Sambad English
ଚନ୍ଦ୍ରଶେଖରପୁର : ରେଳ ବିଭାଗରେ ଠିକା ଚାକିରି କରାଇଦେବା ଆଳରେ ୧୦ଜଣ ମହିଳାଙ୍କଠାରୁ ଜଣେ ନକଲି ଠିକାଦାର ଅଢ଼େଇ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ନକଲି ଠିକାଦାର ଦୀପୁ ସାମନ୍ତକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। କିନ୍ତୁ ଫେରାର୍ ହୋଇ ଯାଇଥିବାରୁ ତାକୁ ଗିରଫ କରିବା ସମ୍ଭବ ହୋଇନାହିଁ।
ଠକାମିର ଶିକାର ହୋଇଥିବା ଜଣେ ମହିଳା ମମତା ମଲ୍ଲିକ(୪୦)ଙ୍କ ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଗୁରୁଜଙ୍ଗର ଦୀପୁ ନିଜକୁ ଜଣେ ରେଳବାଇ ଠିକାଦାର ବୋଲି ପରିଚୟ ଦେଇ ଆସୁଥିଲା। ସେ ଏକ ଆଇ-କାର୍ଡ ଦେଖାଇ ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା। ରେଲୱେରେ ୧୦ମହିଳା କର୍ମଚାରୀଙ୍କୁ ଠିକାରେ ନିଯୁକ୍ତି ମିଳିବ ବୋଲି ସେ ମମତାଙ୍କୁ କହିଥିଲା। ତେବେ ମୁଣ୍ଡ ପିଛା ୪୦ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଥିଲା। ଭବିଷ୍ୟତରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବା ସମ୍ଭାବନା ଥିବା କହି ଲୋଭ ମଧ୍ୟ ଦେଖାଇଥିଲା। ତେବେ ଏକାଥରକେ ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟ ବୋଲି କହିବାରୁ ସେ ପ୍ରଥମ ପର୍ଯ୍ୟାୟରେ ସମସ୍ତେ ମିଶି ଅଢ଼େଇ ଲକ୍ଷ ଟଙ୍କା ଯୋଗାଡ଼ କରନ୍ତୁ ବୋଲି କହିଥିଲା। ତେଣୁ ସେମାନେ ଅଢ଼େଇଲକ୍ଷ ଟଙ୍କା ଯୋଗାଡ଼ କରି ଦୀପୁକୁ ଦେଇଥିଲେ। ଟଙ୍କା ପାଇବା ପରେ ଦୀପୁ ମମତାଙ୍କୁ ନେଇ ରେଳ ସଦନ ଯାଇଥିଲା ଓ ଗେଟ୍ ପାଖରେ ତାଙ୍କୁ ଅପେକ୍ଷା କରାଇ ଭିତରକୁ ଯାଇଥିଲା। ବହୁ ସମୟ ଠିଆ ହେବା ପରେ ମମତା ଦୀପକୁ ଫୋନ୍ କରିଥିଲେ। କିନ୍ତୁ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ଏହା ପରେ ପୁଣି ମମତା ବହୁ ସମୟ ସେଠାରେ ଅପେକ୍ଷା କଲେ ମଧ୍ୟ ଦୀପୁର ଦେଖାଦର୍ଶନ ମିଳି ନଥିଲା। ଅଢ଼େଇ ଲକ୍ଷ ଟଙ୍କା ଧରି ଦୀପୁ ଚମ୍ପଟ ମାରିଥିଲା।
Follow Us