ମେକ୍ ଇନ୍ ଓଡ଼ିଶା ୨୦୨୨: ରପ୍ତାନିକାରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କୁ ରିହାତି

Advertisment

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍‌ ଇନ୍‌ ଓଡ଼ିଶା କନ୍‌‌କ୍ଲେଭ୍‌-୨୦୨୨

ମେକ୍ ଇନ୍ ଓଡ଼ିଶା ୨୦୨୨: ରପ୍ତାନିକାରୀ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀଙ୍କୁ ରିହାତି

ଭୁବନେଶ୍ବର: ରାଜ୍ୟ ସରକାର ନୂଆ ରପ୍ତାନି ନୀତି ୨୦୨୨ ଆଣିଛନ୍ତି। ଏଥିରେ ରପ୍ତାନିକାରୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯାଇଛି। ଏଥିସହିତ ୧୨ ଜଣ ଉଦ୍ୟୋଗୀଙ୍କୁ ରପ୍ତାନି ପୁରସ୍କାର ମଧ୍ୟ ଆଜି ମେକ୍‌ ଇନ୍ ଓଡ଼ିଶା କନ‌କ୍ଲେଭ-୨୦୨୨ରେ ପ୍ରଦାନ କରାଯାଇଛି। ନୂଆ ରପ୍ତାନି ନୀତିରେ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀମାନେ କିଭଳି ଅଧିକରୁ ଅଧିକ ରପ୍ତାନି କରିବା ସୁବିଧା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ରପ୍ତାନି ଲାଇସେନ୍ସର ୫୦ ପ୍ରତିଶତ ଅର୍ଥ ଫେରସ୍ତ ବ୍ୟବସ୍ଥା ରହିଛି। ଏଥିରେ କ୍ବାଲିଟି ସାର୍ଟିଫିକେଟ, କଣ୍ଟ୍ରି କ୍ଲିୟରାନ୍ସ ସାର୍ଟିଫିକେଟ, ବାଣିଜ୍ୟମେଳାରେ ଅଂଶଗ୍ରହଣ ଆଦି କ୍ଷେତ୍ରରେ ସବସିଡି ‌ପ୍ରଦାନ କରାଯିବା ନେଇ ସୁବିଧା ରହିଛି।

ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨କୁ ମଧ୍ୟ ଉନ୍ମୋଚନ କରାଯାଇଛି। ୨୦୧୬ ମସିହାର ନୀତି ତୁଳନାରେ ଏଥିରେ ଅନେକ ଆକର୍ଷଣୀୟ ପ୍ରସ୍ତାବ ରହିଛି। ପୂର୍ବ ନୀତିରେ ନିବେଶକମାନଙ୍କୁ ୨୫ ପ୍ରତିଶତ କ୍ୟାପିଟାଲ ଇନେଭଷ୍ଟମେଣ୍ଟ ସବସିଡି ଦେବାର ବ୍ୟବସ୍ଥା ରହିଥିବାବେଳେ ଏହାକୁ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥିସହିତ ମହିଳା, ଏସସି, ଏସଟି ଏବଂ ବୈଷୟିକ ଡିଗ୍ରିଧାରୀମାନଙ୍କ ପାଇଁ ଅଧିକ ୫ ପ୍ରତିଶତ ଅର୍ଥାତ ୩୫ ପ୍ରତିଶତ ସବସିଡି ସୁବିଧା ରହିଛି। ଏହାବ୍ୟତୀତ ରାଜ୍ୟର ୧୩ଟି ପଛୁଆ ଜିଲ୍ଲାରେ, ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ବରେ ଏବଂ ବର୍ତ୍ତମାନର ଇ‌ଡକୋ ଶିଳ୍ପାଞ୍ଚଳରେ ନିବେଶ କରିଲେ ଉଦ୍ୟୋଗୀମାନଙ୍କୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେବାର ବ୍ୟବସ୍ଥା ରହିଛି ବୋଲି ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇଛନ୍ତି। ଏହାବ୍ୟତୀତ ସୌରଶକ୍ତି ବ୍ୟବହାର କରିଲେ ଏହାର ପୁଞ୍ଜିନିବେଶ ଉପରେ ୫ ପ୍ରତିଶତ ରିହାତି ଦିଆଯିବା ନେଇ ନୂଆ ନୀତିରେ ବ୍ୟବସ୍ଥା ରହିଥିବା ସେ କହିଛନ୍ତି। ଆଜି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨୧ଟି ସଂସ୍ଥାଠାରୁ ୧୪୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ବାରା ରାଜ୍ୟରେ ୧୦ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବ। ସେହିଭଳି ୨୧ଟି ରପ୍ତାନି ଉଦ୍ୟୋଗୀଙ୍କ ଠାରୁ ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe