ଉଦ୍‌ବେଗଜନକ ସ୍ଥିତିରେ ଆତ୍ମହତ୍ୟା: ମୁଣ୍ଡ ନେଉଛି ପରକୀୟା ପ୍ରୀତି

Advertisment

ଧୋକା, ଏକତରଫା ପ୍ରେମରେ ଯାଉଛି ଜୀବନ

ଧୋକା, ଏକତରଫା ପ୍ରେମରେ ଯାଉଛି ଜୀବନ

ଉଦ୍‌ବେଗଜନକ ସ୍ଥିତିରେ ଆତ୍ମହତ୍ୟା: ମୁଣ୍ଡ ନେଉଛି ପରକୀୟା ପ୍ରୀତି

ଭୁବନେଶ୍ବର: କାଳ ସାଜୁଛି ପରକୀୟା ପ୍ରୀତି। ଆଉ ଜୀବନ ହରାଉଛନ୍ତି ଜଣକ ପରେ ଜଣେ। ରାଜଧାନୀ ଭୁବନେଶ୍ବରରେ ଏବେ ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳୁଛି। କେତେବେଳେ କିଏ ପ୍ରେମ ପ୍ରତାରଣା ଅସହ୍ୟ ହେବାରୁ ଜୀବନ ହାରୁଛି ତ ’ ଆଉ କିଏ ପ୍ରେମରେ ବିଫଳ ହୋଇ କରୁଛି ଆତ୍ମହତ୍ୟା। ଚଳିତ ବର୍ଷ ୮ମାସ ମଧ୍ୟରେ ରାଜଧାନୀରେ ବିଫଳ ପ୍ରେମ, ପରକୀୟା ପ୍ରୀତି, ପ୍ରତାରଣା ଭଳି ମାଳମାଳ ଘଟଣା ସାମ୍ନାକୁ ଆସିଛି। କେବଳ ଅବିବାହିତ ଯୁବ ପିଢ଼ି କାହିଁକି ବିବାହିତ ପୁରୁଷ ଓ ମହିଳାମାନେ ମଧ୍ୟ ପରକୀୟା ପ୍ରୀତିରେ ସଂପୃକ୍ତ ରହୁଛନ୍ତି।

publive-image Consolace Counselling Services

ପୁଲିସ ମଧ୍ୟ ଏଥିରୁ ବାଦ୍ ପଡ଼ୁ ନାହିଁ। ସିନେ ତାରକାଙ୍କ କଥା ନ କହିଲେ ଭଲ। ବର୍ଷ ଆରମ୍ଭରୁ ନନ୍ଦନବିହାର ଅଞ୍ଚଳର ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚା ଜୋର୍ ଧରିଥିଲା ବେଳେ ବଡ଼ଗଡ଼ ଅଞ୍ଚଳରେ ତ୍ରିକୋଣୀୟ ପ୍ରେମକୁ ନେଇ ନୂଆ ପ୍ରେମିକ ପୁରୁଣା ପ୍ରେମିକକୁ ଛୁରି ଭୁସି ହତ୍ୟା ଉଦ୍ୟମ କରିଥିଲା। ତେବେ ଏହି ଦୁଇ ଚାରିଟି ଘଟଣା ନୁହେଁ, ରାଜଧାନୀରେ ଗତ ୮ମାସ ହେଲା ପ୍ରେମକୁ ନେଇ ଅନେକ ଅଭାବନୀୟ କାଣ୍ଡ ଘଟିଛି।

କିଛି ଚର୍ଚ୍ଚିତ ଘଟଣା

ଫେବ୍ରୁଆରି ୧: ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା ମଡେଲ୍ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା କରିବା। ପ୍ରେମିକା ତଥା କଣ୍ଠଶିଳ୍ପୀ ସୋନାଲି ନନ୍ଦ ତାଙ୍କୁ ଧୋକା ଦେବା କାରଣରୁ ସେ ଫ୍ୟାନ୍‌ରେ ଝୁଲିପଡ଼ିଥିଲେ। ମୃତ୍ୟୁ ପୂର୍ବରୁ ସୋନାଲିଙ୍କ ପ୍ରତାରଣା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଥିବା ଏକ ସୁଇସାଇଡ୍ ନୋଟ୍ ପୁଲିସ ଜବତ କରିଥିଲା। ହେଲେ ଘଟଣାରେ ପୁଲିସର ତଦନ୍ତ କେବଳ ଅପମୃତ୍ୟୁରେ ସୀମିତ ଥିଲା।
ମାର୍ଚ୍ଚ ୩: ବିହାରରୁ ରାଜଧାନୀକୁ କାମ କରିବାକୁ ଆସିଥିବା ମିସ୍ତ୍ରି ଆଜାଦ୍ ଯାଦବ ହଠାତ୍ ୨୫ ଫେବ୍ରୁଆରିରେ ନିଖୋଜ ହୋଇଯାଇଥିଲେ। ଏହାର ସପ୍ତାହେ ପରେ ତାଙ୍କର ମୃତଦେହ କଟକ ମହାନଦୀ ପଠାରୁ ମିଳିଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଠିକାଦାର ମୁନିଲାଲ୍ ଶର୍ମାଙ୍କ ପତ୍ନୀ ସହିତ ଆଜାଦର ଅବୈଧ ସଂପର୍କ ଥିଲା। ତେଣୁ ମୁନିଲାଲ୍ ତାଙ୍କୁ ମଦ ପିଇବାକୁ ଡାକି ହତ୍ୟା କରିଥିଲେ।
ଜୁନ୍ ୧୭: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ନୂଆପଲ୍ଲୀର ଏକ ଭଡ଼ାଘରୁ ମିଳିଥିଲା। ପ୍ରେମିକ ସନ୍ତୋଷ ପାତ୍ରଙ୍କୁ ମନ୍ଦିରରେ ବିବାହ କରିଥିଲେ ହେଁ ପୁରୁଣା ପ୍ରେମିକ ରାଜାଙ୍କୁ ନେଇ ତାଙ୍କ ଭିତରେ ବିବାଦ ଉପୁଜିଥିଲା। ଶେଷରେ ରଶ୍ମିରେଖା ଘଟଣା ବାବଦରେ କାହାକୁ କିଛି ନ କହି ଆତ୍ମହତ୍ୟା କରିଥିଲେ। ଅପରପଟେ ରଶ୍ମିରେଖାଙ୍କ ଆତ୍ମହତ୍ୟାରେ ଭାଙ୍ଗି ପଡ଼ି ମାତ୍ର ୨ସପ୍ତାହ ମଧ୍ୟରେ ପ୍ରେମିକ ସନ୍ତୋଷ ବି ନିଜ ଜୀବନ ହାରିଥିଲେ।
ଜୁଲାଇ ୨୩: ଚକଲେଟ୍ ବୟ ବାବୁସାନ ତାଙ୍କ ଅଭିନେତ୍ରୀ ପ୍ରକୃତିଙ୍କୁ କାର୍‌ରେ ନେଇ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ପତ୍ନୀ ତୃପ୍ତି ଗାଡ଼ି ଅଟକାଇ ରାସ୍ତା ଉପରେ ଉଭୟଙ୍କୁ ଧୂଲେଇ କରିଥିଲେ। ଆଉ ଏହା ପରେ ବାବୁସାନ୍ ଓ ପ୍ରକୃତିଙ୍କ ସମ୍ପର୍କକୁ ନେଇ ପତ୍ନୀ ତୃପ୍ତି ଗଣମାଧ୍ୟମରେ ଚକିତ କଲା ଭଳି ବୟାନ୍ ଦେବା ସହିତ ସ୍ବାମୀ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଥିଲେ। ପ୍ରକୃତି ମଧ୍ୟ ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଥାନା ଓ କୋର୍ଟରେ ଅଭିଯୋଗ କରିଛନ୍ତି।
ଅଗଷ୍ଟ: ପ୍ରାୟ ସପ୍ତାହେ କାଳ ପ୍ରେମିକ ସହିତ ବୁଲି ଘରକୁ ଫେରିବା ପରେ ସ୍ବାମୀ ତାଙ୍କୁ ଫୋନ୍ ନ ଦେବାରୁ ପ୍ରେମିକ ଘରେ ପଶି ସ୍ବାମୀ ଓ ତାଙ୍କ ୨ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଭରତପୁର ଥାନା ଅଞ୍ଚଳରେ ଘଟିଥିବା ଏହି ମାମଲାରେ ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

publive-image times of india

ପୁଲିସ ବି ବାଦ୍ ପଡ଼ିନି

ଫେବ୍ରୁଆରି ମାସରେ ନୂଆପଲ୍ଲୀ ଥାନାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଥାନାର ଜଣେ କନେଷ୍ଟବଳ ତାଙ୍କ ପତ୍ନୀଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଥିଲେ। ଥାନା ଅଧିକାରୀ ଆପୋସ ବୁଝାମଣା ପାଇଁ ଉଦ୍ୟମ କରି ପ୍ରଥମେ କନେଷ୍ଟବଳ ପତ୍ନୀଙ୍କ ପ୍ରେମିକକୁ ସକାଳୁ ଥାନାକୁ ଉଠାଇ ଆଣିଥିଲେ। ସନ୍ଧ୍ୟା ବେଳେ କନେଷ୍ଟବଳଙ୍କ ପତ୍ନୀ ଥାନାରେ ହଙ୍ଗାମା କରିବା ସହିତ ତାଙ୍କ ପ୍ରେମିକକୁ ଛାଡ଼ିବାକୁ କହିଥିଲେ। ଏପରିକି ନ ଛାଡ଼ିଲେ ଥାନାରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଫଳରେ ପୁଲିସ ଭୟରେ ଯୁବକଙ୍କୁ ଛାଡ଼ିଥିଲା। କେବଳ ଏତିକି ନୁହେଁ, ରିଜର୍ଭ ବାଟାଲିୟନ୍‌ର ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ ସ୍ବାମୀର ପରକୀୟା ପ୍ରୀତି ଘଟଣା ଜାଣିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରାୟ ୨ଦିନ କାଳ ମେଡିକାଲରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।

୫ବର୍ଷରେ ୨୭୦ ମୁଣ୍ଡ ଗଡ଼ିଛି

ଏନ୍‌ସିଆର୍‌ବି ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁସାରେ, କେବଳ ରାଜଧାନୀ ନୁହେଁ ପୂରା ରାଜ୍ୟରେ ପ୍ରେମ ଓ ପରକୀୟା ପ୍ରୀତିକୁ ନେଇ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତି ବର୍ଷ ପରକୀୟା ପ୍ରୀତିକୁ କେନ୍ଦ୍ର କରି ୫୦ରୁ ଅଧିକ ହତ୍ୟାକାଣ୍ଡ ଘଟୁଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୨୭୦ରେ ପହଞ୍ଚିଛି।

publive-image

ଆଉ ଗତ ୫ବର୍ଷର ତଥ୍ୟ ହିସାବକୁ ନେଲେ ପ୍ରାୟ ୨୭୦ ଜଣ ପ୍ରେମ ବ୍ୟାପାରକୁ ନେଇ ହତ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ସେହିଭଳି ୨୦୨୧ରେ ୬ଜଣ ପୁରୁଷ ଓ ୭ଜଣ ମହିଳା ପରକୀୟା ପ୍ରୀତିର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି। ଅପରପଟେ ପ୍ରେମ ପରେ ପ୍ରତାରଣା ହେବାରୁ ବା ବିବାହ ପାଇଁ ରାଜି ନ ହେବାରୁ ୩୯ଜଣ ମହିଳା ଓ ୨୩ଜଣ ପୁରୁଷ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe