ନକଲି ମିନେରାଲ୍‌ ପାଣି କାରଖାନା ଠାବ : ମ୍ୟାନେଜର୍‌ ଓ ସୁପରଭାଇଜର୍‌ ଗିରଫ

ନକଲି ମିନେରାଲ୍‌ ପାଣି କାରଖାନା ଠାବ : ମ୍ୟାନେଜର୍‌ ଓ ସୁପରଭାଇଜର୍‌ ଗିରଫ

ବାରଙ୍ଗ/ମେଣ୍ଢାଶାଳ : ପୂର୍ବରୁ ରାଜଧାନୀରୁ ନକଲି ଖାଇବା ତେଲ, ନକଲି ଇଂଜିନ୍‌ ଅଏଲ୍‌, ନକଲି ସସ୍‌ ଓ ନକଲି ଘିଅ ଆଦି ପ୍ରସ୍ତୁତ ହେଉଥିବା କାରଖାନା ଠାବ କରାଯାଇଥିଲା। ଏବେ ନକଲି ପାଣି କାରଖାନା ଠାବ କରାଯାଇଛି। ରାଜଧାନୀ ଉପକଣ୍ଠରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା। ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ଅଧୀନ ଗ୍ରାମଡ଼ିହ ଗାଁରେ ଠାବ ହୋଇଥିବା ଏହି ନକଲି କାରଖାନାରୁ ବିଭିନ୍ନ ନାମୀ କମ୍ପାନି ନାଁରେ ପ୍ରସ୍ତୁତ ପ୍ୟାକେଟ୍‌ ପାଣି ବଜାରରେ ବିକ୍ରି ହେଉଥିଲା। ଦୀର୍ଘ ଦିନ ହେଲା ଏମିତି ଏକ ନକଲି କାରଖାନା ବଜାରରେ ନକଲି ପିଇବା ପାଣି ବିକୁଥିଲେ ବି ଧରା ପଡ଼ିନଥିଲା। କିନ୍ତୁ ଶେଷରେ ଅଭିଯୋଗ ପାଇ ଚନ୍ଦକା ଥାନା ପୁଲିସ ଏହାକୁ ଠାବ କରିଛି। ମାଲିକ ଫେରାର୍ ହୋଇଯାଇଥିବା ବେଳେ କମ୍ପାନିର ମ୍ୟାନେଜର୍‌ ଓ ସୁପରଭାଇଜର୍‌ଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ମ୍ୟାନେଜର ସର୍ବେଶ୍ବର ଦାସ ଓ ସୁପରଭାଇଜର ହରିହର ସାହୁ। କାରଖାନା ଭିତରୁ ବିପୁଳ ପରିମାଣର ପାଣି ପ୍ୟାକେଟ୍‌, ବିଭିନ୍ନ କମ୍ପାନିର ଷ୍ଟିକର୍‌ ଓ ଲେବଲ୍, ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ଜବତ କରାଯାଇଛି।

publive-image

ସୂଚନାଯୋଗ୍ୟ, ବିସ୍‌ଲେରି କମ୍ପାନିର ଅଧିକାରୀ ବିଜୟ କମାର ଏହି ନକଲି କାରଖାନା ବାବଦରେ ସୂଚନା ପାଇ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଦୀର୍ଘ ବର୍ଷ ହେଲା ଏହି ନକଲି କାରଖାନାରୁ ପ୍ରସ୍ତୁତ ବିସ୍‌ଲେରି ବ୍ରାଣ୍ଡର ପାଣି ଭୁବନେଶ୍ବରରେ ମିଳୁଥିଲା। ପ୍ରକୃତ କମ୍ପାନିର ବିତରକମାନେ ବଜାରରେ ତାଙ୍କ ନକଲି ପାଣି ଦେଖି ଛାନ୍‌ଭିନ୍‌ କରିବା ପରେ ଗ୍ରାମଡିହର ନକଲି କାରଖାନା ବାବଦରେ ଜାଣିବାକୁ ପାଇଥିଲେ। ଏ ବାବଦରେ କଥା ଦିଲ୍ଲୀରେ ପହଞ୍ଚିଥିଲା। ଦିଲ୍ଲୀରୁ ବିସ୍‌ଲେରି କମ୍ପାନିର ଉଚ୍ଚପଦସ୍ଥ ଅଧିକାରୀମାନେ ତୁରନ୍ତ ବିଜୟଙ୍କ ଜରିଆରେ ଚନ୍ଦକା ଥାନ‌ାରେ ଅଭିଯୋଗ କରିଥିଲେ। ଆଜି ଚନ୍ଦକା ଥାନା ପକ୍ଷରୁ ଚଢ଼ଉ କରାଯାଇଥିଲା। ତେବେ ନକଲି କାରଖାନାର ମାଲିକ ଫେରାର୍ ହୋଇଯିବାରେ ସକ୍ଷମ ହୋଇଥିଲା। କମ୍ପାନି ମାଲିକ ଲକ୍ଷ୍ମୀକାନ୍ତ ନାୟକ ବୋଲି ଜଣାପଡ଼ିଛି। ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe