‘ଫନିରେ ସେବା ରମ୍‌ଜାନ୍‌ର ମହାପୁଣ୍ୟ’

Advertisment
‘ଫନିରେ ସେବା ରମ୍‌ଜାନ୍‌ର ମହାପୁଣ୍ୟ’

ଭୁବନେଶ୍ବର: ଫନି ବାତ୍ୟା ପରେ ପୀଡ଼ିତଙ୍କ ସେବା କରିବା‌ ରମ୍‌ଜାନ୍‌ ମାସ‌ରେ ମହାପୁଣ୍ୟ। ଏଭଳି ଏକ ପ୍ରେରଣାର କଥା କହି ପୁନରୁଦ୍ଧାର କାମରେ ଦିନରାତି ଏକ କରିଥିବା ଅନେକ ଶ୍ରମିକ ତଥା ଅଧିକାରୀଙ୍କ ମନ ଜିଣିଛନ୍ତି ଜଣେ ମୁସଲମାନ ଅଧିକାରୀ। ଛତିଶଗଡ଼ର ଦୁର୍ଗ ଅଞ୍ଚଳରୁ ଆସିଥିବା ଏହି ଅଧିକାରୀ ହେଉଛନ୍ତି ମହମ୍ମଦ ତାହିଲ। ସେ ଓପିଟିସିଏଲ୍‌ରେ ଟେକ୍ନିସିଆନ ଅଛନ୍ତି। ଭୁବନେଶ୍ବରରେ ୮ଦିନ ହେବ ବିଜୁଳି ପୁନରୁଦ୍ଧାର କାମରେ ଲାଗିଛନ୍ତି। ଜୟଦେବ ବିହାର ଅଞ୍ଚଳରେ ବିଦ୍ୟୁତ୍‌ ପୁନରୁଦ୍ଧାର କାମ ଚାଲିଥିଲା। ଏକ ଟ୍ରାନ୍ସଫର୍ମର କଡ଼ରେ ଛିଡ଼ା ହୋଇ ସେ କିଛି ସଜାଡ଼ୁଥିଲେ। ସମୟ ଥିଲା ମଧ୍ୟାହ୍ନ ୧୨ଟା। ଧୁ ଧୁ ଖରାରେ ଯୁବକ ଶ୍ରମିକ ବି ଝାଉଁଳି ପଡ଼ୁଥିଲେ। ତାହିଲ୍‌କୁ କେହି ଜଣେ ଅଧିକାରୀ ପଚାରିଲେ, ‘ପ୍ରବଳ ଖରାରେ ଥକି ଯାଉନାହାନ୍ତି ତ!’ ଏହି ପ୍ରଶ୍ନର ଉତ୍ତରରେ ତାହିଲ ସମସ୍ତଙ୍କର ମନ ମୋହି ନେଇଥିଲେ। ସେ କହିଥିଲେ, ‘ଏବେ ରମ୍‌ଜାନ୍‌ ମାସ ଚାଲିଛି। ମଣିଷର ସେବା କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ। ରମ୍‌ଜାନ୍‌ ପାଇଁ ଛୁଟି ନେଇ ମୁଁ ମୋ ଗାଁରେ ଥିଲେ ବୋଧ ହୁଏ ଏଭଳି ସେବା କରିବାର ସୁଯୋଗ ପାଇନଥାନ୍ତି। ମୋତେ ଏବେ ୫୯ ବର୍ଷ। ଗୋଟିଏ ବର୍ଷ ପରେ ମୁଁ ଅବସର ନେବି। ଆଲ୍ଲା ମୋତେ ମୋର ଅବସର ପୂର୍ବରୁ ଏହି ସୌଭାଗ୍ୟ ଦେଇଛନ୍ତି। ବୋଧହୁଏ ପୁନରୁଦ୍ଧାର କାମରେ ଲାଗିବା ପାଇଁ ଏହା ମୋର ଶେଷ ସୁଯୋଗ। ଆଲ୍ଲା ସମସ୍ତଙ୍କର ଭଲ କରନ୍ତୁ। ହାପି ରମ୍‌ଜାନ୍‌’ କହି ସେ ପୁଣି କାମରେ ଲାଗି ଯାଇଥିଲେ। ସେଠାରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କର ଏଭଳି ଉତ୍ତରରେ ଉତ୍ସାହିତ ହୋଇଥିଲେ। ଗୋଟିଏ ପଟେ ଲୋକମାନେ ମାଡ଼ ମାରି ମନୋବଳ ଭାଙ୍ଗୁଥିବା ବେଳେ ଅନ୍ୟପଟେ ଝାଞ୍ଜି ଖରାରେ ମୁଣ୍ଡଝାଳ ତୁଣ୍ଡରେ ମାରି ପୁନରୁଦ୍ଧାର କାମରେ ଲାଗିଥିବା କର୍ମଚାରୀ ଓ ଶ୍ରମିକମାନଙ୍କୁ ତାହିଲଙ୍କର ଏଇ କେଇ ପଦ କଥା ବେଶ୍‌ ଉତ୍ସାହିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe