Times of India
ଭୁବନେଶ୍ବର : ଷ୍ଟିଲ୍ କମ୍ପାନି ମାଲିକଙ୍କୁ ଜାଲ୍ ଓ୍ଵାର୍କ ଅର୍ଡର୍ ଦେଇ ୧.୧୭ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜେଶ ଗେହଲଟକୁ ଓରଫ୍ ରାଜେଶ କୁମାରକୁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ବାରକାର ସେକ୍ଟର-୨୩ରୁ ଗିରଫ କରିଛି। ସେ ନିଜକୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ ଏଜେଣ୍ଟ ପରିଚୟ ଦେଉଥିଲା। ଗତକାଲି ମେଟ୍ରୋପଲିଟାନ୍ କୋର୍ଟରେ ହାଜର ପରେ ଟ୍ରାନଜିଟ୍ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ଅଭିଯୁକ୍ତକୁ ଟ୍ରାନଜିଟ୍ ଜାମିନ ପ୍ରଦାନ କରିବା ସହ ଆସନ୍ତା ୫ଦିନ ମଧ୍ୟରେ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବା ପାଇଁ ଅଭିଯୁକ୍ତ ରାଜେଶକୁ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ଷ୍ଟେନଲେସ୍ ଷ୍ଟିଲ୍ର ମାଲିକ ରିକବ୍ ଚନ୍ଦ୍ର ମୁନୋଡଙ୍କୁ ଅଧିକ ଲାଭର ଲୋଭ ଦେଖାଇଥିଲା ତାଙ୍କର ଜଣେ ବନ୍ଧୁ। ର’ ଏଜେଣ୍ଟ ରାଜେଶ ତାଙ୍କର ଚିହ୍ନା ଥିବା କହିଥିଲା। ରାଜେଶର ବିଭିନ୍ନ ରାଜ୍ୟରେ ଆଇଏଏସ୍, ଆଇପିଏସ୍ ଚିହ୍ନା ଅଛନ୍ତି। ତାଙ୍କ ଦ୍ବାରା କୋଟି କୋଟି ଟଙ୍କା ଲାଭ ମିଳିବ ବୋଲି କହିଥିଲା। ରିକବ୍ ଏଥିରେ ବିଶ୍ବାସ କରି ଯାଇଥିଲେ। ଏ ନେଇ ଦିଲ୍ଲୀ ଚଣକ୍ୟପୁରୀରେ ଥିବା ଓଡ଼ିଶା ନିବାସରେ ବୈଠକ ମଧ୍ୟ ବସିଥିଲା। ସେଠାରେ ପୂର୍ବରୁ ଇଓଡବ୍ଲୁ ହାତରେ ଗିରଫ ହୋଇଥିବା ନକଲି ଆଇଏଏସ୍ ଅଫିସର ସୂର୍ଯ୍ୟମଣି ତ୍ରିପାଠୀ ଓ ତା’ର ସହଯୋଗୀ ଅମିତ କୁମାର ଉପସ୍ଥିତ ଥିଲେ। ଓଡ଼ିଶାର ସବୁ ଜିଲ୍ଲା ଓ ବ୍ଲକ୍ରେ କାମ କରିବାର ପ୍ରତିଶ୍ରୁତି ଦେଇଥିଲେ ଠକ। ୨୦୧୮ ମାର୍ଚ୍ଚ ୧୫ରେ ବିଭିନ୍ନ ବ୍ରିଜ୍ ମରାମତି ଓ ରଙ୍ଗ କାମ ପାଇଁ ଯଥାକ୍ରମେ ୩ କୋଟି ଏବଂ ୪ କୋଟିର ଜାଲ୍ କାର୍ଯ୍ୟାଦେଶ ଦେଇଥିଲେ। ସେହିପରି ୨୦୧୮ ଅଗଷ୍ଟ ୨୧ତାରିଖରେ ସମସ୍ତ ଜିଲ୍ଲା ଓ ବ୍ଲକ୍ର ପାଇପ ଲାଇନ୍ ଏବଂ ପମ୍ପ ହାଉସ୍ ତିଆରି ପାଇଁ ଯଥାକ୍ରମେ ୩୨.୫୨କୋଟି ଏବଂ ୪୭.୫୨କୋଟିର କାର୍ଯ୍ୟାଦେଶ ଦେଇଥିଲେ। ଏ ବାବଦରେ ସେମାନେ ୧ କୋଟି ୧୭ ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ। ଏହି ଠକେଇ ନେଇ ଅଭିଯୋଗ ହେବା ପରେ ଇଓଡବ୍ଲୁ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗତ ଅକ୍ଟୋବର ୩୦ ତାରିଖରେ ଇଓଡବ୍ଲୁ ସୂର୍ଯ୍ୟମଣି ତ୍ରିପାଠୀ ଓ ତାର ସହଯୋଗୀ ଅମିତ କୁମାରକୁ ଗିରଫ କରିଥିଲା। ମାମଲାରେ ମଧ୍ୟସ୍ଥ ସାଜିଥିବା ଜଣେ ଯୁବତୀ ଏବେ ବି ଫେରାର୍ ଅଛନ୍ତି।
Follow Us