥିବାବେଳେ ଏକ ପାଚେରି ଜବରଦଖଲ ହୋଇଛି ବୋଲି ଅଭିଯୋଗ ରହିଥିଲା। ତେଣୁ ଆଜି ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ସେଠାରେ ଉଚ୍ଛେଦ ଆରମ୍ଭ ହୋଇଥିଲା। ତେବେ ସେଠାରେ ଏହି ପାଚେରିକୁ ବ୍ୟବହାର କରୁଥିବା ଜଣେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତରାୟ ଏହାକୁ ବିରୋଧ କରି ପାଚେରି ନିକଟରେ ଧାରଣାରେ ବସିଥିଲେ ଏବଂ ଉଭୟ ପକ୍ଷର ଅମିନ ଓ ଆର୍ଆଇକୁ ଡକାଇ ମାପ କରାଇବାକୁ ଦାବି କରିଥିଲେ। ଏ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୁଇ ଦିନ ମଧ୍ୟରେ ଏହାର ମାପ ଉଭୟ ପକ୍ଷର ଅମିନ ଓ ଆର୍ଆଇଙ୍କ ଦ୍ୱାରା କରିବା ପାଇଁ ନିଷ୍ପତ୍ତି ହେବା ପରେ ଉଚ୍ଛେଦ ପାଇଁ ଯାଇଥିବା ବୁଲ୍ଡୋଜର ଫେରି ଆସିଥିଲା।
Follow Us