ନନ୍ଦନକାନନରେ ଗ୍ରୀଷ୍ମ ମୁକାବିଲା, ଠୁଳ ହେଲା ଜଳ, ଫଳ, ଆଖୁ

ନନ୍ଦନକାନନରେ ଗ୍ରୀଷ୍ମ ମୁକାବିଲା, ଠୁଳ ହେଲା ଜଳ, ଫଳ, ଆଖୁ

ବାରଙ୍ଗ/ତ୍ରିଶୁଳିଆ: ଗ୍ରୀଷ୍ମ ପ୍ରବାହରୁ ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନନ୍ଦନକାନନ ପାଇଁ ପ୍ରଚୁର ଜଳ ଯୋଗାଣ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ବେଳେ ଫଳମୂଳ ଖାଇ ବଞ୍ଚୁଥିବା ଜୀବଜନ୍ତୁଙ୍କ ପାଇଁ ଯଥେଷ୍ଟ ପରିମାଣର ଫଳ ମହଜୁଦ କରାଯାଉଛି। ପ୍ରଚୁର ଆଖୁ ଯୋଗାଣ ସାଙ୍ଗକୁ କାକୁଡ଼ି, ତରଭୁଜ, ଅଙ୍ଗୁର, ସେଓ, ପଇଡ଼ ଓ ଅମୃତଭଣ୍ଡା ଆଦି ଫଳ ମହଜୁଦ ରଖିବାକୁ ପଦକ୍ଷେପ ନିଆଯାଇଛି। ସେହିଭଳି ଜଳ ସିଞ୍ଚନ ମେସିନ୍‌ ସବୁକୁ ପ୍ରସ୍ତୁତ ରଖିବାକୁ ଟେକ୍ନିସିଆନ୍‌ମାନେ ଲାଗିପଡ଼ିଛନ୍ତି।

ପକ୍ଷୀ ଓ ମାଙ୍କଡ଼ ଜାତୀୟ ଜୀବଙ୍କ ଲାଗି କାକୁଡ଼ି, ତରଭୁଜ, ସେଓ, ଅଙ୍ଗୁର, ଅମୃତ ଭଣ୍ତା ଭଳି ଫଳ ଯୋଗାଇ ଦିଆଯିବ। ହାତୀମାନଙ୍କୁ ଦିନରେ ଦୁଇ ଥର ଗାଧୋଇ ଦିଆଯିବ। ତେଣୁ ହାତୀ ସଫାରି ପରିସରରେ ଥିବା ଜଳକୁଣ୍ଡରେ ପ୍ରଚୁର ପାଣି ରହିବ ଓ ନିୟମିତ ବ୍ୟବଧାନରେ ପାଣି ବଦଳାଇ ଦିଆଯିବ। ସେମାନଙ୍କୁ ପ୍ରଚୁର ପରିମାଣର ଆଖୁ ଖାଇବାକୁ ଦିଆଯିବ। ମୟୂର, ଅଷ୍ଟ୍ରିଚ୍‌, ଏମୁ ,ଫିଜାଣ୍ଟ୍‌ ଆଦି ପକ୍ଷୀମାନଙ୍କ ପାଇଁ ପାଣି ବଡ଼ବଡ଼ ମାଟି ପାତ୍ରରେ ପାଣି ରଖିବାକୁ ବ୍ୟବସ୍ଥା କରାଯାଇଛି। ଗୋଲ୍‌ଡେନ୍‌ ଫିଜାଣ୍ଟ ଭଳି ପକ୍ଷୀମାନଙ୍କ ଏନ୍‌କ୍ଲୋଜର୍‌ର ଅଧା ପର୍ଯ୍ୟନ୍ତ ବେଣା ଚେରରୁ ତିଆରି ମ୍ୟାଟ୍‌ ଓ ଲିଙ୍କ୍‌ ଜାଲ ଟଣାଯିବ। ସେଥିରେ ଦିନକୁ ୨ରୁ ୩ ଥର ଜଳ ସିଞ୍ଚ‌ନ କରାଯିବ। ତୃଣଭୋଜି ଜୀବ ଓ ପକ୍ଷୀମାନଙ୍କ ଘର ଛାତରେ ନଡ଼ା ଓ ବାଉଁଶ ତାଟି ପକାଇ ଛପର କରାଯାଉଛି।

ହରିଣ, ସମ୍ବର ଓ ଜିରାଫ ଖୁଆଡ଼ରେ ଲାଗିଥିବା ଜଳ ସିଞ୍ଚ‌ନ ଯନ୍ତ୍ର ସବୁକୁ ମରାମତି କରାଯାଇଛି। ସିମ୍ପାଜିଙ୍କ ଖାଇବା ପାଇଁ ପଇଡ଼, ତରଭୁଜ ଆଦି ଦିଆଯିବା ସହ ସେମାନଙ୍କ ଏନ୍‌କ୍ଲୋଜର୍‌ରେ ଏୟାର୍‌କୁଲର୍‌ ଲଗାଇବାର ବ୍ୟବସ୍ଥା କରାଯାଇଛି। ବାଘ, ସିଂହ, ଗଧିଆଙ୍କ ଖୁଆଡ଼ ପରିସରସ୍ଥ ଜଳକୁଣ୍ତରେ ପ୍ରଚୁର ଜଳ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଉକ୍ତ ଜଳକୁ ବାରମ୍ବାର ବଦଳାଯିବ ବୋଲି କର୍ମଚାରୀମାନଙ୍କୁ ତାଗିଦ୍‌ କରାଯାଇଛି। ବଡ଼ କଥା ହେଉଛି, ଫିଡିଙ୍ଗ୍‌ ଚାମ୍ବର ଦିନ ସାରା ଖୋଲା ରହିବ। ଯଦି କୌଣସି ଜନ୍ତୁ ଗରମ ପ୍ରଭାବରେ କ୍ଲାନ୍ତ ଜଣାପଡ଼ନ୍ତି, ତୁରନ୍ତ ସେମାନଙ୍କୁ ମଲ୍‌ଟିଭିଟାମିନି ଓ ଇଲେକେ୍‌ଟ୍ରାଲ୍‌ ପାଉଡର ଦେବାକୁ ବ୍ୟବସ୍ଥା କରାଯାଇଛି। କେତେକ ଖୁଆଡ଼ରେ ଏସି ଲଗାଇବାର ବ୍ୟବସ୍ଥା କରାଯାଇଛି।

publive-image

ଗତ ଦୁଇ ଦିନ ହେଲା ଅସହ୍ୟ ଗରମ ଅନୁଭୂତ ହୋଇଛି। ଫଳରେ ନନ୍ଦନକାନନର ଜୀବଜନ୍ତୁମା‌ନେ ଏକପ୍ରକାର ଛଟପଟ ହୋଇଥିଲେ। ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ଜଳ ସିଞ୍ଚନ ଯନ୍ତ୍ର ସବୁକୁ ମରାମତି କରାଇଥିଲେ ଏବଂ ମଧ୍ୟାହ୍ନରେ ବାଘ, ସିଂହ ଓ ଜିରାଫ୍‌ଙ୍କ ଖୁଆଡ଼ରେ ଜଳ ସିଞ୍ଚନ କରାଯାଇଥିଲା। ସେହିଭଳି ସମ୍ପାଞ୍ଜି, ତାମାରିନ୍‌, ଗୁଣ୍ଡୁଚି ମାଙ୍କଡ଼ ଓ କାପାଚିନୋ ମାଙ୍କଡ଼ଙ୍କ ଘରେ ଏସି ଚାଲୁ କରାଯାଇଥିଲା। ବାଘ, ସିଂହ ଓ ଭାଲୁ ଖୁଆଡ଼ର ପାଣି କୁଣ୍ଡରେ ବରଫ ପକାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe