ଆଉ ଜଣେ ନକଲି ଜାମିନଦାର ଗିରଫ

ଏକାଧିକ ଜାଲ୍‌ ପରିଚୟପତ୍ର ଜବତ

ଆଉ ଜଣେ ନକଲି ଜାମିନଦାର ଗିରଫ

ଭୁବନେଶ୍ବର: କୋର୍ଟରେ ଜାମିନଦାର(ବେଲର୍‌) ସାଜି ଅଭିଯୁକ୍ତଙ୍କର ଜାମିନ କରାଉଥିଲା। ହଜାର ହଜାର ଟଙ୍କା ରୋଜଗାର କରୁଥିଲା। ଆବଶ୍ୟକ କାଗଜପତ୍ର ଦାଖଲ କରୁଥିଲା। ଆବଶ୍ୟକ ଅନୁସାରେ ନିଜର ପରିଚୟପତ୍ର ବଦଳାଉଥିଲା। ମୃତ ବ୍ୟକ୍ତିଙ୍କ ନାଁରେ ଥିବା ଜମି ପଟ୍ଟାକୁ ଦାଖଲ କରୁଥିଲା। ବର୍ଷ ବର୍ଷ ଧରି ଏମିତି କୋର୍ଟକୁ ଠକି ଚାଲିଥିଲା। ଶେଷରେ ଧରାପଡ଼ିଛି ଧୂର୍ତ୍ତ। ଛଦ୍ମବେଶରେ ପୁଲିସ ଏହି ନକଲି ଜାମିନ୍‌ଦାରକୁ ଖୋଜୁଥିବା ବେଳେ ହାଜର ହୋଇଥିଲା ଠକ। କୋର୍ଟରେ ମୃତ ବ୍ୟକ୍ତିଙ୍କ ଜମି ପଟ୍ଟା ଦେଇ ଜାମିନଦାର ସାଜିଥିବା ବେଳେ ଉଠାଇ ନେଇଥିଲା ବଡ଼ଗଡ଼ ଥାନା ପୁଲିସ। ଗିରଫ ନକଲି ଜାମିନଦାର ହେଲା ବଡ଼ଗଡ଼ ଅଞ୍ଚଳର ବଳରାମ ଚରଣ ଦ୍ବିବେଦୀ ଓରଫ୍‌ ସାମନ୍ତରାୟ(୬୩)। ତା’ ଠାରୁ ଜାଲ୍‌ ଦସ୍ତାବିଜ୍ ଓ ପରିଚୟପତ‌୍ର ଜବତ କରାଯାଇଛି।

ସୂଚନାନୁସାରେ, ଗୁରୁବାର ଦିନ ବଡ଼ଗଡ଼ ଥାନା ପୁଲିସ ଜଣେ ନକଲି ଜାମିନ୍‌ଦାରକୁ ଗିରଫ କରିବା ପରେ ଆଜି ପୁଲିସର ଏକ ଟିମ୍‌ ସେଠାରେ ସାଦା ପୋଷାକରେ ପହଞ୍ଚି ପଇଁତରା ମାରିଥିଲା। ନିଜର ଜଣେ ସମ୍ପର୍କୀୟଙ୍କୁ ଜାମିନ୍‌ରେ ଆଣିବା ପାଇଁ ଜାମିନଦାର ଖୋଜିଥିଲେ। ଏହି ସମୟରେ ଚରଣ ସେଠାରେ ପହଞ୍ଚି ଜାମିନ କରାଇଦେବାକୁ କହିଥିଲା। ଏଥିପାଇଁ ସେ ହଜାରେ ଟଙ୍କା ଦାବି କରିଥିଲା। ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ଡକ୍ୟୁମେଣ୍ଟ ପାଇଁ କହିବାରୁ ସେ ସମସ୍ତ ଡକ୍ୟୁମେଣ୍ଟ ଦେଇଥିଲା। ଯାଞ୍ଚ ବେଳେ ଜଣାଡ଼ିଥିଲା ଯେ ଚରଣ ଦେଇଥିବା କାଗଜପତ୍ର ଜାଲ୍‌। ପୁଲିସ କର୍ମଚାରୀ ତୁରନ୍ତ ସେଠାରୁ ତାକୁ ଥାନାକୁ ନେଇଥିଲେ। ଜେରା ବେଳେ ସେ ସବୁ ସତ ମାନିଥିଲା। ତା’ ନିକଟରୁ ଭିନ୍ନ ଭିନ୍ନ ନାମ ଥିବା ଏକାଧିକ ପରିଚୟପତ୍ର ଜବତ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ସେ ବିଭିନ୍ନ ସମୟରେ ନିଜର ପରିଚୟ ପତ୍ର ବଦଳାଇବା ସହ ଜାଲ୍‌ କାଗଜପତ୍ର ଦେଇ ଏଭଳି ଠକେଇ କରେ। ଏନେଇ ପୁଲିସ ଏକ ମାମଲା ରୁଜୁକରି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe