ବାଲିଅନ୍ତା : ଅକ୍ଷୟ ତୃତୀୟା ଗଲା, ଚାଷୀ ପାଖରେ ବିହନ ନାହିଁ

Advertisment
ବାଲିଅନ୍ତା : ଅକ୍ଷୟ ତୃତୀୟା ଗଲା, ଚାଷୀ ପାଖରେ ବିହନ ନାହିଁ

ବାଲିଅନ୍ତା : ଲକ୍‌ଡାଉନ୍‌ ଯୋଗୁଁ କୃଷିକ୍ଷେତ୍ର ଯେପରି ପ୍ରଭାବିତ ନ ହେବ, ସେଥିପ୍ରତି ସରକାର ବିଶେଷ ଯତ୍ନବାନ ଥିବା କହିଛନ୍ତି। କିନ୍ତୁ ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ କରିବା ପାଇଁ ବାଲିଅନ୍ତା ଅଞ୍ଚଳର ଚାଷୀମାନଙ୍କ ପାଖରେ ନୂଆ ଧାନ ବିହନ ନଥିଲା। କୃଷିକ୍ଷେତ୍ର ଓ କୃଷକମାନଙ୍କ ପାଇଁ ସରକାର ଲକ୍‌ଡାଉନ୍‌ କଟକଣାମୁକ୍ତ କରିଛନ୍ତି ସତ, କିନ୍ତୁ୍ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ଧାନ ବିହନ ଯୋଗାଇଦେବା ନେଇ ବିହନ ନିଗମ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପୁରୁଣା ଧାନରେ ଚାଷୀମାନେ ଅନୁକୂଳ କରିବାକୁ ବାଧ୍ୟ ହୋଇଥିଲେ। ବ୍ଲକ କୃଷି ବିଭାଗ ଓ ଓଡ଼ିଶା ବିହନ ନିଗମର ଏପରି ଅବହେଳା ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଜଣେ ଚାଷୀଙ୍କ ସୂଚନାନୁଯାୟୀ, ଗତ ଖରିଫ ଋତୁରେ ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କ ପାଖରେ ଅମଳକ୍ଷମ ବିଭିନ୍ନ ଧାନ ବିହନ ପହଞ୍ଚି ଯାଇଥିଲା। ହେଲେ ଏବର୍ଷ ତାହା ହୋଇ ପାରିନାହିଁ। ଖରିଫ ଋତୁ ଲାଗି ଖାଲ ଜମିରେ ଶାରଳା, ପୂଜା, ଏମଟିୟୁ ୭୦୨୯ , ୧୦୧୮ ଓ ଢିପ ଜମିରେ ସହଳ କିସମର ଧାନ ବିହନ ସମ୍ରାଟ ଏବଂ ସ୍ବର୍ଣ୍ଣ ସବ୍‌-ୱାନ୍‌ କିସମର ଧାନ ବିହନ ଚାଷୀଙ୍କର ଆବଶ୍ୟକତା ରହିଛି। ହେଲେ ଚାଷୀମାନେ ବିହନ ଆଣିବା ପାଇଁ କୃଷି କାର୍ଯ୍ୟାଳୟକୁ ଯାଇ ସେଠାରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରୁଥିବା କହୁଛନ୍ତି। ମହାମାରୀ କରୋନା ସଂକ୍ରମଣ ବାହାନାରେ କୃଷିକ୍ଷେତ୍ର କର୍ମଚାରୀ, ଅଧିକାରୀ ଓ ବିହନ ନିଗମ କାର୍ଯ୍ୟକର୍ତ୍ତା ଓ ବିହନ ଯୋଗାଣ ଦାୟିତ୍ବରେ ଥିବା କୃଷି ସମବାୟ ସମିତି ତଥା ଘରୋଇ ଏଜେନ୍ସି କାର୍ଯ୍ୟରେ ଅବହେଳା କରୁଥିବା ନେଇ ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଚାଷୀମାନେ ବିଲ ହଳ କରି ବୁଣିବା ପାଇଁ ଅପେକ୍ଷା କରିଥିବା ବେଳେ ପାଖରେ ବିହନ ନାହିଁ।

ବାଲିଅନ୍ତା ବ୍ଲକରେ ଏବର୍ଷ ଖରିଫ ଋତୁରେ ମୋଟ ୯ହଜାର ୯ଶହ ୯ହେକ୍ଟର ଜମିରେ ଧାନ ଚାଷ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ରାଯାଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡ଼ିଛି। ଚାଷୀଙ୍କ ଚାହିଦା ଅନୁଯାୟୀ, ଆବଶ୍ୟକ ପରିମାଣର ବିହନ ପର୍ଯ୍ୟାୟକ୍ରମେ ଯୋଗାଣ ହେବ ବୋଲି ଜଣେ କୃଷିକ୍ଷେତ୍ର କର୍ମଚାରୀ କହିଛନ୍ତି। ତେବେ ଅଧିକ ଜାଣିବା ପାଇଁ ଭିଙ୍ଗାରପୁର ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳ ଓ ବାଳକାଟି କୃଷି କାର୍ଯ୍ୟାଳୟର ସହକାରୀ କୃଷି ଅଧିକାରିଣୀ ଜି. ଶ୍ବେତାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe