ରାଜଭବନ ନିକଟ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣା, ଡିଏନ୍‌ଏ ଖୋଲିବ ରହସ୍ୟ

ରାଜଭବନ ନିକଟ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣା, ଡିଏନ୍‌ଏ ଖୋଲିବ ରହସ୍ୟ

ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ନିଖୋଜ ସାଇଟ୍ ଇଞ୍ଜିନିୟର୍‌ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଖୋଲିବ ଡିଏନ୍ଏ ପରୀକ୍ଷା। ଡିଏନ୍ଏ ପରୀକ୍ଷା ପାଇଁ ସୀମାଞ୍ଚଳଙ୍କ ବାପା ତ୍ରିନାଥ ପରିଡ଼ା ଓ ମା’ ମାଳାଙ୍କର ଆଜି କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ସଂଗ୍ରହ କରାଯାଇଛି। ବିସ୍ଫୋରଣସ୍ଥଳରୁ ଜବତ ମାଂସଖଣ୍ଡଗୁଡ଼ିକରୁ ସଂଗୃହୀତ ହାଡ଼ର କିଛି ଅଂଶ ଓ ସୀମାଞ୍ଚଳଙ୍କ ବାପା, ମା’ଙ୍କ ରକ୍ତ ନମୁନା ମେଳ କରିବା ପାଇଁ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ପଠା ଯାଇଛି। ସେଠାରେ ଡିଏନ୍ଏ ପରୀକ୍ଷା କରାଯିବ। ମାଂସଖଣ୍ଡଗୁଡ଼ିକ ଜଣଙ୍କର ନା ଏକାଧିକ ବ୍ୟକ୍ତିଙ୍କର; ତାହା ମଧ୍ୟ ଡିଏନଏ ପରୀକ୍ଷାରୁ ସ୍ପଷ୍ଟ ହୋଇଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସେପଟେ ମାଂସ ଖଣ୍ଡଗୁଡ଼ିକ ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ଏହାର ଏକ ରିପୋର୍ଟ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କମିସନରେଟ୍‌ ପୁଲିସକୁ ପ୍ରଦାନ କରାଯାଇଛି। ଏହି ମାଂସ ଖଣ୍ଡଗୁଡ଼ିକ ମଧ୍ୟରେ ଜଙ୍ଘ, ପାଦ, ପାପୁଲି, ମେରୁଦଣ୍ଡ, ଖପୁରି, ଚୁଟି ଗୋଚ୍ଛା, କଙ୍କାଳ ହାଡ଼, ପଞ୍ଜରା ହାଡ଼ ଆଦି ରହିଛି। ଏହା ଜଣେ ବ୍ୟକ୍ତିଙ୍କର ବୋଲି ସମ୍ଭବତଃ ଲାଗୁଥିଲେ ବି ଡିଏନ୍‌ଏ ଟେଷ୍ଟ ରହସ୍ୟ ଖୋଲିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ଚିହ୍ନଟ ପାଇଁ ଏକମାତ୍ର ଓ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାଜଭବନ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଗଞ୍ଜାମ ଖଲ୍ଲିକୋଟର ସତ୍ୟ ନାୟକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଭରଦ୍ବାଜ ଶ୍ରୀବାସ୍ତବ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ତେବେ ବିସ୍ଫୋରଣ ପରଠାରୁ ସୀମାଞ୍ଚଳ ନିଖୋଜ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe