ବାପାଙ୍କ ଜୁଇ ଲିଭିନି, ଆଖିବୁଜିଲେ ଏକମାତ୍ର ପୁଅ

ବ୍ରାହ୍ମଣୀ ଗାଁରେ ଶୋକର ଛାୟା

ବାପାଙ୍କ ଜୁଇ ଲିଭିନି, ଆଖିବୁଜିଲେ ଏକମାତ୍ର ପୁଅ

ତ୍ରିଶୁଳିଆ: ଭୋର୍ ସମୟରେ ବାପାଙ୍କ ମୃତ୍ୟୁ ହୋଇଗଲା। ସକାଳୁ ସକାଳୁ ମୃତଦେହର ଅନ୍ତିମ ସଂସ୍କାର ପାଇଁ କୁଟୁମ୍ବ ଲୋକେ ପ୍ରସ୍ତୁତ ହେଲେ। ଠିକ୍‌ ଏତିକିବେଳେ ମୃତକଙ୍କ ପୁଅ ଅସୁସ୍ଥ ହୋଇପଡ଼ିଲେ। ସେ ବାନ୍ତି କରିବା ସହ ଛାତିରେ ଭୟଙ୍କର ଯନ୍ତ୍ରଣା ଅନୁଭବ କଲେ। ତେଣୁ ବାପାଙ୍କ ମୁହଁରେ ମୁଖାଗ୍ନି ଦେବା ପୂର୍ବରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଗଲା। ଏଣେ ଆତ୍ମୀୟ ସ୍ବଜନମାନେ ଶବ ସତ୍କାର କରୁଥିବା ବେଳେ ପୁଅକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପୁଅ ବି ଆଖି ବୁଜିଦେଲେ। ଗାଁ ଶ୍ମଶାନରେ ବାପାଙ୍କ ଜୁଇ ଲିଭିନଥିବା ବେଳେ ୨୧ ବର୍ଷର ଏକମାତ୍ର ଭେଣ୍ଡିଆ ପୁଅ ହସ୍ପିଟାଲରେ ଶେଷ ନିଃଶ୍ବାସ ଛାଡ଼ିଲେ। ଏଭଳି ଏକ ଦୁଃଖଦ ଘଟଣା ଆଜି ବାରଙ୍ଗ ବ୍ଲକ୍‌ କୁହ୍ନେଇପଡା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

ଖବର ଅନୁସାରେ ଦୀର୍ଘ ଦିନ ଧରି ବ୍ରେନ୍‌ କ୍ୟାନ୍‌ସରରେ ପୀଡ଼ିତ ଥିବା ପୁରୁଷୋତ୍ତମ ସ୍ୱାଇଁ (୫୫)ଙ୍କର ଗୁରୁବାର ରାତିରେ ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ସକାଳେ ଜ୍ଞାତିକୁଟୁମ୍ବ ଲୋକେ ତାଙ୍କ ମରଶରୀରର ଶେଷକୃତ୍ୟ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବ୍ରାହ୍ମଣୀ ଗାଁ ଶ୍ମଶାନକୁ ନେଇଥିଲେ। ଠିକ୍‌ ଏତିକିବେଳେ ପୁରୁଷୋତ୍ତମଙ୍କ ତାଙ୍କର ଏକମାତ୍ର ପୁଅ ଗୌତମ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ କିଛି ଦିନ ହେଲା ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିଲେ। ବାନ୍ତି କରିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତୁରନ୍ତ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିଲା। ଏଣୁ ତାଙ୍କ ଶବକୁ ତୁରନ୍ତ ଗାଁକୁ ଆଣି ଶ୍ମଶାନକୁ ନିଆଯାଇଥିଲା। ବାପା ପୁରୁ‌ଷୋତ୍ତମଙ୍କ ଜୁଇ ଜଳୁଥିବା ବେଳେ ଅନ୍ୟ ଏକ ଜୁଇରେ ଗୌତମଙ୍କ ମୃତଦେହ ସତ୍କାର କରାଯାଇଥିଲା। ଗାଁ ଶ୍ମଶାନରେ ଶହଶହ ଲୋକ ଏକାଠି ହୋଇ ଏହି କରୁଣ ଦୃଶ୍ୟ ଦେଖି ଲୁହ ଝରାଇଥିଲେ। ଗୌତମ ସ୍ଥାନୀୟ ଅଞ୍ଚଳରେ ଜଣେ ଭଲ ସଂକୀର୍ତ୍ତନ ପ୍ରେମୀ ହୋଇଥିବାରୁ ଏହି ଘଟଣାଟି ସମଗ୍ର ବାରଙ୍ଗ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଏକମାତ୍ର ପୁଅ ଗୌତମଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇପଡ଼ିଛି। ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe