ପ୍ରେମିକ ସହ ମିଶି ସ୍ୱାମୀକୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ

Advertisment
ପ୍ରେମିକ ସହ ମିଶି ସ୍ୱାମୀକୁ ପ୍ରାଣାନ୍ତକ ଆକ୍ରମଣ, ୨ ଗିରଫ

ଭୁବନେଶ୍ବର : ସ୍ତ୍ରୀର ପରକୀୟା ପ୍ରୀତିରେ କଣ୍ଟା ସାଜିବାରୁ ପ୍ରେମିକ ସହ ମିଶି ସ୍ବାମୀକୁ ପ୍ରାଣାନ୍ତକ ଆକ୍ରମଣ କରିଛି ସ୍ତ୍ରୀ। ସ୍ବାମୀ କାମ କରୁଥିବା ହୋଟେଲରେ ପଶି ଭଙ୍ଗାରୁଜା କରିବା ସହ ମୁଣ୍ଡକୁ ଏକ ଲୁହା ରଡ୍‌ରେ ପିଟି ହତ୍ୟା ଉଦ୍ୟମ କରିଛି। ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯାଁଳା ଫାଣ୍ଡି ପୁଲିସ୍‌ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୀ କଣାସର ମମତା ପରିଡ଼ା ଓ ଖୋର୍ଦ୍ଧା ମେଣ୍ଢାଶାଳର ଦିଲ୍ଲୀପ କୁମାର ବେହେରା। ଆକ୍ରମଣରେ ଆହତ ହୋଇଛନ୍ତି ମାନସ ପରିଡ଼ା।

ଅଭିଯୋଗ ଅନୁଯାୟୀ, କିଛି ବର୍ଷ ତଳେ ମମତାଙ୍କୁ ପ୍ରେମ ବିବାହ କରିଥିଲେ ମାନସ। ବିବାହ ପରେ ଉଭୟ ଖୋର୍ଦ୍ଧାସ୍ଥିତ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ସେଠାରେ ମମତାଙ୍କର ଲେବର ସୁପରଭାଇଜର୍ ଦିଲ୍ଲୀପଙ୍କ ସହ ଦେଖା ହୋଇଥିଲା। ମମତା ଓ ଦିଲ୍ଲୀପ ବିବାହିତ ହୋଇଥିଲେ ବି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାକୁ ମାନସ ବିରୋଧ କରିବାରୁ ଦିଲ୍ଲୀପ ଉପରିସ୍ଥ ଅଧିକାରୀଙ୍କ ପାଖ‌ରେ ଅଭିଯୋଗ କରି ତାଙ୍କୁ ଚାକିରିରୁ ବିଦା କରିଦେଇଥିଲା। ଉପାୟଶୂନ୍ୟ ମାନସ ପିତାପଲ୍ଲୀ ଛକ ନିକଟ ମା’ ମଙ୍ଗଳା ହୋଟେଲ୍‌ରେ ରୋଷେୟା ଭାବେ କାମ ଆରମ୍ଭ କରିଥିଲେ। ଏହାର ସୁଯୋଗ ନେଇ ମମତା ଓ ଦିଲ୍ଲୀପ ପ୍ରତିଦିନ ମିଳାମିଶା କରୁଥିଲେ। ‌

ତେବେ ଉଭୟଙ୍କ ପରକୀୟା ପ୍ରୀତି ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରୁ ଦିଲ୍ଲୀପଙ୍କ ପରିବାରଲୋକ ଏହାକୁ ବିରୋଧ କରିଥିଲେ। ଏହାର କିଛି ଦିନ ପରେ ପରିବାରଲୋକ ବେଗୁନିଆସ୍ଥିତ ଏକ ଭଡ଼ାଘରୁ ଦୁହିଁଙ୍କୁ ଅସଂଜତ ଅବସ୍ଥାରେ ଧରି ପକାଇଥିଲେ। ତେବେ ଏହା ପଛରେ ମାନସଙ୍କ ହାତ ଥିବା ସନ୍ଦେହ କରି ଦିଲ୍ଲୀପ ଗତକାଲି ମମତାଙ୍କୁ ସାଙ୍ଗରେ ଧରି ମାନସଙ୍କ ପାଖରେ ପହଞ୍ଚିଥିଲେ। କଥା କଟାକଟିରୁ ଦୁହେଁ ଏକ ଲୁହାରଡ୍‌ରେ ମାନସଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇବା ସହ ସେ କାମ କରୁଥିବା ହୋଟେଲ୍‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ମାନସଙ୍କ ଚିତ୍କାର ଶୁଣି ହୋଟେଲ୍ ମାଲିକାଣୀ ବବିତା ସେନାପତି ଅନ୍ୟ କିଛି କର୍ମଚାରୀଙ୍କ ସହଯୋଗରେ ମମତା ଓ ଦିଲ୍ଲୀପଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe