ଫକୀରମୋହନ ସ୍ମୃତି ସଂସଦ ପକ୍ଷରୁ ବ୍ୟାସକବିଙ୍କ ଜୟନ୍ତୀ ସମାରୋହ

ତାଙ୍କ ଲେଖାର ଆଜି ବି ପ୍ରାସଙ୍ଗିକତା ରହିଛି

ଫକୀରମୋହନ ସ୍ମୃତି ସଂସଦ ପକ୍ଷରୁ ବ୍ୟାସକବିଙ୍କ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ରୁଦ୍ଧିମନ୍ତ କରି ରାଜ୍ୟକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ବ୍ୟାସକବି ଫକୀରମୋହନଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ଭାଷାର ସଙ୍କଟ ସମୟରେ କଲମ ଚାଳନା କରି ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ କରିବା କେବଳ ବ୍ୟାସକବିଙ୍କ ପାଇଁ ସାକାର ହୋଇ ପାରିଥିଲା। ତାଙ୍କ ରଚିତ ‘ରେବତୀ’, ‘ଡାକ ମୁନିସୀ’ ଗଳ୍ପର ପ୍ରତିଫଳନ ଆଜି ମଧ୍ୟ ସମାଜରେ ଦେଖିବାକୁ ମିଳେ। ଫକୀରମୋହନଙ୍କ ଲେଖାର ଆଜି ବି ପ୍ରାସଙ୍ଗିକତା ରହିଛି। କଥା ସମ୍ରାଟ ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଶତବାର୍ଷିକୀକୁ ଉଦ୍‌ଘାଟନ କରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏପରି ମତପ୍ରକାଶ କରିଛନ୍ତି।

ଡକ୍ଟର ଦାଶ ଫାଉଣ୍ଡେସନ, ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାଜ୍‌ ଓ ରାଜ୍ୟସ୍ତରୀୟ ଫକୀରମୋହନ ସ୍ମୃତି ସଂସଦ ପକ୍ଷରୁ ଜୟଦେବ ଭବନଠାରେ ଏହା ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ କହିଲେ, ଓଡ଼ିଆ ସାହତ୍ୟର ବିଭିନ୍ନ ବିଭାଗରେ ଫକୀରମୋହନ ଲେଖନୀ ଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ନନ୍‌ରେସିଡେଣ୍ଟ ଫ୍ୟାସିଲିଟେସନ୍‌ ସେଣ୍ଟର୍‌ର ଅଧ୍ୟକ୍ଷ ସହଦେବ ସାହୁ, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ ନାୟକ, ପ୍ରଫେସର ମହେନ୍ଦ୍ର କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୁତି ମହାପାତ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ଏଥିସହିତ ମାଧ୍ୟମିକ ଶିକ୍ଷାରେ ପ୍ରଥମ ୪ଟି ସ୍ଥାନ ଅଧିକାର କରିଥିବା ସାଗର କୁମାର ସ୍ୱାଇଁ, ସୁଯୋଗ୍ୟ କୁମାର ସାହୁ, ସତ୍ୟସ୍ୱରୂପ ନନ୍ଦି, ଅନନ୍ୟା ଶତପଥୀଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଣାମ ବ୍ୟାସକବି, ଫକୀରମୋହନ ପରିକ୍ରମା, ବୈଷ୍ଣବ ଚରଣ ମହାନ୍ତଙ୍କି ସମ୍ପାଦିତ ‘ପାପୁଲି’, ସଂଘମିତ୍ରା ଭଞ୍ଜଙ୍କ ‘ଗଳ୍ପଧୂରୀଣ ସ୍ରଷ୍ଟା ଫକୀରମୋହନ ଏକ ପୁନର୍ମୂଲ୍ୟାୟନ’ ପୁସ୍ତକ ଲୋକର୍ପିତ ହୋଇଥିଲା। ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସଭାପତି ଡ. କାର୍ତିକେଶ୍ୱର ଅଧ୍ୟକ୍ଷତା କରିଥିଲେ। ଡକ୍ଟର ଦାଶ ଫାଉଣ୍ଡେସନର ଅଧ୍ୟକ୍ଷ ଶୀତକଣ୍ଠ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe