ଶିଶୁକନ୍ୟାକୁ ଅକଥନୀୟ ନିର୍ଯାତନା ମାମଲା: ପିଶାଚ ପିତା, ସାବତ ମା’ ଗଲେ ଜେଲ୍

Advertisment
ଶିଶୁକନ୍ୟାକୁ ଅକଥନୀୟ ନିର୍ଯାତନା ମାମଲା: ପିଶାଚ ପିତା, ସାବତ ମା’ ଗଲେ ଜେଲ୍

ଭୁବନେଶ୍ବର/ବାଲିପାଟଣା : ସାତ ବର୍ଷର ଶିଶୁକନ୍ୟାକୁ ଦେଢ଼ ବର୍ଷ ଧରି ଅକଥନୀୟ ନିର୍ଯାତନା ମାମଲାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିରିଛି ବାଲିପାଟଣା ଥାନା ପୁଲିସ। ଲୁହା ଶିକୁଳିରେ ବାନ୍ଧି ଘର ବାରଣ୍ଡାରେ ରଖି ନିର୍ଯାତନା ଦେଉଥିବା ପିଶାଚ ପିତା ବାଲିପାଟଣା ବାରହଳ ଗାଁର ବେଲାଲ ଖାନ୍ ଓ ତାଙ୍କର ତୃତୀୟ ପତ୍ନୀ ତଥା ଶିଶୁକନ୍ୟାର ସାବତ ମା' ଫତମା ବିବିଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଶିଶୁକନ୍ୟାର ମା ରିଜଓ୍ଵାନା ପରଓ୍ଵିନଙ୍କ ଅଭିଯୋଗ ଆଧାରରେ ଉଭୟଙ୍କ ବିରୋଧରେ ଆଇପିସି ଦଫା-୩୪୨, ୩୨୩, ୩୨୪, ୩୦୭, ୩୪ ଏବଂ ଶିଶୁ ନିରୋଧ ଆଇନ ୨୦୧୫ର ଧାରା-୭୫ ଅନୁସାରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ବେଲାଲ ଖାନ୍ ୨୦୧୩ରେ ପିପିଲି ଖାଲିକା ସାହିର ରିଜଓ୍ଵାନା ପରଓ୍ଵିନଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୨୦୧୪ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ପାରିବାରିକ ବିବାଦ ଯୋଗୁଁ ୨୦୧୪ ସେପ୍ଟେମ୍ବରରେ ରିଜଓ୍ଵାନା ନିଜ ଘରକୁ ଚାଲି ଆସିଲେ। ଏହା ପରେ ବେଲାଲ ଫତିମାଙ୍କୁ ତୃତୀୟ ବିବାହ କରିଥିଲେ। ୨୦୧୪ ମାର୍ଚ୍ଚରେ ବେଲାଲ ରିଜଓ୍ଵାନାଙ୍କ ପାଖରୁ ଝିଅକୁ ନିଜ ପାଖକୁ ନେଇ ଆସିଥିଲେ। ଏହା ପରଠାରୁ ଶିଶୁକନ୍ୟା ଉପରେ ସ୍ବାମୀ-ସ୍ତ୍ରୀ ମିଶି ଅକଥନୀୟ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ସତେ ଯେମିତି ପିଶାଚ ପାଲଟି ଯାଇଥିଲା ବାପା। ଘର ବାରଣ୍ଡାରେ ପଶୁଭଳି ଶିକୁଳିରେ ବାନ୍ଧି ଝିଅକୁ ମାଡ଼ ମାରୁଥିବାବେଳେ ସାବତ ମା’ କଥାକଥାକେ ଗରମ ଚଟୁରେ ମାଡ଼ ମାରିବା ସହ ଗରମ ପାଣି ଢାଳି ଦେଉଥିଲା। କୁନିଝିଅଟିକୁ କେବଳ ଭାତଲୁଣ ଖାଇବାକୁ ଦେଉଥିଲେ। ଯାହା ଫଳରେ ଶିଶୁକନ୍ୟାଟି କଙ୍କାଳସାର ହୋଇ ପଡ଼ିଥିଲା। ପଡ଼ୋଶୀମାନଙ୍କ ସୂତ୍ରରୁ ନିଜ ଝିଅର ଏପରି ଅବସ୍ଥା ସଂପର୍କରେ ଜାଣିବା ପରେ ରିଜଓ୍ଵାନା ସ୍ଥାନୀୟ ସମାଜସେବୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ଖବର ପାଇବା ପରେ ଚାଇଲ୍‌ଡ ଲାଇନ୍ କର୍ତ୍ତୃପକ୍ଷ ଶିଶୁକନ୍ୟାର ବୟାନ ରେକର୍ଡ଼ କରିବା ସହ ଅଭିଯୁକ୍ତ ବାପା ଓ ସାବତମା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୁଲିସକୁ ଚିଠି ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe