ନକଲି ରସିଦ୍‌ରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ନକଲି ରସିଦ୍‌ରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ ଅଭିଯୋଗ

ଚନ୍ଦ୍ରଶେଖରପୁର: ରାଜଧାନୀ ଅପେରା ଓ ପାର୍ବତୀ ଗଣନାଟ୍ୟର ନକଲି ରସିଦ୍‌ ତିଆରି କରି ଜୈନିକ ବ୍ୟକ୍ତି ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ରାଜଧାନୀ ମିଡିଆ ହାଉସର ମୁଖ୍ୟ କାର୍ଯ୍ୟନିର୍ବାହୀ ହରପ୍ରସାଦ ବାରିକ ଅଭିଯୋଗ କରିଛନ୍ତି। ପଟିଆ ଯାତ୍ରା ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାରିକ କହିଛନ୍ତି ଯେ ବ୍ୟକ୍ତିଜଣକ ରାଜଧାନୀ ଅପେରାକୁ ଏକ ବର୍ଷ ପାଇଁ ପରିଚାଳନା କରିବାକୁ ଲିଜ୍ ସୂତ୍ରରେ ପ୍ରଯୋଜକ ପବିତ୍ର ପାତ୍ରଙ୍କଠାରୁ ନେଇଥିଲେ। ଏ ବାବଦରେ ସମ୍ପୃକ୍ତ ବ୍ୟକ୍ତି ପବିତ୍ରଙ୍କଠାରୁ ୭୧ଲକ୍ଷ ଟଙ୍କା ନେବା ସହ ବାର୍ଷିକ ୫୦ଲକ୍ଷ ଦେବାକୁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା।

ମାତ୍ର ପରବର୍ତୀ ସମୟରେ ବ୍ୟକ୍ତିଜଣକ ଟଙ୍କାଟିଏ ନ ଫେରାଇ ପାର୍ଟିକୁ ରାସ୍ତାରେ ଛିଡ଼ା କରି ଚାଲିଯାଇଥିଲେ। ନିଜକୁ ମାଲିକ ବୋଲି କହି ନକଲି ରସିଦ ମାଧ୍ୟମରେ ସେ ବିଭିନ୍ନ ଅନୁଷ୍ଠାନରୁ ଲକ୍ଷାଧିକ ଟଙ୍କା ଚାନ୍ଦା ଆଦାୟ କରିଥିଲେ। ଏହା ଜାଣିବା ପରେ ପ୍ରଯୋଜକ ଶ୍ରୀ ପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯେଉଁଥିପାଇଁ ଉକ୍ତ ବ୍ୟକ୍ତିଜଣକ କଳାକାରଙ୍କ ଗାଡ଼ିକୁ ରାସ୍ତା ମଝିରେ ଅଟକାଇ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ମହିଳା କଳାକାରଙ୍କୁ ଅସଦାଚରଣ କରୁଛନ୍ତି।

ଯଦି କୌଣସି କମିଟି ବୈଧତା ନ ଥିବା କାଗଜପତ୍ର ମାଧ୍ୟମରେ ରାଜଧାନୀ ଅପେରା କିମ୍ବା ପାର୍ବତୀ ଗଣନାଟ୍ୟକୁ ରାସ୍ତାରେ ହଇରାଣ କରନ୍ତି, ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ବୋଲି ପାର୍ବତୀ ଗଣନାଟ୍ୟ ପରିଚାଳକ ପ୍ରତାପ କୁମାର ଦାସ, ରାଜଧାନୀ ଅପେରା ପରିଚାଳକ ଗୌତମ ସ୍ବାଇଁଙ୍କ ସମେତ କଳାକାରମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe