ଗାଁକୁ ଲାଗି ଜଳୁଛି ଇଟାଭାଟି, ଗରମରେ ଆଉଟୁପାଉଟୁ ଗ୍ରାମବାସୀ

Advertisment
ଗାଁକୁ ଲାଗି ଜଳୁଛି ଇଟାଭାଟି, ଗରମରେ ଆଉଟୁପାଉଟୁ ଗ୍ରାମବାସୀ

ବାଲିପାଟଣା: ଗାଁକୁ ଲାଗି ଜଳୁଛି ଇଟାଭାଟି। ମେ ମାସର ଅସହ୍ୟ ଗରମ ସାଙ୍ଗକୁ ଜଳନ୍ତା ଇଟାଭାଟିର ତାତିରେ ଗାଁ ସାରା ଲୋକେ ଆଉଟୁପାଉଟୁ ହେଉଛନ୍ତି। ଛୋଟ ପିଲା ଓ ବୟସ୍କ ଲୋକେ ସିଝି ଯାଉଛନ୍ତି ପ୍ରବଳ ଗରମରେ। ଅଥଚ ଜିଲ୍ଲା ପ୍ରଶାସନ ଉଦାସୀନ। ଲୋକ ଦେଖାଣିଆ ତାଗିଦ୍ କରି ପରୋକ୍ଷରେ ବେଆଇନ ଇଟାଭାଟିକୁ ପ୍ରୋତ୍ସାହନ ଯୋଗାଉଛି ଜିଲ୍ଲା ପ୍ରଶାସନ। ଏମିତି ଅଭିଯୋଗ କରିଛନ୍ତି ବାଲିପାଟଣା ବନମାଳୀପୁର ଭାପୁର ପଞ୍ଚାୟତ ଦିୱାନପାଟଣା ଗ୍ରାମବାସୀମାନେ। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଓ ବାଲିପାଟଣା ତହିସିଲଦାରଙ୍କୁ ଅଭିଯୋଗ କରିବା ଓ ସେମାନେ ଭାଟି ବନ୍ଦ କରିବାକୁ ତାଗିଦ୍ କରିବା ପରେ ମଧ୍ୟ ଗାଁକୁ ଲାଗି ଇଟାଭାଟି ଜଳୁଥିବାରୁ ଲୋକେ ଜିଲ୍ଲା ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଭି‌ଯୋଗ ଅନୁସାରେ ଦିୱାନାପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ ଗାଁକୁ ଲାଗି ଏକ ଇଟା ଭାଟି ନିର୍ମାଣ କରିଛନ୍ତି। ତେଣୁ ସ୍ଥାନୀୟ ଯୁବକମାନେ ଏହି ବେଆଇନ ଭାଟିକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ସେମାନେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଓ ବାଲିପାଟଣା ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତହସିଲଦାର ପଦ୍ମଜା ଦାଶ ଭାଟି ମାଲିକ ପୂର୍ଣଙ୍କୁ ୨୭/୩ ରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରୁ ମଧ୍ୟ ୧୮/୦୫/୨୦୨୦ ତାରିଖ ଚିଠି ନଂମ୍ବର ୪୩୦୨ରେ ଉକ୍ତ ବେଆଇନ ଇଟା ଭାଟି ବନ୍ଦ କରିବା ପାଇଁ ବାଲିପାଟଣା ତହସିଲକୁ ନିର୍ଦ୍ଦେଶ ଆସିଥିଲା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ବେଆଇନ କାର୍ଯ୍ୟ ବନ୍ଦ ଲାଗି ସେଥିରେ ଉଲ୍ଲେଖ ଅଛି। ନିୟମ ଉଲ୍ଲଘନ ହେଲେ ଇଟା ଗୁଡିକୁ ପାଣି ପକାଇ ଲିଭାଇ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। କିନ୍ତୁ ଗତକାଲି ସନ୍ଧ୍ୟାରେ ଉକ୍ତ ଭାଟିରେ କଞ୍ଚା ଇଟା ଲଦି ନିଆଁ ଲଗାଯାଇଛି। ତେଣୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଗ୍ରାମବାସୀମାନେ। ପ୍ରଶାସନର ତାଗିଦ୍‌ ପରେ ଇଟା ଭାଟିରେ ନିଆଁ ଲଗାଯିବା ଘଟଣାକୁ ସାଧାରଣ ଜନତା ସହଜରେ ହଜମ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଯେ ବେଆଇନ ଭାଟି ନିର୍ମାଣ ବିରୋଧରେ ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରାଗଲା। ରାଜ୍ବସ ନିରୀକ୍ଷକ ଘଟଣାସ୍ଥଳରେ ତଦନ୍ତ କଲେ। ଜିଲ୍ଲା ପ୍ରଶାସନ ମଧ୍ୟ ବିହିତ ପଦ‌କ୍ଷେପ ପାଇଁ ନିର୍ଦ୍ଦେଶ ଦେଲା। ଏ ସବୁ ସତ୍ତ୍ବ ଭାଟି ଜଳୁଛି। ‌ତେଣୁ ଏହା ପଛରେ ନିଶ୍ଚିତ ଏକ ବଡ଼ ଶକ୍ତିର ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି ଯୁବକମାନେ। ଉକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ଜିଲ୍ଲା ପ୍ରଶାସନ ଚେପା ହୋଇଯାଇଛି ଓ ଅଧିକାରୀମାନଙ୍କ ହାତବାନ୍ଧି ହୋଇ ଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ କେବଳ ଲୋକ ଦେଖାଣିଆ ତଦନ୍ତ କରି ସେମାନେ ଲୋକଙ୍କୁ ଭକୁଆ କରୁଛନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ତେବେ ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ କହିଛନ୍ତି ଯେ ବେଆଇନ୍ କାମ ପାଇଁ ଭାଟି ମାଲିକ ଶ୍ରୀ ସାହୁଙ୍କଠାରୁ ୧୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଇଟାଗୁଡିକୁ ଉଠାଇ ନେବାକୁ ନିେର୍ଦ୍ଦଶ ମଧ୍ୟ ଦିଆଯାଇଛି। ସେଠାରେ ଇଟା ପୋଡ଼ାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ବେ ଯଦି ସେ ଭାଟି ଚାଲୁ କରିଥିବେ, ତେବେ ପୁଣି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe