Hindustan Times
ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ କଳ୍ପନା ଛକସ୍ଥିତ ପେଟ୍ରୋଲ୍ ପମ୍ପ୍ରେ ଗଣ୍ଡଗୋଳ କରି କର୍ମଚାରୀଙ୍କୁ ଫାର୍ସା ମାଡ଼ କରିଥିବା ତିନି ଅଭିଯୁକ୍ତଙ୍କୁ ବଡ଼ଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ସତ୍ୟନଗର ଅଞ୍ଚଳର ମାନସ ବାରିକ, ବିକ୍ରମ ଦାସ ଓ ଚିନ୍ମୟ ଖୁଣ୍ଟିଆ। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ମାନସ ଓ ବିକ୍ରମ ପେସାଦାର ଅପରାଧୀ ବୋଲି ପୁଲିସ ସୂଚନା ଦେଇଛି। ସେମାନଙ୍କ ନାମରେ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ୫ଟି ଲୁଟ୍ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି। ମାନସ ଓ ବିକ୍ରମ ନାଁରେ ୧୧୦ ଦଫା ଲାଗୁ କରାଯିବ ବୋଲି ମଧ୍ୟ ପୁଲିସ ସୂଚନା ଦେଇଛି।
ସୂଚନାନୁସାରେ ଗତକାଲି ସନ୍ଧ୍ୟାରେ ମାନସ ବାଇକ୍ରେ ପେଟ୍ରୋଲ ଭରିବାକୁ ଯାଇଥିଲା। ମାନସ ୧୧୦ ଟଙ୍କାର ପେଟ୍ରୋଲ ମାଗିଥିବା ବେଳେ କର୍ମଚାରୀଜଣଙ୍କ ଭୁଲବଶତଃ ୨୩୩ ଟଙ୍କାର ପେଟ୍ରୋଲ୍ ପକାଇ ଦେଇଥିଲେ। କିନ୍ତୁ ବାକି ଟଙ୍କା ଦେବାକୁ ନେଇ ମାନସ ରାଜି ନହେବାରୁ କର୍ମଚାରୀଜଣଙ୍କ ବାଇକ୍ରୁ ପେଟ୍ରୋଲ ବାହାର କରିଦେଇଥିଲେ। ଏହାକୁ ନେଇ ବଚସା ହୋଇଥିଲା ଏବଂ କିଛି ସମୟ ପରେ ମାନସ ଅନ୍ୟ ଦୁଇ ଅଭିଯୁକ୍ତ ବିକ୍ରମ ଓ ଚିନ୍ମୟକୁ ଧରି ସେଠାରେ ପହଞ୍ଚି ଗଣ୍ଡଗୋଳ କରିଥିଲା। ସେମାନଙ୍କ ଫାର୍ସା ମାଡ଼ରେ ୩ କର୍ମଚାରୀ ଓ ଜଣେ ଗ୍ରାହକ ଆହତ ହୋଇଥିଲେ। ତେବେ ଉପସ୍ଥିତ ଲୋକେ ଏକାଠି ହୋଇ ୩ ଅଭିଯୁକ୍ତଙ୍କୁ କାବୁ କରି ବହେ ଛେଚିବା ସହ ପୁଲିସ ଜିମା ଦେଇଥିଲେ।
Follow Us