ଖଣ୍ଡଗିରି: ପୁଣି ରାଜଧାନୀରେ ଗୁଳି ଫୁଟିଲା। ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ସ୍ଥାନୀୟ ଭରତପୁର କଳିଙ୍ଗ ଷ୍ଟୁଡିଓ ଛକରେ ମାଉଜର୍ ଗର୍ଜିଛି। ଗୁଳିମାଡ଼ରେ ଜଣେ ଫାଷ୍ଟଫୁଡ୍ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଆଇଗିଣିଆ ଅଞ୍ଚଳରେ ରହୁଥିବା ସୁବାସ ଧଳଙ୍କ ସାନ ପୁଅ ସ୍ମୃତିରଂଜନ ଧଳ(୩୬)। ତାଙ୍କ ଡାହାଣ ହାତ କହୁଣୀ ପାଖରେ ଗୁଳି ବାଜି ବାହାରି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତି କରାଯାଇଛି। ତାଙ୍କ ଅବସ୍ଥା ଭଲ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଆହତ ସ୍ମୃତିଙ୍କ ସୂଚନାକୁ ଆଧାର କରି ଗୁଳିକାଣ୍ଡରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ଭରତପୁର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଦୁର୍ବୃତ୍ତମାନେ ଭରତପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁସାରେ ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କଳିଙ୍ଗ ଷ୍ଟୁଡିଓ ଛକରେ ଥିବା ସ୍ମୃତିଙ୍କ ଖାରବେଳ ଫାଷ୍ଟଫୁଡ୍ ଦୋକାନରେ ୩ଜଣ ଯୁବକ ଏକ ବାଇକ୍ରେ ପହଞ୍ଚିଥିଲେ। ସେମାନେ ଖାଇବା ପାଇଁ ଚିକେନ୍ ପକୋଡ଼ା ବରାଦ କରିଥିଲେ। ତେବେ ପକୋଡ଼ା ପ୍ରସ୍ତୁତ କରି ଦେଉଥିବା ବେଳେ ବିଳମ୍ବ ହେବାରୁ ଯୁବକମାନେ ସ୍ମୃତିଙ୍କୁ ଧମକ ଦେଇଥିଲେ। ତଥାପି ସ୍ମୃତି ଗ୍ରାହକ ହିସାବରେ ସମ୍ମାନ ଜଣାଇ ସେମାନଙ୍କୁ ପକୋଡ଼ା କରି ଖାଇବାକୁ ଦେଇଥିଲେ। ଖାଇ ସାରିବା ପରେ କାଉଣ୍ଟର୍ରେ ପଇସା ଦେବା ବେଳକୁ ପୁଣି ଗଣ୍ଡଗୋଳ କରିଥିଲେ। ଏଥର ସ୍ମୃତି ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ହୋଇଥିଲା। ୩ଜଣଯାକ ଦୁର୍ବୃତ୍ତ ତାଙ୍କ ଦୋକାନ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ଏତିକିବେଳେ ସେମାନଙ୍କ ଭିତରେ ଥିବା ଜଣେ ପତଳା ଚେହେରାର ଯୁବକ ହଠାତ୍ ମାଉଜର୍ ବାହାର କରି ସ୍ମୃତିଙ୍କୁ ଗୁଳି ମାଡ଼ କରିଥିଲା। ସେ ସ୍ମୃତିଙ୍କ ଛାତିକୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ଓ ଠିକ୍ ସେତିକିବେଳେ ସ୍ମୃତି ବୁଲି ପଡ଼ିଥିଲେ। ଗୁଳିଟି ତାଙ୍କ ଡାହାଣ ହାତର କହୁଣୀରେ ମାଡ଼ ହୋଇ ପାର୍ ହୋଇ ଯାଇଥିଲା। ଏଥିରେ ତାଙ୍କ ପିଠିରେ କ୍ଷତ ସୃଷ୍ଟି ହୋଇଥିଲା। ଚାଲାକ୍ କରି ଚିତ୍କାର କରିବା ସହ ସ୍ମୃତି ତଳେ ପଡ଼ି ଯାଇଥିଲେ। ସ୍ମୃତି ତଳେ ପଡ଼ିଯିବା ଦେଖି ଦୁର୍ବୃତ୍ତମାନେ ବାଇକ୍ ନେଇ ଚନ୍ଦକା-ଅନ୍ଧାରୁଆ ଦିଗରେ ପଳାଇଥିଲେ। ଗୁଳିମାଡ଼ ପରେ ପରେ ସ୍ଥାନୀୟ ବ୍ୟବସାୟୀମାନେ ଭୟରେ ଦୋକାନ ବନ୍ଦ କରି ଦେଇଥିଲେ। ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସ୍ମୃତିଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଇଥିଲେ। ଖବର ପାଇ ସ୍ୱୃତିଙ୍କ ଭାଇ ନିହାର ହସ୍ପିଟାଲରେ ପହଞ୍ଚିଥିଲେ। ନିହାରଙ୍କ ଅଭିଯୋଗ ଅନୁସାରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି।
Follow Us