ଚଳନ୍ତା ବସ୍‌ରେ ନିଆଁ

Advertisment
ଚଳନ୍ତା ବସ୍‌ରେ ନିଆଁ

ପୁରୁଣା ଭୁବନେଶ୍ୱର: ସମୟ ପ୍ରାୟ ଅପରାହ୍ଣ ୧ଟା ୧୫। ଖଣ୍ଡଗିରି ଆଡ଼ୁ ମାଷ୍ଟରକ୍ୟାଣ୍ଟିନ ଛକକୁ ଆସୁଥିଲା ରୁଟ୍‌ ନଂ ୪୦୫ର ସିଟି ବସ୍‌ (ଓଡି-୦୨ଭି-୩୫୮୫)। ପୋଖରୀପୁଟ ଛକ ନିକଟରେ ହଠାତ୍‌ ବସ୍‌ ପଛପଟୁ ଧୂଆଁ ବାହାରିଥିଲା। ବସ୍‌ କର୍ମଚାରୀ ଓ ବସ୍‌ରେ ଥିବା ଯାତ୍ରୀ କିଛି ବୁଝିବା ପୂର୍ବରୁ ହୁତୁହୁତୁ ହୋଇ ନିଆଁ ଜଳିଥିଲା। ବସ୍‌ ଡ୍ରାଇଭର ଗାଡ଼ିଟିକୁ ରାସ୍ତା ଉପରେ ଅଟକାଇ ଦେଇଥିଲେ। ପୂରା ବସ୍‌କୁ ନିଆଁ ବ୍ୟାପିବା ପୂର୍ବରୁ ବସ୍‌ରେ ଥିବା ପ୍ରାୟ ୪୦ଜଣ ଯାତ୍ରୀ ଜୀବନ ବିକଳରେ ବସ୍‌ ମୁଖ୍ୟ ଫାଟକ, ଝରକା ବାଟେ ବାହାରକୁ ଦଉଡ଼ିଥିଲେ। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନଥିଲେ ହେଁ ପ୍ରାୟ ୪୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବସ୍‌ର ପଛ ପାର୍ଶ୍ୱରୁ କିଛି ଅଂଶ ପୋଡ଼ି ଯାଇଛି।
ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ବସ୍‌ଟି ପୋଖରୀପୁଟ ଛକରେ ପହଞ୍ଚିବା ପୂର୍ବରୁ ହଠାତ୍‌ ରାସ୍ତା ମଝିରେ ଅଟକି ଯାଇଥିଲା। ଏହାପରେ ଡ୍ରାଇଭର ଜଣଙ୍କ ଷ୍ଟାର୍ଟ କରି ପୁଣି ଗାଡ଼ି ଗଡ଼ାଇଥିଲେ। ମାତ୍ର କେଇ ହାତ ଗଡ଼ିଛି କି ନାହିଁ ଗାଡ଼ିର ପଛ ପାର୍ଶ୍ୱ ଚକା ପାଖରୁ ଧୂଆଁ ବାହାରିଥିଲା। ଏହାପରେ ଯାତ୍ରୀମାନେ ଜୀବନ ବିକଳରେ ଗାଡ଼ି ବାହାରକୁ ପଳାଇ ଆସି ଦଉଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିଛି ସମୟ ପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। ଆଜି ପୋଡ଼ି ଯାଇଥିବା ଗାଡ଼ିଟିର ଫିଟନେସ୍‌ ସାର୍ଟିଫିକେଟ୍‌ ନଥିବା ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବିନା ଫିଟନେସ୍‌ରେ ଗଡ଼ୁଛି ୫୦ରୁ ଅଧିକ ସିଟି ବସ୍‌

publive-image

ଭୁବନେଶ୍ୱର: କେବଳ ଆଜି ପୋଡ଼ି ଯାଇଥିବା ବସ୍‌ଟି ନୁହେଁ। ରାଜଧାନୀରେ ଗଡ଼ୁଥିବା ୧୦୦ରୁ ଅଧିକ ସିଟି ବସ୍‌ରୁ ପ୍ରାୟ ୫୦ରୁ ଅଧିକ ସିଟି ବସ୍‌ର ଫିଟନେସ୍‌ ସାର୍ଟିଫିକେଟ୍‌ ନାହିଁ। ଗାଡ଼ିଗୁଡ଼ିକର ଫିଟନେସ୍‌ ସାର୍ଟିଫିକେଟ୍‌ ନଥିବାରୁ ଏହାର ପଞ୍ଜୀକରଣର ବୈଧତା ବି ନାହିଁ। ନିୟମ ଅନୁଯାୟୀ, ଏହା ରାସ୍ତାରେ ଗଡ଼ି ପାରିବନି। କିନ୍ତୁ ସିଟି ବସ୍‌ଗୁଡ଼ିକ ସରକାରୀ ବସ୍‌ ହୋଇଥିବାରୁ ଏହା ବିନା ଫିଟନେସ୍‌ ଓ ପରମିଟ୍‌ରେ ରାସ୍ତାରେ ଗଡ଼ୁଛି। ଆଞ୍ଚଳିକ ପରିବହନ ଅଧିକାରୀମାନେ ଏହା ଜାଣିଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡରୁଛନ୍ତି। ସରକାର ନିଜେ ନିୟମ ଭାଙ୍ଗିଥିବାରୁ ସରକାରୀ ଅଧିକାରୀମାନେ ଚୁପ୍‌ ବସି ଯାଇଛନ୍ତି। ଆଉ ଦୈନିକ ଶହ ଶହ ଯାତ୍ରୀଙ୍କୁ ମରଣମୁହଁକୁ ଠେଲି ଦେଇଛନ୍ତି। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଯେଉଁ ସିଟି ବସ୍‌ (ଓଡି ୦୨ଭି ୩୫୮୫)ରେ ନିଆଁ ଲାଗିଥିଲା ତାହାର ଫିଟନେସ୍‌ ବୈଧତା ୧୮.୦୫.୨୦୧୭ରୁ ଶେଷ ହେଲାଣି। ଏହାପରେ ଫିଟନେସ୍‌ ସାର୍ଟିଫିକେଟ୍‌ ନବୀକରଣ ହୋଇନି କି ଏନେଇ ଆବେଦନ ହୋଇନି।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସିଟି ବସ୍‌ର ଫିଟନେସ୍‌ ନଥିବାରୁ ସେଗୁଡ଼ିକୁ ନବୀକରଣ କରିବା ପାଇଁ ଭୁବନେଶ୍ୱର ଆରଟିଓ ପ୍ରାୟ ୬ମାସ ତଳେ ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍‌ (ବିପିଟିଏସ୍‌) ଏବଂ ଡ୍ରିମ ଟିମ୍‌ ସାହରାକୁ ଚିଠି ଲେଖିଥିଲେ। ଏହାପରେ ବିପିଟିଏସ୍‌ ପକ୍ଷରୁ ଡିଟିଏସ୍‌ ସହ ବୈଠକ କରି ଆଲୋଚନା ହୋଇଥିଲା। ଖୁବ୍‌ ଶୀଘ୍ର ଫିଟନେସ୍‌ ସାର୍ଟିଫିକେଟ୍‌ ନବୀକରଣ କରିବାକୁ କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏନେଇ କର୍ତ୍ତୃପକ୍ଷ ଆବେଦନ କଲେନି। ବିନା ଫିଟନେସ୍‌ରେ ବସ୍‌ ଚାଲୁଥିଲେ ହେଁ ଆରଟିଓ କର୍ତ୍ତୃପକ୍ଷ ପଦକ୍ଷେପ ନନେବା ସମସ୍ତଙ୍କୁ ଚକିତ କରିଛି। ଏନେଇ ଭୁବନେଶ୍ୱର ଆରଟିଓର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆମେ ଫିଟନେସ୍‌ ସାର୍ଟିଫିକେଟ୍‌ ନବୀକରଣ କରିବାକୁ କହିଛୁ। ହେଲେ ସେମାନେ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି। ସରକାରୀ ବ୍ୟବସ୍ଥାରେ ଆମେ ବନ୍ଧା ହୋଇଥିବାରୁ ପଦକ୍ଷେପ ନେବା ସହଜ ନୁହେଁ।

ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟରେ ଯେଉଁଠି ବସ୍‌ ଦୁର୍ଘଟଣା ଘଟୁଛି ସେତେବେଳେ ଫିଟନେସ୍‌ ସାର୍ଟିଫିକେଟ୍‌ ଅଛି କି ନାହିଁ ସେନେଇ ତନାଘନା ହେଉଛି। ଘରୋଇ ବସ୍‌ ମାଲିକଙ୍କ ଠାରୁ ମୋଟର ଯାନ ଆଇନ୍‌ (ଧାରା ୫୬) ଅନୁଯାୟୀ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ହେଲେ ଖୋଦ୍‌ ରାଜଧାନୀରେ ଆଞ୍ଚଳିକ ପରିବହନ ଅଧିକାରୀ କାହିଁକି ଅନୁକମ୍ପା ଦେଖାଉଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe