ରାସ୍ତାରେ ଗର୍ଜିଲେ ଚାଷୀ: ମଣ୍ଡିରେ କଟନିଛଟନି, ୨ ଘଣ୍ଟା ରାସ୍ତା ଅବରୋଧ

Advertisment
ରାସ୍ତାରେ ଗର୍ଜିଲେ ଚାଷୀ: ମଣ୍ଡିରେ କଟନିଛଟନି, ୨ ଘଣ୍ଟା ରାସ୍ତା ଅବରୋଧ

ବାଲିପାଟଣା: ଧାନର ଏଫ୍ଏକ୍ୟୁ ମାନ ନଥିବା ଆଳରେ ମିଲର୍ସ ମନମାଡ଼ଇ କରି କଟନି ଛଟନି କରୁଥିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତେଣୁ ସରାଟଶାସନ ମଣ୍ଡିରେ ଧାନ ଦେବାକୁ ଆସିଥିବା ଚାଷୀମାନେ ରାସ୍ତା ଅବରୋଧ କରି ସେମାନଙ୍କ ଅସନ୍ତୋଷ ଜାହିର୍‌ କରିଛନ୍ତି। ଚାଷୀଙ୍କୁ ସମର୍ଥନ କରି ଶହଶହ ସ୍ଥାନୀୟ ଲୋକେ ଓ ପମ୍ପାଲୋ ପଞ୍ଚାୟତବାସୀ ରାସ୍ତା ଅବରୋଧ କରିବାରୁ ପ୍ରାୟ ୨ଘଣ୍ଟା କାଳ ନିମାପଡ଼ା ବାଲିପାଟଣା ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା। ପରେ ପୁଲିସ ଓ ବ୍ଲକ ପ୍ରଶାସନ ହସ୍ତକ୍ଷେପ କରିବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ। ଏଣିକି କ୍ବିଣ୍ଟାଲ ପିଛା ୫କେଜି ଧାନ କାଟିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଧାର୍ଯ୍ୟ ତାରିଖ ଅନୁସାରେ ସରାଟଶାସନ ସମବାୟ ସମିତି ମଣ୍ଡିକୁ ଧାନ ନେଇ ଚାଷୀମାନେ ଆସିଥିଲେ। ଶାନ୍ତି ମିଲର୍‌ ଧାନ ଉଠାଇବାର ଥିଲା। ଚାଷୀ ପ୍ରହଲ୍ଲାଦ ସ୍ୱାଇଁ, ସରୋଜ ସ୍ୱାଇଁ, ଅମୂଲ୍ୟ ପ୍ରଧାନ, ବିଷ୍ଣୁଚରଣ ପଣ୍ଡା, ଦିନୁ ଶଙ୍କର ପ୍ରହରାଜ, ସୌଭାଗ୍ୟ ରଞ୍ଜନ ପରିଡା, ଶ୍ରୀଧର ମଲ୍ଲିକ ଓ ଅନିରୁଦ୍ଧ ବାରିକ ପ୍ରମୁଖ ଚାଷୀମାନଙ୍କଠାରୁ ୨୬୭ କ୍ବିଣ୍ଟାଲ ଧାନ ଉଠାଇବାର ଥିଲା। କିନ୍ତୁ ଏଫ୍‌ଏକ୍ୟୁ ମାନକୁ ନେଇ ମିଲର୍‌ କ୍ବିଣ୍ଟାଲ ପିଛା ୬ କେଜି କାଟି‌ବେ ବୋଲି କହିଲେ। ଧାନର ମାନ ଠିକ ଥିବା ସତ୍ତ୍ବେ ୬କେଜି କଟନିଛଟନିକୁ ଚାଷୀମାନେ ବିରୋଧ କରିଥିଲେ। ମିଲର୍‌ଙ୍କ କର୍ମଚାରୀ ଓ ଚାଷୀଙ୍କ ମଧ୍ୟରେ ଟଣାଓଟରା ଚାଲିଲା। ଫଳରେ ସେଠାରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା। ଶେଷ‌ରେ ଚାଷୀମାନେ ଏକାଠି ହୋଇ ନିମାପଡ଼ା-ସରଦେଇପୁର ରାସ୍ତାକୁ ଅବରୋଧ କଲେ। ପ୍ରାୟ ୨ ଘଣ୍ଟା ରାସ୍ତା ବନ୍ଦ ହୋଇଯିବାରୁ ଉଭୟ ପଟେ ଶହଶହ ଗାଡ଼ି ମଟର ଅଟକିଗଲେ। ଚାଷୀମାନେ ସରକାର ବିରୋଧୀ ନାରା ଦେବା ସହ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ। ପରେ ବ୍ଲକ ସଭାଗୃହରେ ଜରୁରୀ ବୈଠକ ବସିଥିଲା। ବିଡିଓ ଆଦିକନ୍ଦ ବେହେରା, ସମବାୟ ସମ୍ପ୍ରସାରଣ ଅଧିକାରୀ ଦିବ୍ୟରଞ୍ଜନ ପ୍ରଧାନ, ବ୍ଲକ୍‌ ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା, ଶାନ୍ତି ରାଇସ୍‌ ମିଲ୍‌ ମାଲିକ ସୁଶାନ୍ତ ସାହୁ, ସାନ୍ଥୋଲିଆ ରାଇସ୍‌ ମିଲ୍‌ ମାଲିକ ସନ୍ତୋଷ ଅଗ୍ରୱାଲା, ବାଲିପାଟଣା ପ୍ରେସ୍‌ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ଓ ଚାଷୀମାନେ ଉପସ୍ଥିତ ଥିଲେ। ଶେଷରେ କ୍ବିଣ୍ଟାଲ ପିଛା ୫ କିଲୋ କାଟିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe