ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହାସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀ ମଧ୍ୟ ଉଦ୍ଘାଟିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହିନାହିଁ, ଏହା ଏକ ପରମ୍ପରାରେ ପରିଣତ ହୋଇଛି। ଆଦିବାସୀ ସଂସ୍କୃତିକୁ ଭଲ ପାଇବା ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆଦିବାସୀମାନଙ୍କ ଉତ୍ପାଦଗୁଡ଼ିକର ବିକ୍ରିବଟା ପାଇଁ ଏହି ମେଳାରେ ବଜାର ସୁବିଧା ସୃଷ୍ଟି ହୋଇଛି। ସେମାନଙ୍କର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏହି ମେଳା ଏକ ଉତ୍କୃଷ୍ଟ ମଞ୍ଚ। ଉଦ୍ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଲେ, ଜନଜାତି ଭାଇଭଉଣୀଙ୍କୁ ସାଂସ୍କୃତିକ ତଥା ସାମାଜିକ ଭାବଧାରାରେ ସଂପୃକ୍ତ କରିବାର ଆଭିମୁଖ୍ୟ ନେଇ ଏପରି ମେଳା ଆୟୋଜିତ ହୋଇଛି।
/sambad/media/post_attachments/wp-content/uploads/2022/04/34-22.jpg)
ଜନଜାତିଙ୍କ କଳା ଓ କାରିଗରୀ ତଥା ସୃଜନଶୀଳ ରୁଚିର ପ୍ରସାର ଏବଂ ସଂରକ୍ଷଣରେ ଏହି ମେଳା ଯଥେଷ୍ଟ ସହାୟକ ହେବ। ଏହି ଅବସରରେ ବିଏମ୍ସି ମେୟର ସୁଲୋଚନା ଦାସ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ଏସ୍ସିଏସ୍ଟି ଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଆଦିବାସୀ ଜର୍ଣ୍ଣାଲ, ବାଇଗା ଓ କୋଲି ଟ୍ରାଇବ ଉପରେ ଆଧାରିତ ଫଟୋ ହ୍ୟାଣ୍ଡବୁକସ୍, ଏସ୍ଟି ପପୁଲେସନ୍ ଆନାଲିସିସ୍ ଏବଂ ଏସ୍ସି ପପୁଲେସନ୍ ଆନାଲିସିସ୍ ଉନ୍ମୋଚିତ ହୋଇଥିଲା।
ଖୋଲିଲାନି ଫୁଡ୍ କୋର୍ଟ
ଆଦିବାସୀ ଖାଦ୍ୟର ଚାହିଦା ପର୍ଯ୍ୟଟକ ମାନଙ୍କ ମଧ୍ୟରେ ସବୁବେଳେ ରହିଥାଏ। କିନ୍ତୁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଖୋଲିନି ଆଦିବାସୀ ଫୁଡ୍ କୋର୍ଟ। ଫଳରେ ବହୁ ପର୍ଯ୍ୟଟକ ଏଥିପାଇଁ ଆପତ୍ତି କରିବା ସହ ନିରାଶ ହୋଇଥିଲେ। କରୋନା ପାଇଁ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଫୁଡ୍ କୋର୍ଟ ଖୋଲାଯାଇ ନାହଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
ସେଲ୍ଫି ପଏଣ୍ଟ
/sambad/media/post_attachments/wp-content/uploads/2022/04/35-22.jpg)
ଆଦିବାସୀ କଳା ଓ ବିଭିନ୍ନ ସାମଗ୍ରୀକୁ ନେଇ ମେଳାରେ ସେଲ୍ଫି ପଏଣ୍ଟ କରାଯାଇଛି। ଏହି ପଏଣ୍ଟକୁ ଆକର୍ଷଣୀୟ ଆଲୋକମାଳାରେ ସଜା ଯାଇଛି। ମେଳାକୁ ଆସୁଥିବା ଦର୍ଶକ ମାନଙ୍କ ମଧ୍ୟରେ ଏହି ଏହି ସ୍ଥାନ ମାନଙ୍କରେ ଫଟୋ ଉଠାଇବାକୁ ଉକଣ୍ଠା ଦେଖିବାକୁ ମିଳିଥିଲା। ଏହା ସହ ମେଳାରେ ଯାଜପୁରର ଦ ଗୋଲଡେନ ବୟ ସୂର୍ଯ୍ୟକାନ୍ତ ପାତ୍ରଙ୍କ ସହ ସେଲ୍ଫି ଉଠାଇବାକୁ ଛୋଟ ପିଲା ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।
ମେଳାରେ ଆଦିବାସୀ ଚିତ୍ରକର
/sambad/media/post_attachments/wp-content/uploads/2022/04/36-16.jpg)
ମେଳାରେ ଦୁଇ ଆଦିବାସୀ ଯୁବ ଚିତ୍ରକରଙ୍କ ଯାଦୁ ଦେଖିବାକୁ ମିଳିଥିଲା। ଯୁବକ ଦ୍ବୟ ହେଲେ ରାୟଗଡ଼ା ଗୁଣୁପୁରର ସାମସନ ଗମାଙ୍ଗ ଓ ଅଭି ଶବର। ସେମାନେ ଲୋକଙ୍କ ରୁଚି ଅନୁସାରେ ଟେକ୍ସଚର ସାହାଯ୍ୟରେ କାନ୍ଭାସ ଉପରେ ଚିତ୍ର କରି ବିକ୍ରି କରୁଥିଲେ। ତାଙ୍କୁ ଚିତ୍ର କରିବାକୁ ୧୫ରୁ ୩୦ ମିନିଟ୍ ସମୟ ଲାଗୁଥିବା ବେଳେ ଏହି ଆଦିବାସୀ କଳାଗୁଡ଼ିକ ୨୦୦ ଟଙ୍କାରୁ ୧୫୦୦ ଟଙ୍କାରେ ବିକ୍ରି ହେଉଥିବା ସେ କହିଛନ୍ତି।
ଚଳିତ ବର୍ଷ ୧୮୭ଟି ଷ୍ଟଲ
ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୮୭ଟି ଷ୍ଟଲ ଖୋଲାଯାଇଛି। ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକ୍ରିବଟା ପାଇଁ ୧୦୪ଟି ଷ୍ଟଲ ରହିଛି। ୪୪ଟି ଷ୍ଟଲରେ ଆଇଟିଡିଏ ଦ୍ୱାରା ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ। ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଆବଣ୍ଟନ କରାଯାଇଛି।
ଜାତୀୟ ଜନଜାତି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି। ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଆଦିବାସୀ କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍ମାସ୍ର ୧୫ଟି ଏବଂ ଟିଡିସିସିର ୨ଟି ଷ୍ଟଲରେ ଜନଜାତି ସାମଗ୍ରୀର ବିକ୍ରୟ କରାଯାଉଛି। ସୂଚନା ଓ ଲୋକସଂପର୍କ ବିଭାଗର ଗୋଟିଏ ଷ୍ଟଲ୍ରେ ଓଡ଼ିଶା ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମ ସହିତ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିର ଫଟୋଚିତ୍ର ସ୍ଥାନୀତ ହୋଇଛି। ମେଳାରେ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ଆଦିବାସୀ ସାଂସ୍କୃତିକ ସମାରୋହ ଆୟୋଜନ କରାଯାଉଛି। ଆଦିବାସୀ ମେଳା ଆସନ୍ତା ମେ’ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟହ ଅପରାହ୍ନ ୩ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ମେଳା ଖୋଲା ରହିବ।
Follow Us