ଭୁବନେଶ୍ୱର : ବିଏମ୍ସି ନିର୍ବାଚନ ପାଇଁ ମତଦାନ ବେଳେ ବିଭିନ୍ନ ବୁଥ୍ରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କେଉଁଠି ମତଦାନକୁ ନେଇ ତ କେଉଁଠି ଦଳୀୟ ଚିହ୍ନକୁ ନେଇ। ପୁଣି କେଉଁଠି ପୁଣି ଇଭିଏମ୍ ଖରାପ ଯୋଗୁଁ। ମତଦାନ ବେଳେ ମଲାଲୋକ ନାଁରେ ଭୋଟଦେଇ ଦେଲେଣି। କିଏ ଜଣଙ୍କ ନାଁରେ ଦୁଇ ଥର ଭୋଟ ଦେଲାଣି। ଯାହାକୁନେଇ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ମୁହାଁ ମୁହିଁ ହୋଇଥିଲେ।
ମତଦାନ ସମୟରେ ୩୨ ନମ୍ବର ୱାର୍ଡରେ ଉତ୍ତେଜନା ଦେଖାଦେଇଥିଲା। ଝାରପଡ଼ା ହାଇସ୍କୁଲ୍ର ଏକ ବୁଥ୍ରେ ନିର୍ଦ୍ଦିଷ୍ଟ ଦଳର ଜଣେ ଏଜେଣ୍ଟ ତାଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଭୋଟର୍ଙ୍କୁ ପ୍ରବର୍ତ୍ତାଉଥିଲେ। ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ଘଉଡ଼ାଇବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
୫୮ ନମ୍ବର ୱାର୍ଡର ପ୍ରାର୍ଥିନୀଙ୍କ ଭାଇ ତଥା ପୂର୍ବତନ କର୍ପୋରେଟର ମଳୟ ମହାପାତ୍ରଙ୍କୁ ଆଜି ମତଦାନ ଚାଲିଥିବା ସମୟରେ ପ୍ରାଣାନ୍ତକ ଆକମ୍ରଣ ହୋଇଛି। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଆଜି ପ୍ରାୟ ସାଢ଼େ ୪ଟାରେ ମଳୟଙ୍କ ପରିଚିତ ଲୋକ ଭୋଟ୍ ଦୋବକୁ ଯାଉଥିବା ବେଳେ ତାଙ୍କୁ ଶାସକ ଦଳର କିଛି କର୍ମୀ ଅଟକାଇଥିଲେ। ଏଠାକୁ କାହିଁକି ଆସିଛି ବୋଲି କହି ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ମଳୟ ଏନେଇ ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ପରେ ପ୍ରାୟ ୧୫ରୁ ଅଧିକ ଯୁବକ ମଳୟଙ୍କ କଲର ଧରି ଭିଡ଼ି ନେବା ସହ ଏକ ବସ୍ରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଏହା ପରେ ତାଙ୍କୁ ତଳେ ପକାଇ ଚଢ଼ି ଯାଇଥିଲେ। ଏପରିକି ବନ୍ଧୁକରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଳୟ ଅଭିଯୋଗ କରିଛନ୍ତି।
୯ ନମ୍ବର ୱାର୍ଡର ଗାଡ଼କଣ ବୁଥରେ ଉତ୍ତେଜନା ଦେଖାଦେଇଥିଲା। ନିର୍ବାଚନରେ ଅନିୟମିତତା ହେଉଥିବା ନେଇ ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ। ବିଜେଡି ପ୍ରାର୍ଥୀଙ୍କ ସମର୍ଥକମାନେ ଏଭଳି ଅଭିଯୋଗକୁ ଭିତ୍ତିହିନ କହିବା ପରେ ମତଦାନ କେନ୍ଦ୍ର ବାହାରେ ଉତ୍ତେଜନା ଦେଖାଦେଇଥିଲା। ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଖବର ପାଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ, ଏସିପି ସଞ୍ଜୀବ ଶତପଥୀଙ୍କ ସହ ମଞ୍ଚେଶ୍ବର ଥାନା ଆଇଆଇସି ସୁଧୀର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ କିଛିଟା ଶାନ୍ତ ପଡ଼ିଥିଲା। ପରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ବୁଥ୍ ପରିଦର୍ଶନରେ ଆସିଥିବା ସମୟରେ ଗାଡ଼କଣ ଗ୍ରାମବାସୀ ତାଙ୍କୁ ଅଟକାଇବା ସହ ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଯୋଗାଯୋଗ ହୋଇ ନ ପାରିବାରୁ ଗ୍ରାମବାସୀ ହୋ ହଲ୍ଲା କରିଥିଲେ। ସନ୍ଧ୍ୟାରେ ମତଦାନ କେନ୍ଦ୍ରରୁ ଇଭିଏମ୍ ନେବା ବେଳେ କିଛି ସମୟ ଲାଗି ଉତ୍ତେଜନା ପରିଲକ୍ଷିତ ହୋଇଥିଲା। ଏହି ୱାର୍ଡର କେନ୍ଦ୍ରୀୟ ବିଦ୍ୟାଳୟ-୩ ମତଦାନ କେନ୍ଦ୍ରରେ ମଧ୍ୟ ସକାଳୁ କିଛି ସମୟ ଲାଗି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ୧ ନମ୍ବର ୱାର୍ଡର ପ୍ରଶାନ୍ତି ବିହାର ୬ ନମ୍ବର ବୁଥ୍ରେ ବିଜେଡି ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ।
୬୭ ନମ୍ବର ୱାର୍ଡର କପିଳପ୍ରସାଦ ସରକାରୀ ବିଦ୍ୟାଳୟକୁ ଜଣେ ଯୁବକ ଭୋଟ୍ ଦେବାକୁ ଯାଇଥିଲା ବେଳେ ଇଭିଏମ୍ କାମ କରୁ ନ ଥିଲା। ଫଳରେ ଯୁବକ ଜଣଙ୍କ ବିଦ୍ୟାଳୟ ଭିତରେ ଅପେକ୍ଷା କରି ବସିଥିଲେ। କିନ୍ତୁ ପୁଲିସ୍ ତାଙ୍କୁ ବାହାରକୁ ଯିବାକୁ କହିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ବିଜେପି କର୍ମକର୍ତ୍ତାମାନେ ଏହାର ପ୍ରତିବାଦ କରିଥିଲେ। ପୁଲିସ ସହ ସେମାନଙ୍କ ଯୁକ୍ତିତର୍କ ହୋଇଥିଲା।
  
 Follow Us