ମହୁଖଣ୍ଡା ଗ୍ୟାସ୍‌ ଦୁର୍ଘଟଣା ପରେ ଆଗପଛ ହୋଇ ଚାଲିଗଲେ ଶ୍ବଶୁର, ଜ୍ୱାଇଁ

Advertisment
ସର୍ପାଘାତରେ ନାବାଳିକା ମୃତ

ବାଲିପାଟଣା: ଗୋଟିଏ ଦିନ ଅନ୍ତରରେ ସ୍ଥାନୀୟ ମହୁଖଣ୍ଡା ଗାଁ ମଶାଣିରେ ଶ୍ବଶୁର ଓ ଜ୍ବାଇଁଙ୍କ ଜୁଇ ଜଳିବା ଘଟଣା ସେହି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଗ୍ୟାସ୍‌ ଦୁର୍ଘଟଣାରେ ପୋଡ଼ି ହୋଇ କଟକ ବଡ଼ ମେଡିକାଲରେ ଥିବା ଝିଅ ଓ ଜ୍ବାଇଁକୁ ଦେଖିବା ପରେ ଗତକାଲି ଶ୍ବଶୁର ବନମାଳୀ ବେହେରା ହୃଦ୍‌ଘାତରେ ପ୍ରାଣ ହରାଇଥିବା ବେଳେ ଆଜି ଜ୍ବାଇଁ ମଙ୍ଗୁଳି ବେହେରା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ବନମାଳୀଙ୍କ ଝିଅ ଯଶୋବନ୍ତୀ ଏବେ ବି କଟକରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାନୁସାରେ, ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମର ମଙ୍ଗୁଳି ବେହେରା ଓ ତାଙ୍କ ପତ୍ନୀ ଯଶୋବନ୍ତୀ ଗାଁ ମୁଣ୍ଡରେ ଏକ ଛୋଟ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଗତ ୪ ତାରିଖ ଦିନ ଦୋକାନରେ ଥିବା ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ ନିଆଁ ଲାଗିଯିବାରୁ ସ୍ବାମୀ-ସ୍ତ୍ରୀ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସେହିଦିନଠାରୁ ମଙ୍ଗୁଳି ଓ ଯଶୋବନ୍ତୀ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଶ୍ବଶୁର ବନମାଳୀ ଝିଅ ଓ ଜ୍ୱାଇଁଙ୍କୁ ଦେଖା କରିବାକୁ କଟକ ବଡ଼ ମେଡିକାଲକୁ ଯାଇଥିଲେ। ସେଠାରୁ ଫେରି ଘରେ ପହଞ୍ଚିବା ପରେ ବନମାଳୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।

ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ଗାଁ ମଶାଣିରେ ବନମାଳୀଙ୍କ ଶବଦାହ କରାଯାଇଥିଲା। ଗାଁ ମଶାଣିରେ ବନମାଳୀଙ୍କୁ ଜୁଇ ଲିଭିନଥିବା ବେଳେ ଆଜି ଜ୍ବାଇଁ ମଙ୍ଗୁଳି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ଶବକୁ ଆଜି ଗାଁ ମଶାଣିରେ ଦାହ କରାଯାଇଛି। ସୂଚନାଯୋଗ୍ୟ ଯେ ଯଶୋବନ୍ତୀଙ୍କୁ ବାହା ହେବା ପରେ ମଙ୍ଗୁଳି ଘରଜ୍ବାଇଁଆ ହୋଇ ମହୁଖଣ୍ଡାରେ ଶ୍ବଶୁର ଘରେ ରହୁଥିଲେ। ଏବେ ଶ୍ବଶୁର ଓ ଜ୍ବାଇଁଙ୍କ ମୃତ୍ୟୁ ପରେ ଘରେ ବନମାଳୀଙ୍କ ୭୦ ବର୍ଷୀୟା ସ୍ତ୍ରୀ ଅଛନ୍ତି ଓ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe