ପ୍ରକାଶ ପାଇଲା ‘ଫନି’ ଘରଭଙ୍ଗା ହିତାଧିକାରୀଙ୍କ ଚିଠା : ତାଲିକାରେ ଧନୀ ପରିବାରରୁ ଏକାଧିକ ନାମ

Advertisment

ବାଲିପାଟଣା : ବାଲିପାଟଣା ବ୍ଲକ ବିଜେପିର ପ୍ରତିବାଦ ଆଗରେ ମୁଣ୍ତ ନୁଆଁଇଛି ପ୍ରଶାସନ। ଗତ ୮ ତାରିଖରେ ବିଜେପି ପକ୍ଷରୁ ବାଲିପାଟଣା ତହସିଲଦାରଙ୍କୁ ଦିଆଯାଇଥିବା ଅଭିଯୋଗ ପରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ତାଲିକା ସାର୍ବଜନୀନ କରାଯାଇଛି। ଖୋର୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲିଠାରୁ ବାଲିପାଟଣା ତହସିଲ କାର୍ଯ୍ୟାଳୟ ନୋଟିସ୍‌ ବୋର୍ଡରେ ଘରଭଙ୍ଗା ଓ ଗୁହାଳଭଙ୍ଗା ଚିଠା ସାର୍ବଜନୀନ କରାଯାଇଥିବା ବାଲିପାଟଣା ତହସିଲଦାର ପ୍ରାଚୀ ମହାପାତ୍ର ସୂଚନା ଦେଇଛନ୍ତି। ତହସିଲ୍‌ କାର୍ଯ୍ୟାଳୟରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବାକୁ ଧାର୍ଯ୍ୟ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏଥିରୁ ବଞ୍ଚିତ ହୋଇଥାନ୍ତି କିମ୍ବା ଧନଶାଳୀ ବ୍ୟକ୍ତି ପାଇଥାନ୍ତି, ତେବେ ଅଭିଯୋଗ ଆସିଲେ ତାହା ପୁନଃ ତଦନ୍ତ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।

ତେବେ ପ୍ରଶାସନ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ବ୍ୟାପକ ଅନିୟମିତତା କରାଯାଇଥିବା ନେଇ ବିଜେପି ଅଭିଯୋଗ କରିଛି। ପ୍ରକୃତ ହିତାଧିକାରୀଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଘର ନଥାଇ ପର ଘରେ ଆଶ୍ରୟ ନେଉଥିବା ପରିବାର ଓ ଜରିପାଲ ତଳେ ଦିନରାତି କଟୁଥିବା ଅସହାୟ ପରିବାରକୁ ଉପେକ୍ଷା କରାଯାଇ କୋଟିପତି ପିଲାଙ୍କ ନାମ ତାଲିକାଭୁକ୍ତ କରାଯାଇଛି। ଏପରିକି ଧନୀ ପରିବାରର ଏକାଧିକ ବ୍ୟକ୍ତିଙ୍କ ନାମ ରହିଛି। କିପରି ସେମାନଙ୍କ ନାମ ତାଲିକାଭୁକ୍ତ ହୋଇଛି, ତାହାକୁ ନେଇ ବିଜେପି ପ୍ରଶ୍ନ କରିଛି। ଏହାର ପ୍ରତିବାଦରେ ଆଜି ବିଜେପି ନେତା ନରେନ୍ଦ୍ର ନାଥ ନାୟକଙ୍କ ସମେତ ବହୁ ବିଜେପି ନେତା ବାଲିପାଟଣା ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ ଦିଲ୍ଲୀପ ସ୍ବାଇଁ, ପ୍ରଶାନ୍ତ ଆଦିତ୍ୟ, କାଳନ୍ଦୀ ବେହେରା, ଜୟନ୍ତ ଶିଶୁ ଗୋସ୍ବାମୀ, ଆମ୍ବିକା ଶତପଥୀ, ସନ୍ତୋଷ ସାହୁ, ନାରାୟଣ ବେହେରା, ବିଜୟ ରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷେ ଖୋର୍ଧା ଜିଲ୍ଲାପାଳ ଫନି କ୍ଷତିଗ୍ରସ୍ତଙ୍କ ଚିଠାକୁ ବାଲିପାଟଣା ତହସିଲରେ ସାର୍ବଜନୀନ କରିଥିବାରୁ ବିଧାୟକ ଅରବିନ୍ଦ ଢାଲି ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅସତ ଉପାୟରେ ଚିଠାରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଶ୍ରୀ ଢାଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe