ଆମେଣାକୁଦ ପଞ୍ଚାୟତରେ ଫୁଟିଲା ଗୁଳି

ଯୋଗାଣ ସହାୟିକାଙ୍କୁ ବନ୍ଧୁକ ଦେଖାଇ ଧମକ

ଆମେଣାକୁଦ ପଞ୍ଚାୟତରେ ଫୁଟିଲା ଗୁଳି

ବାଲିପାଟଣା: ଚାଉଳ ଓ କିରାସିନି ବଣ୍ଟନକୁ କେନ୍ଦ୍ର କରି ଆଜି ବାଲିପାଟଣା ଥାନା ଅନ୍ତର୍ଗତ ଆମେଣାକୁଦ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁଳି ଫୁଟିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ହେଁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଗୁଳି ଚଳାଇଥିବା ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ପଞ୍ଚାୟତର ଯୋଗାଣ ସହାୟିକା ପୂଜାରିଣୀ ସାହୁ, କର୍ମଚାରୀ ପ୍ରଦୀପ ଓଝା ଓ ସନ୍ତୋଷ କୁମାର ସାହୁଙ୍କ କହିବା ମୁତାବକ, ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ହିତାଧିକାରୀଙ୍କୁ ଚାଉଳ, କିରାସିନି ବଣ୍ଟା ଯାଉଥିଲା। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳକୁ ୧୧୩ଜଣ ହିତାଧିକାରୀ ଚାଉଳ ପାଇ ସାରିଥିବା ବେଳେ ପ୍ରାୟ ୨୦ରୁ ୨୫ଜଣ ହିତାଧିକାରୀ ଅପେକ୍ଷା କରିଥିଲେ। ଏହି ସମୟରେ ଅନନ୍ତ ବେହେରା (ଅନ)ନାମକ ଜଣେ ଯୁବକ ନିଜ କୋଟାର ଚାଉଳ ନେଇ ସାରି ତାଙ୍କ ବାପା ଓ ବୋଉଙ୍କ ନାମରେ ଥିବା କାର୍ଡରେ ଚାଉଳ ନେବାକୁ ଚାହିଥିଲା। କିନ୍ତୁ ଯୋଗାଣ ସହାୟିକା ପୂଜାରିଣୀ ଚାଉଳ ଦେବାକୁ ମନା କରିଥିଲେ। ତାଙ୍କ ବୋଉ ଆସି ମେସିନ୍‌ରେ ଟିପ ଦେଲା ପରେ ତାଙ୍କୁ ଚାଉଳ ଦିଆଯିବ ବୋଲି କହି ଫେରାଇ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅନନ୍ତ ଅଣ୍ଟାରୁ ବନ୍ଧୁକ କାଢ଼ି ପୂଜାରାଣୀଙ୍କୁ ଧମକାଇଥିଲା। ପରେ ସେ ପଦାକୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ନିଆଳି ପଟକୁ ଦ୍ରୁତ ଗତିରେ ବାଇକ୍‌ରେ ଚାଲିଯାଇଥିଲା। ଏହାକୁ ନେଇ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏପରିକି ଚାଉଳ ଓ କିରାସିନି ବଣ୍ଟନକୁ ଅଧାରୁ ବନ୍ଦ କରି ଦିଆଯାଇଥିଲା। ଘଟଣା ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ସମେତ ପୁଲିସ୍‌କୁ ଖବର ଦିଆଯାଇଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଅନନ୍ତ ନାମରେ ବିଭିନ୍ନ ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। କିଛି ମାସ ତଳେ ପୁରୀ ପୁଲିସ୍‌ର ଏନ୍‌କାଉଣ୍ଟର୍‌ରେ ଅନନ୍ତ ଆହତ ହୋଇ ଜେଲ୍‌ ଯାଇଥିଲା। କିଛି ଦିନ ତଳେ ସେ ଜେଲ୍‌ରୁ ବାହାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe