ଓଇଏସ୍‌ରେ ବନ୍ୟପ୍ରାଣୀ ସପ୍ତାହରେ ବିଶେଷଜ୍ଞଙ୍କ ଆହ୍ବାନ ‘ଜଙ୍ଗଲଗୁଡ଼ିକ ମଧ୍ୟରେ ସଂଯୋଗ କରିଡର୍‌ ହେଉ’

ବର୍ତ୍ତମାନ ସମୟରେ ବିଶ୍ବର ସମସ୍ତ ପ୍ରକାର ଜଙ୍ଗଲ, ମାନବ ସୃଷ୍ଟ ବିଭିନ୍ନ ସଂକଟର ସମ୍ମୁଖୀନ ହେଉଛନ୍ତି। ଶିଳ୍ପାୟନ, ଖଣି ଉତ୍ତୋଳନ, ସହରୀକରଣ, ରାସ୍ତା, ରେଳପଥ ନିର୍ମାଣ, କୃଷି...

Untitled-3

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ବିଶ୍ବର ସମସ୍ତ ପ୍ରକାର ଜଙ୍ଗଲ, ମାନବ ସୃଷ୍ଟ ବିଭିନ୍ନ ସଂକଟର ସମ୍ମୁଖୀନ ହେଉଛନ୍ତି। ଶିଳ୍ପାୟନ, ଖଣି ଉତ୍ତୋଳନ, ସହରୀକରଣ, ରାସ୍ତା, ରେଳପଥ ନିର୍ମାଣ, କୃଷି ସମ୍ପ୍ରସାରଣ ପରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ ଦ୍ୱାରା ଜଙ୍ଗଲଗୁଡ଼ିକର ବିଖଣ୍ଡନ ହେଉଛି। ଏହାକୁ ରୋକିବାକୁ ଜଙ୍ଗଲଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନକାରୀ ଚଲାପଥ ବା କରିଡର ସ୍ଥାପନ, ସେମାନଙ୍କ ଜୈବ ବିବିଧତା ଓ ପରିସଂସ୍ଥୀୟ ସ୍ୱାସ୍ଥ୍ୟ ବଜାୟ ରଖିବା ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଓଡ଼ିଶା ପରିବେଶ ସମିତି(ଓଇଏସ୍‌) ପକ୍ଷରୁ ଆୟୋଜିତ ‘ଜଙ୍ଗଲ ସଂଯୋଗୀକରଣର ଗୁରୁତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଓଇଏସ୍‌ କାର୍ଯ୍ୟକାରୀ ସଭାପତି ଜୟକୃଷ୍ଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସିଏଫ୍‌(ବନ୍ୟପ୍ରାଣୀ) ବିଜୟ କେତନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜଙ୍ଗଲ ସଂଯୋଗପଥଗୁଡ଼ିକ ବୃକ୍ଷର ମଞ୍ଜି ପକାଇବା ଏବଂ ପରାଗସଙ୍ଗମ ଭଳି ପରିବେଶୀୟ ପ୍ରକ୍ରିୟାକୁ ବଜାୟ ରଖିବାରେ ସାହାଯ୍ୟ କରନ୍ତି। ଏହା ଉଦ୍ଭିଦଙ୍କ ପ୍ରସାରଣ ଓ ପରିସଂସ୍ଥାର ସ୍ଥିରତା ରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଓଡ଼ିଶାରେ ଘଟୁଥିବା ମଣିଷ-ବନ୍ୟପ୍ରାଣୀ ସଂଘର୍ଷରେ ମୃତ୍ୟୁହାର ଅଧିକ ହେଉଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟରେ ଉପଯୁକ୍ତ ଚଲାପଥ ଚିହ୍ନଟ କରିବାକୁ ଏକ ନୂତନ ସର୍ଭେ କରିବାକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ୱର ସିଟି ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଲେ ଯେ ଅଧିକ ସଂଯୋଗପଥ ନିର୍ମାଣ ସଂଯୋଗ ସେତୁ ଭାବେ କାର୍ଯ୍ୟ କରିବ। ଏହା ବନ୍ୟପ୍ରାଣୀଙ୍କୁ ଖଣ୍ଡିତ ବାସସ୍ଥାନ ମଧ୍ୟରେ ପ୍ରଚଳନ କରିବାକୁ ଅନୁମତି ଦେବ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିବେଶଗତ ପରିବର୍ତ୍ତନ ପ୍ରତି ପରିସଂସ୍ଥାର ସ୍ଥିତି ସ୍ଥାପକତାରେ ବୃଦ୍ଧି ଘଟାଇବ। ରାଜ୍ୟରେ ଅଧିକ ସଂରକ୍ଷିତ ଅଞ୍ଚଳ ପ୍ରତିଷ୍ଠା ଓ ଜଙ୍ଗଲରେ ପ୍ରାଣୀମାନଙ୍କ ଗତିବିଧିର ଉପଗ୍ରହ-ଆଧାରିତ ବିଶ୍ଳେଷଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକାରୀ ସଭାପତି ଶ୍ରୀ ପାଣିଗ୍ରାହୀ କହିଲେ ଜଙ୍ଗଲ କରିଡରଗୁଡ଼ିକ କେବଳ ବନ୍ୟପ୍ରାଣୀଙ୍କୁ ସାହାଯ୍ୟ କରେ ନାହିଁ, ମାନବ କଲ୍ୟାଣ ନିମନ୍ତେ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଓଇଏସ୍‌ ସଭାପତି ସୁନ୍ଦର ନାରାୟଣ ପାତ୍ର ଅନ୍‌ଲାଇନ୍‌ରେ ଯୋଗଦେଇ ଜୈବ ବିବିଧତା ସଂରକ୍ଷଣ, ପରିସଂସ୍ଥା କାର୍ଯ୍ୟ ସମ୍ପାଦନ ଓ ଜନକଲ୍ୟାଣକୁ ସମର୍ଥନ କରିବାକୁ ଜଙ୍ଗଲ ସଂଯୋଗପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଓଇଏସ୍‌ ସମ୍ପାଦକ ମନୋରଞ୍ଜନ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଲାଲା ଏକେ ସିଂହ, ପ୍ରକାଶ ଚନ୍ଦ୍ର ଜେନା, ଦିଲୀପ ରାୟ, ସୁଧାକର କର, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ସୁରେଶ ଚନ୍ଦ୍ର ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁଗ୍ମ ସମ୍ପାଦକ ସୁରଭି ଜୈନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe