ଆମାଜନ ନାଁରେ ନକଲି ୱେବସାଇଟ୍‌, ଫସିଲେ ଲୁଣ ବ୍ୟବସାୟୀ

Advertisment
ଆମାଜନ ନାଁରେ ନକଲି ୱେବସାଇଟ୍‌, ଫସିଲେ ଲୁଣ ବ୍ୟବସାୟୀ

The Mirror

କଟକ: ଆମାଜନ କମ୍ପାନିରେ ନିଯୁକ୍ତିର ଲୋଭ ଦେଖାଇ ସାଇବର୍ ଠକ ମାଲଗୋଦାମର ଜଣେ ଲୁଣ ବ୍ୟବସାୟୀଙ୍କଠାରୁ ୧୫ ହଜାର ଟଙ୍କା ଠକିନେଇଛି। ଆମାଜାନ କମ୍ପାନି ନାଁରେ ନକଲି ୱେବ୍‌ସାଇଟ୍ ଖୋଲି ଠକ ଲୁଣ ବ୍ୟବସାୟୀ ଦେବବ୍ରତ ପଣ୍ଡାଙ୍କୁ ଚୁନ ଲଗାଇଛି। ଏନେଇ ଦେବବ୍ରତ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଏତଲା ଦେଇଛନ୍ତି ଓ ପୁଲିସ ୟୁଆରଏଲ୍ ଆଡ୍ରେସ୍ ଆଧାରରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ଦେବବ୍ରତଙ୍କ ଅଭିଯୋଗ ଅନୁସାରେ ସେ ଵାର୍କ ଫ୍ରମ୍ ହୋମ ମାଧ୍ୟମରେ କାମ କରିବାକୁ ଗୁଗୁଲରେ ଚାକିରି ଖୋଜିବା ଭିତରେ ଆମାଜନରେ ବିଭିନ୍ନ ପ୍ରଡକ୍ଟ ରିଭ୍ୟୁ କରିବା ପାଇଁ ଏକ ଚାକିରି ଥିବା ଦେଖିବାକୁ ପାଇଥିଲେ। ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରିବା ସହ ଏକ ହ୍ବାଟସଆପ୍ ନମ୍ବରରେ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ଜଣେ ବ୍ୟକ୍ତି ଦେବବ୍ରତଙ୍କ ସହିତ ଇଂରାଜୀରେ କଥା ହୋଇଥିଲେ ଓ ହ୍ବାଟସଆପ୍‌ରେ ସାକ୍ଷାତକାର ନେଇ ତାଙ୍କୁ ନିଯୁକ୍ତି ଦେଇଥିଲେ। ତାଙ୍କୁ କମ୍ପାନିର ଏକ ଆଇଡି ଓ ପାସଵାର୍ଡ ମଧ୍ୟ ଦିଆଯାଇଥିଲା। ପ୍ରଥମେ ୭୦୦ ଟଙ୍କାର କପ୍ ପ୍ଲେଟ୍ ସେଟ୍ କିଣି ୮୦୦ ଟଙ୍କା ପାଇଥିଲେ। ପୁଣି ୫୦୦ ଟଙ୍କିଆ ଟୋଷ୍ଟର୍ କିଣି ୬୫୦ ଟଙ୍କା ପାଇଥିଲେ।

ଏହିଭଳି ମୋଟ ୧୫ ହଜାର ଟଙ୍କାର ସାମଗ୍ରୀ ଦେବବ୍ରତ ଉକ୍ତ ନକଲି ୱେବସାଇଟରୁ କିଣିଥିଲେ। କିନ୍ତୁ ସାଇବର୍ ଅପରାଧୀଙ୍କ ଜାଲରେ ସେ ପଡ଼ିଯାଇଥିବା ଆଦୌ ଜାଣି ପାରିନଥିଲେ। ଯେତେବେଳେ ଆମାଜନର ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତି ଏକ ୬୪ ହଜାର ଟଙ୍କାର ଲାପଟପ୍ କିଣିବାକୁ କହିଲେ ସେତେବେଳେ ତାଙ୍କର ସନ୍ଦେହ ହେବାରୁ ସାଇବର୍ ଥାନାରେ ଏତଲା ଦେଇଛନ୍ତି। ପୁଲିସ ୟୁଆରଏଲ୍ ଆଡ୍ରେସ ଆଧାରରେ ଆଇପି(ଇଣ୍ଟରନେଟ୍ ପ୍ରୋଟକଲ୍) ଆଡ୍ରେସ୍ ଟ୍ରାକ୍ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe